Headlines

ଦୀର୍ଘ ଦିନର ଅପେକ୍ଷାରେ ଅନ୍ତ, ଆରମ୍ଭ ହେଲା ଡ୍ରେନ ନିର୍ମାଣ, ଦୁଇ ମାସରେ କାମ ସାରିବାକୁ ଅଦାଲତଙ୍କ ନିର୍ଦ୍ଦେଶ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା, ୭ା୯: ଦୀର୍ଘଦିନ ଧରି ଜଳ ନିଷ୍କାସନ ସମସ୍ୟାରେ ଜୁଝୁଥିବା ଖୋରଧା ବ୍ଲକ ପୁବୁସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କପିଳେଶ୍ୱରପୁର ଗ୍ରାମବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର। ଶନି ମନ୍ଦିର ନିକଟରେ ବହୁଦିନ ଧରି ପ୍ରସ୍ତାବିତ ଥିବା ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶେଷରେ ଆଜି ଆରମ୍ଭ ହୋଇଛି। ଡ୍ରେନ୍ ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ରହିଥିବା ବିବାଦ ଯୋଗୁଁ କାର୍ଯ୍ୟ ଆଗେଇ ପାରୁନଥିଲା। ଏହାକୁ ନେଇ ମାମଲା ଅଦାଲତ ପର୍ଯ୍ୟନ୍ତ ଯିବା ପରେ ଏବେ ପ୍ରଶାସନିକ ଓ ପୋଲିସ ସହଯୋଗରେ ନିର୍ମାଣ କାର୍ଯ୍ୟକୁ ଅଗ୍ରଗତି ଦିଆଯାଇଛି।


ସୂଚନାନୁସାରେ, କପିଳେଶ୍ୱରପୁର ଗ୍ରାମର ଶନି ମନ୍ଦିର ନିକଟ ଅଞ୍ଚଳରେ ଜଳ ନିଷ୍କାସନର ସୁବିଧା ନଥିବାରୁ ବର୍ଷାଦିନେ ସମସ୍ୟା ଅଧିକ ଗମ୍ଭୀର ହେଉଥିଲା। ଅଞ୍ଚଳର ବର୍ଷାଜଳ ଓ ଅନ୍ୟାନ୍ୟ ଅତିରିକ୍ତ ଜଳ ନିଷ୍କାସିତ ହୋଇନପାରି ବିଭିନ୍ନ ସ୍ଥାନରେ ଜମି ରହୁଥିଲା। ଏହା ଫଳରେ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳ ସମେତ ଗ୍ରାମରେ ଜଳଜମା ସମସ୍ୟା ସୃଷ୍ଟି ହେଉଥିଲା। ଦୀର୍ଘ ସମୟ ଧରି ପାଣି ଜମି ରହିବାରୁ ପରିବେଶ ମଧ୍ୟ ଅପରିଚ୍ଛନ୍ନ ହୋଇପଡୁଥିଲା। ଜଳ ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା।
ତେବେ ଡ୍ରେନ୍ ନିର୍ମାଣ ପାଇଁ ପ୍ରଶାସନିକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଥିବା ବିବାଦ ଯୋଗୁଁ କାମ ଆରମ୍ଭ ହୋଇପାରିନଥିଲା। ଫଳରେ ଯେଉଁ ସମସ୍ୟାର ସମାଧାନ ପାଇଁ ଡ୍ରେନ୍ ନିର୍ମାଣର ଆବଶ୍ୟକତା ରହିଥିଲା, ତାହା ଦୀର୍ଘଦିନ ଧରି ଅବ୍ୟାହତ ରହିଥିଲା। ଶେଷରେ ଏହି ପ୍ରସଙ୍ଗକୁ ନେଇ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା।


ମାମଲାର ଶୁଣାଣି ସମୟରେ ମାନ୍ୟବର ଅଦାଲତଙ୍କ ପକ୍ଷରୁ ଡ୍ରେନ୍ ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦେଇ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ନିର୍ଦ୍ଦେଶ ଅନୁଯାୟୀ ଦୁଇ ମାସ ମଧ୍ୟରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି। ଅଦାଲତଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ମଧ୍ୟ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ଆଜି ଖୋରଧା ବ୍ଲକ ବିଡିଓ ସିଦ୍ଧାର୍ଥ ପଟ୍ଟନାୟକଙ୍କ ଉପସ୍ଥିତିରେ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଆରମ୍ଭ କରାଯାଇଥିଲା। କାର୍ଯ୍ୟ ଆରମ୍ଭ ସମୟରେ ଖୋରଧା ଆଦର୍ଶ ଥାନାଧିକାରୀ ରମେଶ ଦେବତାଙ୍କ ସମେତ ପୁଲିସ ପ୍ରଶାସନର କର୍ମଚାରୀମାନେ ଉପସ୍ଥିତ ରହି ଆବଶ୍ୟକ ସହଯୋଗ ପ୍ରଦାନ କରିଥିଲେ। ପ୍ରଶାସନ ଓ ପୋଲିସର ସମନ୍ୱୟରେ ଦୀର୍ଘଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଏହି ସମୟରେ ପୁବୁସାହି ଗ୍ରାମ ପଞ୍ଚାୟତର ସରପଞ୍ଚ, କନିଷ୍ଠ ଯନ୍ତ୍ରୀ ଚିନ୍ମୟ ସ୍ୱାଇଁ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ବ୍ଲକ କର୍ମଚାରୀ, ପଞ୍ଚାୟତର ୱାର୍ଡ ସଭ୍ୟ,ସଭ୍ୟାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। କାର୍ଯ୍ୟର ଅଗ୍ରଗତି ଓ ନିର୍ମାଣ ପ୍ରକ୍ରିୟା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନେ ତଦାରଖ କରିଥିଲେ। ପ୍ରସ୍ତାବିତ ଡ୍ରେନ୍ ମାଧ୍ୟମରେ ଗ୍ରାମ ଓ ମନ୍ଦିର ନିକଟରେ ଜମା ହେଉଥିବା ଅତିରିକ୍ତ ଜଳକୁ ନିଷ୍କାସନ କରି ମନ୍ଦିରର ପଛପଟେ ଥିବା ସରକାରୀ ଜମି ପର୍ଯ୍ୟନ୍ତ ନେଇଯିବାର ବ୍ୟବସ୍ଥା କରାଯାଉଛି। ଏହି ଡ୍ରେନ ନିର୍ମାଣ ଦ୍ୱାରା ଜଳ ନିଷ୍କାସନ ବ୍ୟବସ୍ଥାରେ ସୁଧାର ଆସିବା ସହ ଜଳଜମା ସମସ୍ୟା ଅନେକାଂଶରେ ଦୂର ହେବ ବୋଲି ଆଶା କରାଯାଉଛି।


ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଡ୍ରେନ ନିର୍ମାଣ କେବଳ ଜଳ ନିଷ୍କାସନ ସମସ୍ୟାର ସମାଧାନ କରିବ ନାହିଁ, ଏହା ଗ୍ରାମର ପରିମଳ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବ। ବର୍ଷା ସମୟରେ ଜଳ ଜମି ରହିବା ଯୋଗୁଁ ଯେଉଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା, ତାହାରେ ମଧ୍ୟ ନିୟନ୍ତ୍ରଣ ଆସିବ। ଏଥିସହ ମନ୍ଦିର ନିକଟ ଅଞ୍ଚଳର ପରିବେଶ ଅଧିକ ସ୍ୱଚ୍ଛ ଓ ପରିଚ୍ଛନ୍ନ ରହିବାରେ ଏହି ଡ୍ରେନ୍ ସହାୟକ ହେବ।
ଦୀର୍ଘଦିନ ଧରି ବିଭିନ୍ନ କାରଣରୁ ଅଟକି ରହିଥିବା ଏହି ନିର୍ମାଣ କାର୍ଯ୍ୟ ଶେଷରେ ଆରମ୍ଭ ହୋଇଥିବାରୁ ଏବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ସମ୍ପୂର୍ଣ୍ଣ ହେବା ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି। ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁଇ ମାସ ମଧ୍ୟରେ ଡ୍ରେନ୍ କାମ ସମ୍ପୂର୍ଣ୍ଣ ହେଲେ ଦୀର୍ଘଦିନର ଜଳଜମା ସମସ୍ୟାରୁ କପୁଳେଶ୍ୱରପୁରବାସୀଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *