
ଯଶୋବନ୍ତ ପରିଡା/ ମୟୂରଭଞ୍ଜ, ବାରିପଦାର/ ୩୧/୦୮/୨୬ (ସମୀକ୍ଷା ନ୍ୟୁଜ):
ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ମଧ୍ୟରେ ଫସିରହିଥିବା ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଝିଅ କୁଲସୁମ୍ ନିଗାର ଶେଷରେ ସୁରକ୍ଷିତ ଭାବେ ନିଜ ଜନ୍ମମାଟିକୁ ଫେରିଛନ୍ତି। ଚାରି ଦିନରୁ ଅଧିକ ସମୟ ଧରି ବିଦେଶ ଭୂଇଁରେ ଆଶଙ୍କା ଓ ଭୟର ବାତାବରଣ ମଧ୍ୟରେ କଟାଇବା ପରେ ତାଙ୍କର ଏଭଳି ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଖୁସି ଆଣିଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କୁଲସୁମ୍ ନିଗାର ଅଗଷ୍ଟ ଶେଷ ସପ୍ତାହରେ ଟ୍ରେକିଂ ଏବଂ ପର୍ଯ୍ୟଟନ ପାଇଁ ନେପାଳ ଯାଇଥିଲେ। କିନ୍ତୁ ସେଠାରେ ହଠାତ୍ ଅବିଶ୍ରାନ୍ତ ବର୍ଷା ଯୋଗୁଁ ନଦୀଗୁଡ଼ିକରେ ବନ୍ୟା ଆସିବା ସହ ବ୍ୟାପକ ଧନଜୀବନ କ୍ଷତି ହୋଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ନେପାଳର ବିଭିନ୍ନ ସ୍ଥାନରେ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଫଳରେ କୁଲସୁମ୍ ଏବଂ ତାଙ୍କ ସହଯୋଗୀମାନେ ବାହାର ଦୁନିଆଠାରୁ ବିଚ୍ଛିନ୍ନ ହୋଇ ଏକପ୍ରକାର ଫସି ରହିଥିଲେ।
ଘରୁ ଦୂରରେ ଝିଅ ଏଭଳି ଏକ ବିପଦପୂର୍ଣ୍ଣ ପରିସ୍ଥିତିରେ ଥିବା ଜାଣି ବାରିପଦାସ୍ଥିତ ତାଙ୍କ ପରିବାର ଏବଂ ସମ୍ପର୍କୀୟମାନେ ଗଭୀର ଚିନ୍ତାରେ ପଡ଼ିଥିଲେ। ତେବେ ସ୍ଥାନୀୟ ପ୍ରଶାସନ, ଭାରତୀୟ ଦୂତାବାସ ଏବଂ ସହଯୋଗୀ ଅନୁଷ୍ଠାନଗୁଡ଼ିକର ତତ୍ପରତା ଓ ସହାୟତାରେ ଉଦ୍ଧାରକାର୍ଯ୍ୟ ଜୋରଦାର କରାଯାଇଥିଲା। ଅନେକ ସଂଘର୍ଷ ପରେ କୁଲସୁମ୍ ସୁରକ୍ଷିତ ଭାବେ ଉଦ୍ଧାର ପାଇ ସୋମବାର ଦିନ ବାରିପଦା ସ୍ଥିତ ନିଜ ବାସଭବନରେ ପହଞ୍ଚିଛନ୍ତି।

ଘରକୁ ଫେରିବା ପରେ ନିଜର ଅନୁଭୂତି ବର୍ଣ୍ଣନା କରି କୁଲସୁମ୍ କହିଛନ୍ତି ଯେ, “ଯାତ୍ରାର ଆରମ୍ଭ ବେଶ୍ ଆନନ୍ଦଦାୟକ ଥିଲା, କିନ୍ତୁ ହଠାତ୍ ଆସିଥିବା ବନ୍ୟା ସବୁକିଛି ବଦଳାଇ ଦେଇଥିଲା। ଚାରିଆଡ଼େ ଭୟ ଓ ଅନିଶ୍ଚିତତା ଖେଳିଯାଇଥିଲା। ଫୋନ୍ ଏବଂ ଇଣ୍ଟରନେଟ୍ କାମ ନକରିବାରୁ ପରିବାର ସହିତ ମଧ୍ୟ କୌଣସି ଯୋଗାଯୋଗ ହୋଇପାରି ନଥିଲା।” ତେବେ ଭଗବାନଙ୍କ କୃପା ଏବଂ ସମସ୍ତଙ୍କର ସହଯୋଗ ଯୋଗୁଁ ସେ ମୃତ୍ୟୁମୁଖରୁ ବର୍ତ୍ତି ଆସିପାରିଥିବା କହିଛନ୍ତି। ଏହି ଘଟଣା ପରେ ବାରିପଦା ସହରରେ ଆଶ୍ୱସ୍ତିର ବାତାବରଣ ଦେଖିବାକୁ ମିଳିଛି।



Total Users : 3576