ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୬/୦୮/୨୬
ମାଓବାଦୀ ବିରୋଧୀ ଅଭିଯାନରେ ମାଲକାନଗିରି ପୋଲିସକୁ ମିଳିଛି ଏକବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୁଚନା ଆଧାରରେ ମାଥିଲି ଥାନା ଅଧୀନ ଚେରକୋଟଲା, କିର୍ମିଟି, କୋଟୱାପଦର ଓ କଡ଼ାଭଟା ଜଙ୍ଗଲ ଅଞ୍ଚଳରେ ଡିଭିଏଫ୍ ଟିମ୍ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଏକ ବଡ ମାଓ ଡମ୍ପ ଠାବ କରିଛି ପୋଲିସ୍ ।

ଏହି ଅଞ୍ଚଳଟି ଛତିଶଗଡ଼ର ବସ୍ତର ଜିଲ୍ଲାର ଦରଭା ଥାନା ଏବଂ ସୁକମା ଜିଲ୍ଲାର ପୁଷପାଲ ଥାନା ଅଞ୍ଚଳ ସୀମାକୁ ଲାଗି ରହିଛି । ଠାବ ହୋଇଥିବା ଡମ୍ପରୁ ୩ ଟି ବନ୍ଧୁକ ସହ IED ବିସ୍ଫୋରକ, କ୍ଲେମୋର ମାଇନ୍ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମାଓବାଦୀ ସାମଗ୍ରୀ ଜବତ ହୋଇଛି । ଏହି ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ସାଧାରଣ ଲୋକ ଏବଂ ସୁରକ୍ଷାବଳଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ବ୍ୟବହାର କରିବାକୁ ରଖିଥିବା ସନ୍ଦେହ କରାଯାଉଛି ।
ଜବତ ସାମଗ୍ରୀଗୁଡ଼ିକ ମାଓବାଦୀ କ୍ୟାଡରଙ୍କର ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍ ମାସରେ ମଧ୍ୟ ମାଲକାନଗିରି ଜିଲ୍ଲାରୁ ୩ଟି ବଡ଼ ମାଓବାଦୀ ଡମ୍ପ ଠାବ କରାଯାଇଥିଲା । ମାଓବାଦୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଠାବ କରିବା ପାଇଁ SOG ଓ DVF ପକ୍ଷରୁ ନିୟମିତ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ମାଓବାଦୀ ଗତିବିଧିର ପୁନରାବୃତ୍ତି ରୋକିବା ଏବଂ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଉଦ୍ଧାର ପାଇଁ ସୁରକ୍ଷାବାହିନୀର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଏସପି ବିନୋଦ ପାଟିଲ କହିଛନ୍ତି।



Total Users : 3701