ଭବାନୀ ଶଙ୍କର ମିଶ୍ର/ ବରିଷ୍ଠ ସାମ୍ବାଦିକ/ ସମୀକ୍ଷା ନ୍ୟୁଜ/ ବଡ଼ସାହି ୨୦/୮: ବିଗତ ଲଗାଣ ବର୍ଷାରେ ତିନି ତିନି ଥର ବୁଢ଼ାବଳଙ୍ଗ, ଗଙ୍ଗାହାର ଓ ନାଲ୍ହୁଆ ନଦୀର ବନ୍ୟାଜନିତ କ୍ଷୟକ୍ଷତି ବ୍ୟାପକ ହେବା ସହିତ ଚାଷୀଙ୍କୁ ଅନେକ କ୍ଷତି ପହଁଚାଇଛି ଏବଂ ନଈ ଆଡିବନ୍ଧ ଭାଙ୍ଗି ଗୃହପାଳିତ ପଶୁ ସହ ଅନେକଙ୍କୁ ବାସହୀନ କରିଛି । ଏହି ସମସ୍ୟାର ସଠିକ ତଦନ୍ତ ସହ କ୍ଷତିଭରଣା ଓ ସ୍ଥାୟୀ ସମାଧାନ ଲାଗି ମାନଗୋବିନ୍ଦପୁର ପଞ୍ଚାୟତ ସମେତ ଶାଳଗାଁ, ଚନ୍ଦନପୁର ମାଣତ୍ରୀ ଭୀମଦା ଆଦି ପଞ୍ଚାୟତର ଚାଷୀ ତଥା ଆଞ୍ଚଳିକ ବନ୍ୟା ନିୟନ୍ତ୍ରଣ କମିଟିର ସଭ୍ୟସମୂହ ବିଭାଗୀୟ ଅଧିକାରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅବଗତି ଓ ସମାଧାନ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଗୁରୁବାର ଏକ ୬ଦଫା ଦାବିପତ୍ର ଦେଇଛନ୍ତି । ପରସ୍ଥିତିକୁ ସମୀକ୍ଷା କରି କଂକ୍ରିଟ ବେଡିବନ୍ଧର ତୁରନ୍ତ ଅସ୍ଥାୟୀ ସମାଧାନ ବ୍ୟତୀତ ସ୍ଥାୟୀ ସମାଧାନ ଓ ଚାଷୀଙ୍କୁ କ୍ଷତିପୂରଣ ପାଇଁ ଏହି ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
ଘଟଣାନୁଯାୟୀ ଲଗାତାର ବର୍ଷା ଓ ବନ୍ୟା ପାଇଁ ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀର ବିଭିନ୍ନ ପାର୍ଶ୍ୱରେ ପଥର ପ୍ୟାକିଙ୍ଗ ଓ ଉଚ୍ଚ କଂକ୍ରିଟ ବେଡିବନ୍ଧ ଭାଙ୍ଗିଯାଇ ନଈକଡ଼ ବାସୀଙ୍କ ପ୍ରତି ବିପଦ ବଢ଼ାଇଛି । ନିମ୍ନମାନର କାମ ଯୋଗୁଁ ଚାଷଜମି ଓ ଚାଷୀଙ୍କ ବାରମ୍ବାର କ୍ଷତି ସହ ଆଗାମୀ ଦିନ ଏ ସମସ୍ୟାର ସ୍ଥାୟୀ ପ୍ରତିକାର ଏହି ଦାବିପତ୍ରର ମୁଖ୍ୟ ଉଦ୍ଦେଶ୍ୟ । ବଡ଼ସାହି ବ୍ଲକ ଅଧୀନରେ ବୁଢ଼ାବଳଙ୍ଗ, ଗଙ୍ଗାହାର, ନାଲ୍ହୁଆ ଭଳି ପ୍ରମୁଖ ନଦୀ ପ୍ରବାହିତ । ଏସବୁ ନଦୀକଡ଼ ମାନଙ୍କରେ ଅବସ୍ଥିତ ବିଭିନ୍ନ ଗ୍ରାମରେ ଚାଷ ଓ ଗ୍ରାମବାସୀଙ୍କୁ ପ୍ରତ୍ୟେକ ଥର ବନ୍ୟା ବ୍ୟାପକ କ୍ଷତି ତଥା ବିପଦ ପହଁଚାଇଥାଏ । ପୋଲ ଉପରେ ନଦୀଜଳ ପାଇଁ ଯୋଗାଯୋଗ ବିଛିନ୍ନ, ଚାଷଜମିକୁ ଜଳ ପ୍ରବେଶ ଛଡା ଗୃହପାଳିତ ପଶୁପକ୍ଷୀ, ମାଟିକାନ୍ଥ ଓ ଧନଜୀବନ ହାନୀ ଭଳି ବହୁଳ ସମସ୍ୟାର ଭବିଷ୍ୟତ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍ଥାୟୀ ସମାଧାନ ରାସ୍ତା ନଫିଟିବା ନଦୀକଡ଼ ବାସୀଙ୍କ ଦୁଃଖ ଓ ସମସ୍ୟା ଭଳି ପ୍ରମୁଖ କାରଣ ଗୁଡ଼ିକର ସମାଧାନ ପାଇଁ କିଏ ଦାୟୀ ବୋଲି ଜନସାଧାରଣରେ ପ୍ରଶ୍ନ ଉଠିଛି । ଗଙ୍ଗାହାର ନଦୀର ଉଭୟ ପାର୍ଶ୍ଵରେ ଉଚ୍ଚ କଂକ୍ରିଟ ପ୍ରୋଟେକ୍ସନ ୱାଲ ତିଆରି, ପୋଲ ମାନଙ୍କର ଉଚ୍ଚତା ବୃଦ୍ଧି ଏବଂ ନଦୀକଡ଼ ଘାଇ ସ୍ଥାନ ପ୍ରତି ପଦକ୍ଷେପ ତଥା ଚାଷୀଙ୍କ କ୍ଷତି ତଦନ୍ତ ପୂର୍ବକ ଯଥାଶୀଘ୍ର ସହାୟତା ପ୍ରଦାନ କରାଯାଇ ବନ୍ୟା ସମୟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ନେଇ ଦାବି ରହିଛି । ବାରମ୍ବାର ଘାଇ ସୃଷ୍ଟି ହୋଇ ନଦୀକଡ଼ ଚାଷଜମିରେ ବନ୍ୟାଜଳ ପ୍ରବେଶ କରି ବାଲି ଜମିବା ଦାଉରୁ ଜମିକୁ ସୁରକ୍ଷା ଦେବାକୁ ତୁରନ୍ତ ଅସ୍ଥାୟୀ ମରାମତିର ଆବଶ୍ୟକତା ନେଇ ଅଭିଯୋଗ ହୋଇଛି । ସେହିଭଳି ବନ୍ୟାଜଳ ସ୍ରୋତରେ ନଦୀପାର୍ଶ୍ୱ ରାସ୍ତା ଧସିଯାଇଥିବା ସମୟରେ ପଥରପ୍ୟାକିଙ୍ଗ ସବୁ ଧୋଇ ଗାଁ ଜନବସତି ମଧ୍ୟକୁ ବନ୍ୟାଜଳ ପ୍ରବେଶ ନେଇ ଅଞ୍ଚଳବାସୀ ବିପଦ ଆଶଙ୍କା ମଧ୍ୟରେ ରହିଛନ୍ତି । ବେସାହାରା ଲୋକଙ୍କ ସମସ୍ୟା, ମରାମତି ଓ ଅନ୍ୟାନ୍ୟ ସହାୟତା ପ୍ରଭୃତିର ଯଥାଶୀଘ୍ର ସମାଧାନ ନହେଲେ ଖୁବଶୀଘ୍ର ଆନ୍ଦୋଳନ ହେବା ପରିସ୍ଥିତି ସୃଷ୍ଟି ହେବାନେଇ ଅଞ୍ଚଳବାସୀ ପଛଘୁଞ୍ଚା ଦେବେନାହିଁ ବୋଲି ଜଣାପଡିଛି । ପ୍ରକାଶ ଥାଉକି, ଚଳିତ ୨୨ତାରିଖରୁ ପୁଣି ଏକ ଲଘୁଚାପ ଜନିତ ପ୍ରବଳ ବର୍ଷା ନେଇ ପାଣିପାଗ ତରଫରୁ ମୟୂରଭଞ୍ଜ ପ୍ରତି ବିପଦ ସୂଚନା ରହିଛି ।


Total Users : 3620