ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, ମାଲକାନଗିରିର ପ୍ରଥମ ସାଧାରଣ ସଭା ଆଜି ମାଲ୍ୟବନ୍ତ ଛାତ୍ରାବାସ, ମାଲକାନଗିରିଠାରେ ଅନୁଷ୍ଠିତ ହୋଇଥିଲା। ସଭାରେ ସଂଘର ସଦସ୍ୟମାନଙ୍କ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇ, ସମସ୍ୟାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ପାଇଁ ଠୋସ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା।ସଭାରେ ସଂଘର ସଭାପତି ଶ୍ରୀ ନିରଞ୍ଜନ ମହାପାତ୍ର, ଉପସଭାପତି ଶ୍ରୀ କ୍ଷୀରୋଦ ଚନ୍ଦ୍ର ମହାନ୍ତି, ସମ୍ପାଦକ ଶ୍ରୀ ବିଜୟ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଦୀପକ କୁମାର ନାୟକ, ସଂଗଠନ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଉପଦେଷ୍ଟା ମଣ୍ଡଳୀର ଶ୍ରୀ ମୋହନ ପାଙ୍ଗି, ଶ୍ରୀ ଆନନ୍ଦ ମଣ୍ଡଳ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ରମାକାନ୍ତ ବେହେରା ଉପସ୍ଥିତ ରହିଥିଲେ।
ସଭାରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମୀକ୍ଷା କରାଯାଇ, ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସଂଘ ପକ୍ଷରୁ ଜ଼ିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବା ନେଇ ଆଲୋଚନା ହୋଇଥିଲା। ବିଶେଷକରି ଚିହ୍ନଟ ହୋଇଥିବା ସମସ୍ୟାଗୁଡ଼ିକୁ ଏକ ମାସ ମଧ୍ୟରେ ସମାଧାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପଦୋନ୍ନତି ଓ Final Gradation List ପ୍ରକାଶ ପାଇଁ ଦାବି
ସଭାରେ ଶିକ୍ଷକମାନଙ୍କ ପଦୋନ୍ନତି ସମ୍ପର୍କିତ ସମସ୍ୟାକୁ ଗୁରୁତ୍ୱର ସହ ଆଲୋଚନା କରାଯାଇଥିଲା। ସଂଘ ପକ୍ଷରୁ ଦାବି କରାଯାଇଛି ଯେ
ବିଭାଗ ପକ୍ଷରୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ Final Gradation List ପ୍ରକାଶ କରାଯାଇ, ତାହା ଆଧାରରେ ବରିଷ୍ଠତା ଓ ଯୋଗ୍ୟତା ଅନୁଯାୟୀ ପଦୋନ୍ନତି ପ୍ରକ୍ରିୟା ଶୀଘ୍ର ସମ୍ପନ୍ନ କରାଯାଉ। ଏଥିସହିତ ବିଭିନ୍ନ ବର୍ଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ତୁରନ୍ତ ଚିହ୍ନଟ କରି, ନିୟମାନୁଯାୟୀ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ମାଧ୍ୟମରେ ଯଥାଶୀଘ୍ର ପୂରଣ କରାଯାଉ।ଏହା ସହିତ Final Gradation List ପ୍ରକାଶ ପାଇବା ପର୍ଯ୍ୟନ୍ତ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ବରିଷ୍ଠତା ଓ ଯୋଗ୍ୟତା ଭିତ୍ତିରେ, ପ୍ରଚଳିତ ନିୟମ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପୂରଣ କରାଯାଉ ବୋଲି ସଂଘ ପକ୍ଷରୁ ଦାବି ହୋଇଥିଲା।
ସଭାରେ ଶିକ୍ଷକମାନଙ୍କ ସମସ୍ୟାକୁ ଏକତ୍ରିତ ଭାବେ ଉପସ୍ଥାପନ କରି, ପ୍ରଶାସନ ସହିତ ସମନ୍ୱୟ ରଖି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମସ୍ୟାର ସମାଧାନ ହାସଲ କରିବା ହିଁ ସଂଘର ପ୍ରମୁଖ ଲକ୍ଷ୍ୟ ବୋଲି ମତ ପ୍ରକାଶ ପାଇଥିଲା।
ମାଲକାନଗିରି:ପ୍ରଥମ ସାଧାରଣ ସଭାରେ ସମସ୍ୟା ସମୀକ୍ଷା ଓ ଏକ ମାସ ମଧ୍ୟରେ ସମାଧାନ ପାଇଁ ଦାବି


Total Users : 3722