ବର୍ଷେ ହେଲା ମିଳୁନି ବୋନସ୍, ଚଳିତ ବର୍ଷର ତୋଳା ଟଙ୍କା ବି ବାକି
ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,(୦୮/୦୭/୨୬): ଜଙ୍ଗଲ ଓ ଆଦିବାସୀ ଅଞ୍ଚଳର ଲକ୍ଷ ଲକ୍ଷ ଗରିବ ଲୋକଙ୍କ ଜୀବିକାର ପ୍ରମୁଖ ଆଧାର ସାଜିଥିବା କେନ୍ଦୁପତ୍ର ଏବେ ତୋଳାଳୀଙ୍କ ପାଇଁ ଦୁର୍ଦଶାର କାରଣ ପାଲଟିଛି। ବିଗତ ବର୍ଷର ବୋନସ୍ ଓ ଚଳିତ ବର୍ଷର ପାରିଶ୍ରମିକ ନମିଳିବା ପ୍ରତିବାଦରେ କେନ୍ଦୁପତ୍ର ତୋଳାଳୀମାନେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ବକେୟା ଟଙ୍କା ତୁରନ୍ତ ପ୍ରଦାନ ଦାବିରେ ମାଲକାନଗିରି ଜିଲ୍ଲା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଅଭୁକ୍ତରେ ଦିନ କାଟୁଛନ୍ତି ତୋଳାଳୀ ପରିବାର ସଂଘର ଅଭିଯୋଗ ମୁତାବକ, ଗତ ୨୦୨୫ ମସିହାର କେନ୍ଦୁପତ୍ର ତୋଳାଳୀଙ୍କ ବୋନସ୍ ଟଙ୍କା ଏପର୍ଯ୍ୟନ୍ତ ମିଳିନାହିଁ। ସେହିପରି ଚଳିତ ୨୦୨ ମସିହାରେ କେନ୍ଦୁପତ୍ର ତୋଳା କାମ ଶେଷ ହୋଇଥିଲେ ମଧ୍ୟ ତୋଳାଳୀଙ୍କ ପ୍ରାପ୍ୟ ପାରିଶ୍ରମିକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିନାହିଁ। ବର୍ଷର ଏହି ସମୟରେ ଗରିବ ଆଦିବାସୀ ପରିବାରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଏହି ଅର୍ଥ ଉପରେ ନିର୍ଭର କରିଥାନ୍ତି। ମାତ୍ର ଦୀର୍ଘ ଦିନ ଧରି ଟଙ୍କା ମିଳିନଥିବାରୁ ତୋଳାଳୀଙ୍କ ଘରେ ଖାଦ୍ୟ ଅଭାବ ଦେଖାଦେଇଛି ଏବଂ ସେମାନେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି।୨୦୨୫ ମସିହାର ବକେୟା ବୋନସ୍ ଟଙ୍କା ତୁରନ୍ତ ପ୍ରଦାନ କରାଯାଉ। ୨୦୨ ଚଳିତ ବର୍ଷର ତୋଳା ପାରିଶ୍ରମିକ ସିଧାସଳଖ ତୋଳାଳୀଙ୍କ ଆକାଉଣ୍ଟକୁ ପଠାଯାଉ। ଗରିବ ତୋଳାଳୀଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ। ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ସଭାପତି ବନ୍ଧୁ ମୁଦୁଲିଙ୍କ ନେତୃତ୍ୱରେ ଜିଲ୍ଲା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଦାବିପତ୍ର ଉପସ୍ଥାପନ କରିଛନ୍ତି। ଯଦି ଆଗାମୀ ଦିନରେ ଏହି ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରାନଯାଏ, ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Total Users : 565