Headlines

ମୟୂରଭଞ୍ଜ ଏୟାରଷ୍ଟ୍ରିପ ଓ ଜଡିତ ସହୀଦ ସ୍ମୃତି

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି – ୨୮/୭ – ବୃହତ୍ତମ ମୟୂରଭଞ୍ଜ ଜିଲ୍ଲା ତାର ତିନିଟି ଏୟାରଷ୍ଟ୍ରିପର ଦରଦ କାହାଣୀ କହିଥାଏ । ଅମର୍ଦ୍ଦା ବା ରାସଗୋବିନ୍ଦପୁର, ରାଜାବସା ଏବଂ ଦାଣ୍ଡବୋଷ ବା ରାଇରଙ୍ଗପୁର ଏୟାରଷ୍ଟ୍ରିପ ତିନିର ଇତିହାସକୁ ବଖାଣି ଥାଏ । ଦୃଷ୍ଟି ଆଢୁଆଳରେ ରହି ଏମାନେ ଭିନ୍ନକ୍ଷମ ସାଜିଛନ୍ତି । ଗୋଟିଏ ଶଯ୍ୟାଶାୟୀ ତ କେବଳ ମାତ୍ର ଦେଖାଶୁଣାରେ ସୀମିତ ରହିଛନ୍ତି ଅନ୍ୟ ଦୁଇ, ଦାଣ୍ଡବୋଷ ସ୍ୱଳ୍ପ କାର୍ଯ୍ୟକ୍ଷମ । ବିଶେଷ ଭାବେ ରାଜାବସା ପରିତ୍ୟକ୍ତ ଏବଂ ମୃତ ପ୍ରାୟ ରହିଥିବା ସମୟରେ ଅମର୍ଦ୍ଦା ବା ରାସଗୋବିନ୍ଦପୁର ତଥା ଦାଣ୍ଡଵୋଷ ଅଞ୍ଚଳବାସୀ ଓ ସରକାରଙ୍କ ନଜରରେ ରହିଛି । ତେବେ ଏସବୁ ଘାଟିରୁ ବିମାନ ଉଡିବା ମୟୂରଭଞ୍ଜିଆଙ୍କ ସ୍ୱପ୍ନରେ ରହିଛି । ରାଜାଙ୍କ ଶାସନ କାଳରେ ରାଜାବସା ଠାରେ ମହାରାଜାଙ୍କ ବିମାନ ଅବତରଣ ପାଇଁ ଏୟାରଷ୍ଟ୍ରିପଟିକୁ ରାଜା ହିଁ ନିର୍ମାଣ କରିଥିଲେ । ସ୍ମୃତି ସ୍ୱରୂପ ସେଠାରେ ଗୋଟିଏ ପୁରୁଣା ଭଗ୍ନ କୋଠା ରହିଥିବା ବ୍ୟତୀତ ଅବତରଣ ପଡ଼ିଆରୁ କିଛି ଅଂଶ ବିକ୍ରି ହୋଇଯାଇଥିବା ଆଲୋଚନା ଶୁଣିବାକୁ ମିଳେ । ଅନ୍ୟ ଦୁଇ ମଧ୍ୟରେ ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ରିଟିଶଙ୍କ ଦ୍ୱାରା ନିର୍ମିତ ବୃହତ ଅମର୍ଦ୍ଦା ଏୟାର ଷ୍ଟ୍ରିପ ଏବଂ ଦ୍ୱିତୀୟରେ ଦାଣ୍ଡବୋଷ ଏୟାର ଷ୍ଟ୍ରିପ ଆଲୋଚନା ପରିସର ଭୁକ୍ତ ।

ଦାଣ୍ଡବୋଷ ଏୟାର ଷ୍ଟ୍ରିପ ରାଇରଙ୍ଗପୁର ସହର ରୁ ଟାଟା ରାସ୍ତାର ୫/୬ କିମି ଦୂରରେ ରହିଛି । ଏହି ଏୟାର ଷ୍ଟ୍ରିପ ୬୧ ଏକର ପରିମିତ ସ୍ଥାନରେ ପ୍ରାୟ ଦେଢ଼ କିମି ଦୈର୍ଘ୍ୟ ଆକାରରେ ଅବସ୍ଥିତ । ଦୀର୍ଘ ଦୁଇବର୍ଷ ପୂର୍ବରୁ ଉଡାଣ ଯୋଜନାରେ ଏହି ବିମାନଘାଟିରୁ ଯାତ୍ରୀବାହୀ ବିମାନ ଉଡାଣ ପାଇଁ ଅନୁମତି ମିଳିଥିବା ଖବର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲେହେଁ ଅଦ୍ୟାବଧି ତାହା ସେହି ଖବର ମଧ୍ୟରେ ଲୁକ୍କାୟିତ ହୋଇ ରହିଛି କେବଳ । ତେବେ ଏହା ସାନ୍ତାଳୀ ଭାଷା ଅଲଚିକି ଲିପିର ଗୁରୁ ରଘୁନାଥ ମୁର୍ମୁଙ୍କ ଜନ୍ମମାଟି ଏବଂ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଞ୍ଚଳ ପରିଧିରେ ରହିଥିବାରୁ ଏହି ଏୟାରଷ୍ଟ୍ରିପର ରକ୍ଷଣାବେକ୍ଷଣ ବା ମରାମତି ରାଇରଙ୍ଗପୁର ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା ହୋଇଥାଏ । ନିକଟ ଅତୀତରେ ମହାମହିମ ରାଷ୍ଟ୍ରପତି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାହାଡ଼ପୁର ଓ ରାଇରଙ୍ଗପୁର ଆଗମନ ସମୟରେ ହେଲିକ୍ୟାପ୍ଟର ଅବତରଣ ପାଇଁ ଏହି ଏୟାରଷ୍ଟ୍ରିପ ବ୍ୟବହୃତ ହୋଇଥିଲା । ଏହା ମୟୂରଭଞ୍ଜର ଦ୍ୱିତୀୟ ବୃହତ ଏୟାରଷ୍ଟ୍ରିପ ଭାବେ ଜଣାଶୁଣା ।

ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟରେ ୧୯୪୦ ମସିହାରେ ରାସଗୋବିନ୍ଦପୁର ଠାରେ ନିର୍ମିତ ବିଶାଳ ବିମାନବନ୍ଦରର ନାମ ହେଉଛି ଅମର୍ଦ୍ଦା ଏୟାରଷ୍ଟ୍ରିପ । ଏହି ବିମାନବନ୍ଦରଟି ପୁନଃ କାର୍ଯ୍ୟକ୍ଷମ ପାଇଁ ବିଗତ ଦିନରେ ଜନପ୍ରତିନିଧିଙ୍କ ଦ୍ୱାରା ହେଉଥିବା ଘୋଷଣା ବା ପ୍ରଚେଷ୍ଟା ଆଜିପର୍ଯ୍ୟନ୍ତ ସମାଧାନ ବାଟ ଫିଟାଇବାରେ ଅସମର୍ଥ ହୋଇ ଚାଲିଛି । ଏହାର ୯୦୦ ଏକର ଜମି ପରିମିତ ୧୧,୦୦୦ ଫୁଟରେ ୩.୫ କିମି ଲମ୍ବ ଦୁଇଟି ବିଶାଳ ରନୱେ ଏସିଆ ମହାଦେଶର ଦୀର୍ଘତମ ରନୱେ ଆଖ୍ୟା ଲାଭ କରିଛି । ସେ ସମୟର ୩କୋଟି ଟଙ୍କା ବିନିମୟରେ ନିର୍ମିତ ଏହି ଅମର୍ଦ୍ଦା ଏୟାରଷ୍ଟ୍ରିପରେ ବ୍ରିଟିଶ ସାମରିକ ବିଭାଗ ବା ବ୍ରିଟିଶ ରୟାଲ ଏୟାର ଫୋର୍ସର ୬ଟି ବିମାନ ଏକକାଳୀନ ଏହି ଏୟାରଷ୍ଟ୍ରିପରେ ରହିପାରୁଥିବାରୁ ବିମାନ ବନ୍ଦରଟିର ଆନ୍ତର୍ଜାତିକ ଖ୍ୟାତି ମଧ୍ୟ ରହିଛି । ପୁଣି ପରିସର ମଧ୍ୟରେ ରହିଥିବା ଏକ ସୁଡଙ୍ଗ ଏବେବି ସନ୍ଦେହ ଜନକ ଅବସ୍ଥାରେ ରହିଛି । କାରଣ ସୁଡଙ୍ଗ ଭିତରକୁ ରହିଥିବା ରାସ୍ତାରେ ୧୮ଫୁଟ ଯିବା ପରେ ଏକ ପ୍ରାଚୀର ଦ୍ୱାରା ସୁଡଙ୍ଗ ରାସ୍ତା ଅବରୋଧ ବା ସିଲ କରାଯାଇଛି । ଅଞ୍ଚଳବାସୀଙ୍କ ମତ ଅନୁସାରେ ସୁଡଙ୍ଗ ଭିତରେ କୌଣସି ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଏବଂ ଛୋଟଗାଡି ସବୁକୁ ଇଂରେଜ ମାନେ ରଖିଥିବା ଅନୁମାନ କରାଯାଏ । ସୁଡଙ୍ଗର ପୁନରୁଦ୍ଧାର କଲେ ହୁଏତ ଏହାର ରହସ୍ୟ ପଦାକୁ ଆସିବ ।

ତେବେ ଇତିହାସ କହେ ଜୁଲାଇ ୨୬, ୧୯୪୫ ରେ ଦୁଇଟି ବିମାନ ମଧ୍ୟରେ ଦୁର୍ଘଟଣା ଜନିତ ଆମେରିକା, ବ୍ରିଟେନ ଓ ନେଦରଲ୍ୟାଣ୍ଡ ଭଳି ରାଷ୍ଟ୍ର ତଥା ଜଣେ ଭାରତୀୟଙ୍କ ସହ ୧୪ଜଣ ବାୟୁଜବାନଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ସ୍ମୃତିକୁ ମନେପକାଇ ପ୍ରତ୍ୟେକ ବର୍ଷ ଜୁଲାଇ ୨୬ରେ ସ୍ଥାନୀୟ ବିଦ୍ୟାର୍ଥୀ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଉକ୍ତ ଏୟାରଷ୍ଟ୍ରିପରେ ସେଇ ୧୪ଜଣ ମୃତଯବାନଙ୍କ ଫୋଟରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତି ସମାରୋହ ପାଳନ କରି ଆସୁଛନ୍ତି । ଏହି ଏୟାରଷ୍ଟ୍ରିପ ସହ ଜଡ଼ିତ ବିଭିନ୍ନ ତଥ୍ୟ ଆଧାରିତ ଏକ ସଂଗ୍ରହାଳୟ ପ୍ରତିଷ୍ଠା ଆବଶ୍ୟକତାକୁ ଦୃଷ୍ଟି ରଖି ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ଆଦିତ୍ୟ ପଟ୍ଟନାୟକଙ୍କ ବହୁଦିନର ପ୍ରୟାସ ଜାରି ରହିଥିଲେ ମଧ୍ୟ ସରକାରୀ ଉଦାସୀନତା ଅଭାବରୁ ଦୀର୍ଘବର୍ଷ ଧରି ସଂଗ୍ରହାଳୟଟିଏ ନହୋଇପାରିବା ବୁଦ୍ଧିଜୀବୀ ଏବଂ ବିଦ୍ୟାର୍ଥୀଙ୍କ ମନରେ ଦୁଃଖ ଭରିଛି । ଶେଷରେ ଏହି ବିମାନବନ୍ଦରକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ଅନେକ ପ୍ରୟାସ ବ୍ୟର୍ଥ ହେଉଥିବା ବେଳେ ନିର୍ବାଚିତ ପ୍ରତିନିଧିମାନଙ୍କ ପ୍ରତିଶ୍ରୁତି କେବଳ ଉପହାସ୍ୟାସ୍ପଦ ହୋଇଯାଇଛି । ବିଭିନ୍ନ ଦିଗକୁ ନେଇ ଦେଖାଗଲେ ଉନ୍ନତିକରଣ ବା ଭବିଷ୍ୟତ ବିମାନବନ୍ଦର ପାଇଁ ମୟୂରଭଞ୍ଜ ଭଳି ବୃହତ୍ତମ ଜିଲ୍ଲାର ଆବଶ୍ୟକତା ବିଚାରଜନକ । କାରଣ ବିମାନରେ ଯିବାକୁ ମୟୂରଭଞ୍ଜବାସୀଙ୍କୁ ଅନ୍ତତଃ ଦୁଇଶହ କିମି ଉପରେ ସଡ଼କପଥ ଅତିକ୍ରମ କରିବାକୁ ହୁଏ ।

Leave a Reply

Your email address will not be published. Required fields are marked *