ଯଶୋବନ୍ତ ପରିଡା//କପ୍ତିପଦା ଉପଖଣ୍ଡ ୨୮/୦୬/୨୬ (ସମୀକ୍ଷା): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନସ୍ଥ ଶିରାଥଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ମୋବାଇଲକୁ ନେଇ ବଡ଼ ଭାଇର ଆକ୍ରମଣରେ ବାପା ଓ ସାନଭାଇ ଗୁରୁତର ଆହତ ହୋଇଛନ୍ତି।
ସଦାନନ୍ଦ ବାରିକଙ୍କ ଦୁଇ ପୁଅ ସୁଶାନ୍ତ ଓ ହେମନ୍ତ ପେସାରେ ରାଜମିସ୍ତ୍ରୀ। ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ ସାନପୁଅ ସୁଶାନ୍ତ କାମ ସାରି ଫେରୁଥିବା ବେଳେ ରାସ୍ତାରୁ ଏକ ମୋବାଇଲ ପାଇଥିଲେ। ପରବର୍ତ୍ତୀ ସମୟରେ ମୋବାଇଲର ପ୍ରକୃତ ମାଲିକ ସୁଶାନ୍ତଙ୍କ ଘରେ ପହଞ୍ଚିବାରୁ ସେ ମୋବାଇଲଟିକୁ ଫେରାଇ ଦେଇଥିଲେ।
ଏହି କଥାକୁ ନେଇ ବଡ଼ ଭାଇ ହେମନ୍ତ ଉତକ୍ଷିପ୍ତ ହୋଇ ପଡ଼ିଥିଲେ। କାହିଁକି ମୋବାଇଲ ଫେରାଇଲୁ, ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହଠାତ୍ ହେମନ୍ତ ଘରେ ଥିବା ଏକ ତେଲେଙ୍ଗା କଟୁରୀରେ ସାନଭାଇ ସୁଶାନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଝଗଡ଼ା ବନ୍ଦ କରିବାକୁ ଯାଇଥିବା ବାପା ସଦାନନ୍ଦଙ୍କୁ ମଧ୍ୟ ହେମନ୍ତ ଗୋଡ଼ରେ ହାଣି ଦେଇଥିଲେ।
ଗୁରୁତର ଅବସ୍ଥାରେ ସୁଶାନ୍ତ ଓ ସଦାନନ୍ଦଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁଶାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ, ପ୍ରାଥମିକ ଚିକିତ୍ସା ପରେ ବାପା ସଦାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା : ମୋବାଇଲକୁ ନେଇ କଳି, ବାପା ଓ ସାନଭାଇକୁ ତେଲେଙ୍ଗା କଟୁରୀରେ ହାଣିଲା ବଡ଼ ପୁଅ


Total Users : 568