ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି:
୪/୯/୨୬ – ଭାରତମାତାର ସେବା ଓ ଦେଶର ସୀମା ସୁରକ୍ଷା ଦାୟିତ୍ୱ ଦୀର୍ଘ ୪୦ ବର୍ଷ ୩ ମାସ ଧରି ନିଷ୍ଠାର ସହିତ ତୁଲାଇବା ପରେ 53-BN. BSF ବଟାଲିୟନରୁ ସେବାନିବୃତ୍ତ ହୋଇ ନିଜ ମାତୃଭୂମିକୁ ଫେରିଥିବା ବୀର ସୈନିକ ଶ୍ରୀ ନନ୍ଦୁରାମ ବାରଦାଙ୍କୁ ତାଙ୍କ ଜନ୍ମମାଟି ଶ୍ୟାମସୁନ୍ଦର ଗ୍ରାମରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକର ଶ୍ୟାମସୁନ୍ଦର ଗ୍ରାମର ଜନ୍ମିତ ସ୍ୱର୍ଗତ ଶ୍ରୀ ଜଗୁ ବାରଦା ଓ ସ୍ୱର୍ଗତା ଶ୍ରମତୀ ଫୂରଗନ ବାରଦାଙ୍କ ଯୋଗ୍ୟ ସନ୍ତାନ ଶ୍ରୀ ନନ୍ଦୁରାମ ବାରଦା ୨୬ମେ ୧୯୮୬ ମସିହାରେ ତତ୍କାଳୀନ ବିହାର ରାଜ୍ୟର ହଜାରିବାଗଠାରେ ବିଏସଏଫ୍ରେ ଯୋଗଦାନ କରିଥିଲେ। ଦୀର୍ଘ ୪୦ବର୍ଷ ୩ମାସର ଚାକିରି ଜୀବନରେ ସେ ଦେଶର ବିଭିନ୍ନ ସ୍ଥାନରେ ନିଷ୍ଠା ଓ ସାହସର ସହିତ ଦାୟିତ୍ୱ ତୁଲାଇଥିଲେ। ଚାକିରି ଜୀବନର ଶେଷ ପର୍ଯ୍ୟାୟରେ ଜମ୍ମୁକାଶ୍ମୀରର ପୁଞ୍ଚ ଅଞ୍ଚଳରେ ଦେଶର ସୀମା ସୁରକ୍ଷା ଦାୟିତ୍ୱ ତୁଲାଇବା ପରେ ଗତ ୩୧ ଅଗଷ୍ଟ ୨୦୨୬ରେ ୬୦ ବର୍ଷ ବୟସରେ ସେ ଇନ୍ସପେକ୍ଟର ଭାବେ ସେବାନିବୃତ୍ତ ହୋଇଛନ୍ତି।

ଗତକାଲି ସେ ସେବାନିବୃତ୍ତି ପରେ ଟାଟାନଗର ରେଳ ଷ୍ଟେସନରେ ପହଞ୍ଚିବା ପରେ ଶ୍ରୀ ବରଦାଙ୍କୁ ତାଙ୍କ ନିଜ ଗ୍ରାମ ଶ୍ୟାମସୁନ୍ଦରର ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଦୁର୍ଗୀ ବରଦା ଓ ପରିବାର ତଥା ଗ୍ରାମବାସୀମାନେ ଫୁଲମାଳା ପିନ୍ଧାଇ ଭବ୍ୟ ସ୍ୱାଗତ କରିଥିଲେ। ପରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ କୁସୁମୀ ବ୍ଲକର ଶ୍ୟାମସୁନ୍ଦର ଗ୍ରାମକୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ ସହ ପାଛୋଟି ନିଆଯାଇଥିଲା। ମହିଳା ଓ ପୁରୁଷମାନେ ନୃତ୍ୟ ଓ ଗୀତର ତାଳେ ତାଳେ ତାଙ୍କୁ ପାଛୋଟି ଆଣିଥିଲେ।
ତାଙ୍କରି ପରିବାର ଜୀବନରେ ଶ୍ରୀ ବରଦା ଚାରିଜଣ କନ୍ୟାଙ୍କ ପିତା। ତାଙ୍କ ମଧ୍ୟରୁ ଜଣେ କନ୍ୟାଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଅନ୍ୟ ଜଣେ କନ୍ୟା ଏକ ଗ୍ରାମୀଣ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି ତଥା ଅନ୍ୟ ଦୁଇଜଣ କନ୍ୟା ଭୁବନେଶ୍ୱରରେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିବାବେଳେ ସାନ କନ୍ୟା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ କରୁଛନ୍ତି । ଦୀର୍ଘ ୪୦ ବର୍ଷ ୩ ମାସ ଧରି ଦେଶର ସୀମା ସୁରକ୍ଷାରେ ନିଜ ମା’ମାଟି ପାଇଁ ଅମୂଲ୍ୟ ସେବା ପ୍ରଦାନ କରିଥିବା ଶ୍ରୀ ନନ୍ଦୁରାମ ବରଦାଙ୍କ ଅବସର ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ଏବଂ ତାଙ୍କର ଦୀର୍ଘାୟୁ, ସୁସ୍ଥ ଓ ମଙ୍ଗଳମୟ ଜୀବନ ପାଇଁ ଅଞ୍ଚଳବାସୀ କାମନା କରିଛନ୍ତି ।



Total Users : 6775