Headlines

ବିଦ୍ୟୁତ ଟ୍ରାନ୍ସଫରମରର ତମ୍ବା କୋଏଲ ଲୁଟିନେଲେ ଲୁଟେରା: କପ୍ତିପଦା ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/(ସମୀକ୍ଷା ନ୍ୟୁଜ) ୨୬/୦୮/୨୬ :
କପ୍ତିପଦା ଉପଖଣ୍ଡରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଲୁଟେରାମାନେ ଘର ଓ ମନ୍ଦିରକୁ ଟାର୍ଗେଟ୍ କରୁଥିବା ବେଳେ ବର୍ତ୍ତମାନ ସେମାନଙ୍କ ଲକ୍ଷ୍ୟ ପାଲଟିଛି ବିଦ୍ୟାଳୟ ଏବଂ ବିଦ୍ୟୁତ ଟ୍ରାନ୍ସଫରମର।
​କିଛି ମାସ ପୂର୍ବରୁ କପ୍ତିପଦା ଥାନା ଅଧୀନ ଦେବଳା ଆଶ୍ରମ ଗ୍ରାମରୁ ଦୁର୍ବୁତ୍ତମାନେ ଏକ ବିଦ୍ୟୁତ ଟ୍ରାନ୍ସଫରମର ଚୋରି କରି ଚମ୍ପଟ ମାରିଥିଲେ। ଏନେଇ ସେତେବେଳେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଉଦଳା ଥାନା ଅଧୀନ ନବରା ଗ୍ରାମ, ଗୋବିନ୍ଦପୁର ଗ୍ରାମ ଏବଂ ଦୁଇ ଦିନ ପୂର୍ବେ ତେଲ ଦିହୁଡ଼ି ଗ୍ରାମରୁ ଟ୍ରାନ୍ସଫରମର ଚୋରି ହୋଇଥିଲା। ଏହାରି ଭିତରେ ଗତ ରାତିରେ ପୁଣି ଉଦଳା ଥାନା ଅଧୀନ ଦୁଗ୍ଧା ପଞ୍ଚାୟତର ଶୂନ ପୋଖରୀ ଗ୍ରାମରୁ ଟ୍ରାନ୍ସଫରମରରୁ ତମ୍ବା କୋଏଲ୍ ଲୁଟ୍ ହୋଇଥିବା ଜଣାପଡ଼ିଛି।


​ଆଜି ସକାଳୁ ଗ୍ରାମବାସୀମାନେ ଟ୍ରାନ୍ସଫରମରରୁ କୋଏଲ୍ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସମସ୍ତେ ଏକଜୁଟ୍ ହୋଇ ପ୍ରଥମେ ଉଦଳା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ପରେ ଗ୍ରାମବାସୀମାନେ ଉଦଳା ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ ଦେଇଛନ୍ତି।
​ବର୍ତ୍ତମାନ ବର୍ଷାଋତୁ ଚାଲିଥିବାରୁ ରାତିରେ ଅନ୍ଧାର ଯୋଗୁଁ ସାପ କାମୁଡ଼ା ଭୟ ରହିବା ସହ ପିଲାମାନଙ୍କ ପାଠପଢ଼ାରେ ପ୍ରବଳ ଅସୁବିଧା ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଗ୍ରାମରେ ନୂତନ ଟ୍ରାନ୍ସଫରମର ଲଗାଇବାକୁ ଦାବି କରିବା ସହ ଖୁବଶୀଘ୍ର ଚୋରଙ୍କୁ ଧରିବା ପାଇଁ ପୋଲିସ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଯଦି ବିଦ୍ୟୁତ ବିଭାଗ ତରଫରୁ ଶୀଘ୍ର ଟ୍ରାନ୍ସଫରମର ବ୍ୟବସ୍ଥା କରା ନ ଯାଏ, ତେବେ ଆଗାମୀ ଦିନରେ ଧାରଣା ଦିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
​ପୂର୍ବରୁ ମଧ୍ୟ ଅଞ୍ଚଳରେ ବାରମ୍ବାର ଟ୍ରାନ୍ସଫରମର ଏବଂ ତେଲ ଚୋରି ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲେ ହେଁ ପୋଲିସର ହାତ ଏଯାଏଁ ଖାଲି ରହିଛି। ତେବେ ଏହି ଖବର ପ୍ରସାରଣ ପରେ ପୋଲିସ ପ୍ରଶାସନ କେବେ ଏହି ଲୁଟେରାମାନଙ୍କୁ ଧରିବାରେ ସଫଳ ହେଉଛି, ତାହାକୁ ହିଁ ଅପେକ୍ଷା।

Leave a Reply

Your email address will not be published. Required fields are marked *