
ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା :
ମୁଖ୍ୟ ଗେଟ୍ରେ ତାଲା, ପରିସରରେ ଅଳିଆ; ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ତୁରନ୍ତ ପଦକ୍ଷେପ ଦାବି
ଝାରସୁଗୁଡ଼ା, ୪/୯: ଇତିହାସର ଅନେକ ଅମଳିନ ସ୍ମୃତିକୁ ନିଜ ଛାତିରେ ସାଇତି ରଖିଛି ଝାରସୁଗୁଡ଼ାର ପୁରାତନ ଡାକଘର କୋଠା l ବ୍ରିଟିଶ ଶାସନର ସାକ୍ଷୀ ଭାବେ ଦୀର୍ଘ ୧୩୪ ବର୍ଷ ଧରି ଠିଆ ହୋଇଥିବା ଏହି ଐତିହାସିକ କୋଠାକୁ ଡାକ ବିଭାଗ ‘ହେରିଟେଜ୍ ବିଲଡିଂ’ର ମାନ୍ୟତା ଦେଇଛି l ଏପରିକି ୨୦୨୪ ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ମଧ୍ୟ କରିଛନ୍ତି l

ହେଲେ ଏହି ଗୌରବମୟ ଐତିହ୍ୟର ବର୍ତ୍ତମାନର ଅବସ୍ଥା ଦେଖିଲେ ମାନ୍ୟତା ଓ ରକ୍ଷଣାବେକ୍ଷଣ ମଧ୍ୟରେ ଥିବା ବଡ଼ ଫାଙ୍କ ସ୍ପଷ୍ଟ ହୋଇପଡ଼ୁଛି l ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଐତିହାସିକ ମାନ୍ୟତା ପାଇଥିବା ଏହି କୋଠାର ଯତ୍ନ ନେବା ପାଇଁ ଜଣେ ହେଲେ ସ୍ଥାୟୀ କର୍ମଚାରୀ ନଥିବା ଅଭିଯୋଗ ହୋଇଛି l ଫଳରେ କୋଠାର ମୁଖ୍ୟ ଗେଟ୍ ପ୍ରାୟତଃ ବନ୍ଦ ରହୁଛି l ମୁଖ୍ୟ ଡାକଘରର ପାଚେରି ଗେଟ୍ ଖୋଲା ରହୁଥିଲେ ମଧ୍ୟ ଐତିହାସିକ କୋଠାକୁ ନିୟମିତ ଭାବେ ଖୋଲିବା, ପରିଦର୍ଶକଙ୍କ ପାଇଁ ଉପଲବ୍ଧ କରାଇବା ଓ ଏହାର ନିୟମିତ ଯତ୍ନ ନେବାରେ ସମସ୍ୟା ସୃଷ୍ଟି ହେଉଛି l କର୍ମଚାରୀ ଅଭାବର ପ୍ରଭାବ ସିଧାସଳଖ ଭାବେ ସଫେଇ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ିଥିବା ଅଭିଯୋଗ ହୋଇଛି l ଐତିହାସିକ କୋଠାର ପରିସରରେ ଅଳିଆ ଆବର୍ଜନା ଜମି ରହୁଥିବାରୁ ଏହାର ପରିବେଶ ଓ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି l ଯେଉଁ କୋଠାକୁ ଐତିହ୍ୟର ସ୍ମାରକ ଭାବେ ସଂରକ୍ଷଣ କରି ଆଗାମୀ ପିଢ଼ିକୁ ଏହାର ଇତିହାସ ସହ ପରିଚିତ କରାଯିବା କଥା, ସେଠାରେ ଅବହେଳାର ଚିତ୍ର ଏବେ ଚିନ୍ତା ବଢ଼ାଇଛି l

“୧୮୯୨ରୁ ଇତିହାସର ସାକ୍ଷୀ’
ବ୍ରିଟିଶ ଶାସନ କାଳରେ ୧୮୯୨ ମସିହାରେ ଝାରସୁଗୁଡ଼ାର ଏହି ପୁରାତନ ଡାକଘର କୋଠା ନିର୍ମାଣ ହୋଇଥିଲା l ତତ୍କାଳୀନ ବେଙ୍ଗଲ ନାଗପୁର ରେଳବାଇ (ବିଏନ୍ଆର୍) ଲାଇନ୍ରେ ଝାରସୁଗୁଡ଼ା ରେଳ ଷ୍ଟେସନ୍ କାର୍ଯ୍ୟକ୍ଷମ ହେବା ପରେ ଏହି ଡାକଘରର ଗୁରୁତ୍ୱ ଆହୁରି ବଢ଼ିଥିଲା l ୧୮୯୫ ମସିହାରୁ ୧୯୭୯ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହା ଉପ ଡାକଘର ଭାବେ କାର୍ଯ୍ୟ କରିଥିଲା l ସେତେବେଳେ ଝାରସୁଗୁଡ଼ା ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ଥିଲା ଏହି ଡାକଘର l ପରବର୍ତ୍ତୀ ସମୟରେ ଏହା ପ୍ରଧାନ ଡାକଘରର ମାନ୍ୟତା ମଧ୍ୟ ପାଇଥିଲା l ଏହି କୋଠାର ଇତିହାସ କେବଳ ଇଟା-ପଥରର ଏକ ପୁରୁଣା ନିର୍ମାଣର କାହାଣୀ ନୁହେଁ; ଏହା ଝାରସୁଗୁଡ଼ାର ଡାକ ଓ ଯୋଗାଯୋଗ ବ୍ୟବସ୍ଥାର ବିକାଶର ଏକ ଜୀବନ୍ତ ଦଲିଲ l ବ୍ରିଟିଶ ଅମଳରୁ ଆଜି ପର୍ଯ୍ୟନ୍ତ ଅନେକ ପିଢ଼ିର ସାମାଜିକ ଓ ଯୋଗାଯୋଗ ଇତିହାସର ନିରବ ସାକ୍ଷୀ ହୋଇ ରହିଛି ଏହି କୋଠା l

“ମାନ୍ୟତା ମିଳିଲା, ରକ୍ଷଣାବେକ୍ଷଣ କେବେ ?”
ଡାକ ବିଭାଗ ପକ୍ଷରୁ ୨୦୨୧ ଡିସେମ୍ବର ୧୪ରେ ଏହି ପୁରୁଣା କୋଠାକୁ ଐତିହାସିକ କୋଠା ବା ‘ହେରିଟେଜ୍ ବିଲଡିଂ’ ଭାବେ ଘୋଷଣା କରାଯାଇଥିଲା l ଏହାର କିଛି ବର୍ଷ ପରେ ୨୦୨୪ ଫେବୃଆରୀ ୩ରେ ଏହା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିଲା l ଏଭଳି ମର୍ଯ୍ୟାଦା ହାସଲ କରିଥିବା କୋଠା ପ୍ରତି ନିୟମିତ ରକ୍ଷଣାବେକ୍ଷଣ, ସଫେଇ, ସୁରକ୍ଷା ଓ ପରିସରର ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି l
ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମଧ୍ୟ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି l ଐତିହ୍ୟର ମାନ୍ୟତା ଦେଇ କେବଳ ଫଳକ ଲଗାଇଦେଲେ ଐତିହ୍ୟ ସୁରକ୍ଷିତ ହେବ ନାହିଁ l ଏଥିପାଇଁ ନିୟମିତ ଯତ୍ନ, ସଫେଇ, ସୁରକ୍ଷା ବ୍ୟବସ୍ଥା ଓ ଉପଯୁକ୍ତ ପରିଚାଳନା ଆବଶ୍ୟକ l ତେଣୁ ଏହି ଐତିହାସିକ କୋଠା ପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତି ସହ ପରିସରର ସଫେଇ ଓ ସୌନ୍ଦର୍ଯ୍ୟକରଣ କରାଯାଇ ଏହାକୁ ଏକ ଆକର୍ଷଣୀୟ ଐତିହ୍ୟସ୍ଥଳୀ ଭାବେ ବିକଶିତ କରିବାକୁ ଦାବି ହୋଇଛି l ଏନେଇ ଝାରସୁଗୁଡ଼ା ମୁଖ୍ୟ ଡାକଘର ପରିଚାଳକ ପ୍ରତାପ ଭୋଇ କହିଛନ୍ତି, “ସମସ୍ୟାର ସମାଧାନ ପାଇଁ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି l ଖୁବ୍ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ l ଐତିହ୍ୟର ମାନ୍ୟତା ପାଇଥିବା ଏହି ୧୩୪ ବର୍ଷର ପୁରାତନ କୋଠା ଯେପରି ଅବହେଳାର ଶିକାର ନହୁଏ, ସେଥିପାଇଁ ଏବେଠାରୁ ଠୋସ୍ ପଦକ୍ଷେପ ନେବା ଜରୁରୀ l ନଚେତ ଇତିହାସର ଏହି ଅମୂଲ୍ୟ ସ୍ମାରକ ଧୀରେଧୀରେ ନିଜର ଗୌରବ ହରାଇବାର ଆଶଙ୍କା ରହିଛି l



Total Users : 6821