
ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:
ଖୋରଧା, ୬/୯ -: ଦ୍ରୁତ ଗତିରେ ଆଗେଇ ଚାଲିଥିବା ଯାନବାହନ, ଚାରିଆଡ଼େ ଭିଡ଼, ହର୍ଣ୍ଣର ଶବ୍ଦ ଓ ଯାତାୟାତର ଚାପ। ଏହା ହେଉଛି ୧୬ ନଂ ଜାତୀୟ ରାଜପଥର ଦୈନିକ ଚିତ୍ର। ହେଲେ ଏହି ଚିତ୍ର ମଧ୍ୟରେ ଏବେ ଆଉ ଏକ ସମସ୍ୟା ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ଜାତୀୟ ରାଜପଥ ଉପରେ ଓ ଏହାର କଡ଼ରେ ଥିବା ସର୍ଭିସ୍ ରୋଡ୍ରେ ଅବାଧରେ ବୁଲୁଛନ୍ତି ଗାଈ, ଗୋରୁ ଓ ଷଣ୍ଢ। ଫଳରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଯେକୌଣସି ସମୟରେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି।

ବିଶେଷକରି ସହରାଞ୍ଚଳ, ବଜାର ନିକଟବର୍ତ୍ତୀ ଅଞ୍ଚଳ, ଗ୍ରାମାଞ୍ଚଳ ଓ ଜନବସତି ଦେଇ ଯାଇଥିବା ରାଜପଥର ବିଭିନ୍ନ ସ୍ଥାନରେ ଗାଈଗୋରୁଙ୍କ ଅବାଧ ଚଳପ୍ରଚଳ ଦେଖିବାକୁ ମିଳୁଛି। କେତେକ ସମୟରେ ଗୋରୁପଲ ରାଜପଥ ମଝିରେ ଠିଆ ହୋଇ ରହୁଥିବା ବେଳେ ଆଉ କେତେକ ସମୟରେ ହଠାତ୍ ଗୋଟିଏ ପଟରୁ ଅନ୍ୟ ପଟକୁ ଦୌଡ଼ି ଯାଉଛନ୍ତି। ଏପରି ସ୍ଥିତିରେ ଦ୍ରୁତଗତିରେ ଆସୁଥିବା ଗାଡ଼ି ଚାଳକଙ୍କ ପାଇଁ ହଠାତ୍ ବ୍ରେକ୍ ଲଗାଇବା କିମ୍ବା ଗାଡ଼ିର ଦିଗ ପରିବର୍ତ୍ତନ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ୁଛି। କେବଳ ମୁଖ୍ୟ ରାଜପଥ ନୁହେଁ, ଏହାର ପାର୍ଶ୍ୱରେ ନିର୍ମିତ ସର୍ଭିସ୍ ରୋଡ୍ ଗୁଡ଼ିକରେ ମଧ୍ୟ ଗାଈଗୋରୁଙ୍କ ଉପଦ୍ରବ ବଢ଼ିଚାଲିଛି। ସ୍ଥାନୀୟ ଲୋକଙ୍କ ସହ ଦୁଇଚକିଆ ଓ ଚାରିଚକିଆ ଯାନର ଚାଳକମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସର୍ଭିସ୍ ରୋଡ୍ରେ ଗାଈ କିମ୍ବା ଷଣ୍ଢ ସୋଇ ରହିବା ଯୋଗୁଁ ଗାଡ଼ିଗୁଡ଼ିକୁ ଅନ୍ୟ ପାର୍ଶ୍ୱକୁ ନେବାକୁ ଅସୁବିଧା ହେବାକୁ ପଡ଼ୁଛି। ଏହି ସମୟରେ ହଠାତ୍ ଅନ୍ୟ ଗାଡ଼ି ସାମ୍ନାକୁ ଆସିଲେ ଦୁର୍ଘଟଣାର ଆଶଙ୍କା ବହୁଗୁଣିତ ହେଉଛି। ବିଶେଷକରି ରାତି ସମୟରେ ସମସ୍ୟା ଆହୁରି ଗୁରୁତର ହେଉଛି।

ଅନ୍ଧାରରେ କଳା କିମ୍ବା ଗାଢ଼ ରଙ୍ଗର ଗୋରୁ ଦୂରରୁ ସହଜରେ ଦେଖା ଯାଉନଥିବାରୁ ଚାଳକ ମାନେ ଶେଷ ମୁହୂର୍ତ୍ତରେ ଏମାନଙ୍କୁ ଦେଖି ଅଚାନକ ବ୍ରେକ୍ ଓ ନିୟନ୍ତ୍ରଣ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏହି ସମସ୍ୟାର ମୂଳ କାରଣ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଅନେକ ଗୋପାଳକ ନିଜ ଗାଈଗୋରୁଙ୍କୁ ରାସ୍ତାକୁ ଛାଡ଼ି ଦେଇ ଦାୟିତ୍ୱ ଶେଷ କରିଦେଉଛନ୍ତି। ଗାଈଗୋରୁ କେଉଁଠି ଯାଉଛନ୍ତି, କେଉଁଠି ଚରୁଛନ୍ତି ଏବଂ ରାଜପଥ ଉପରେ ପହଞ୍ଚି ଯାତାୟାତରେ ବାଧା ସୃଷ୍ଟି କରୁଛନ୍ତି କି ନାହିଁ-ଏହା ପ୍ରତି ଅନେକ ଗୋ ପାଳକଙ୍କ ଧ୍ୟାନ ନଥିବା ଅଭିଯୋଗ ହେଉଛି। ପ୍ରଶ୍ନ ହେଉଛି, ଗାଈଗୋରୁଙ୍କୁ ସର୍ବସାଧାରଣ ରାସ୍ତାରେ ଛାଡ଼ି ଦେବା ପରେ ଯଦି କୌଣସି ଦୁର୍ଘଟଣା ଘଟେ, ତେବେ ଏଥିପାଇଁ ଦାୟୀ କିଏ? ଜଣେ ଗୋ ପାଳକଙ୍କ ଅବହେଳାର ମୂଲ୍ୟ ଜଣେ ନିରୀହ ଯାତ୍ରୀଙ୍କୁ ଜୀବନ ଦେଇ ଦେବାକୁ ପଡ଼ିବ କି? ଏଭଳି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ରାସ୍ତାରେ ଗାଈଗୋରୁ ଚଳପ୍ରଚଳ କଲେ ଚାଳକମାନେ ସତର୍କ ରହିବା ଆବଶ୍ୟକ। ହେଲେ ସମଗ୍ର ସମସ୍ୟାର ଦାୟିତ୍ୱ କେବଳ ଚାଳକଙ୍କ ଉପରେ ଛାଡ଼ିଦେଲେ ଏହାର ସମାଧାନ ହେବ ନାହିଁ। ରାଜପଥ ଉପରେ ଅବାଧ ଗୋରୁ ଚଳାଚଳକୁ ରୋକିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ସ୍ଥାନୀୟ ପ୍ରଶାସନ, ପୌର ସଂସ୍ଥା, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗ୍ରାମ ପଞ୍ଚାୟତ ଗୁଡ଼ିକର ସମନ୍ୱିତ ପଦକ୍ଷେପ ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି। ରାଜପଥ କଡ଼ରେ ଆବଶ୍ୟକ ସ୍ଥାନରେ ସୁରକ୍ଷା ବାଡ଼, ଚେତାବନୀ ସୂଚନା ଫଳକ, ଆଲୋକ ବ୍ୟବସ୍ଥା ଓ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା କରାଗଲେ ଗାଈଗୋରୁଙ୍କ ଅବାଧ ପ୍ରବେଶକୁ ଅନେକାଂଶରେ ରୋକାଯାଇପାରିବ। ଏହାସହ ଯେଉଁ ଅଞ୍ଚଳରେ ବାରମ୍ବାର ଏପରି ସମସ୍ୟା ଦେଖାଯାଉଛି, ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିୟମିତ ଗୋପାଳକ ମାନଙ୍କୁ ସଚେତନ କରାଯିବା ଆବଶ୍ୟକ।
ରାଜ୍ୟର ବିଭିନ୍ନ ସହର ଓ ଗ୍ରାମାଞ୍ଚଳ ଦେଇ ଜାତୀୟ ରାଜପଥ ଯାଇଥିବାରୁ ଏହାକୁ କେବଳ ରାଜପଥ କର୍ତ୍ତୃପକ୍ଷର ସମସ୍ୟା ବୋଲି ଏଡ଼ାଇ ଦିଆଯାଇପାରିବ ନାହିଁ। ରାଜପଥ ସଂଲଗ୍ନ ଅଞ୍ଚଳରେ ଗାଈଗୋରୁଙ୍କ ଅବାଧ ଚଳପ୍ରଚଳକୁ ନିୟନ୍ତ୍ରଣ କରିବାରେ ସ୍ଥାନୀୟ ପୌର ସଂସ୍ଥା, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ସ୍ପଷ୍ଟ ଦାୟିତ୍ୱ ଦେବା ସହ ଏଥିପାଇଁ ଉତ୍ତରଦାୟୀ କରିବାର ଆବଶ୍ୟକତା ରହିଛି।
କେବଳ ଦୁର୍ଘଟଣା ଘଟିବା ପରେ ପଦକ୍ଷେପ ନେବା ପରିବର୍ତ୍ତେ ଦୁର୍ଘଟଣା ରୋକିବା ପାଇଁ ପୂର୍ବରୁ ଯୋଜନାବଦ୍ଧ ବ୍ୟବସ୍ଥା କରାଯିବା ଜରୁରୀ। ଗୋପାଳକଙ୍କୁ ସଚେତନ କରିବା, ଅବହେଳା କଲେ ନିୟମାନୁସାରେ ଦାୟିତ୍ୱ ନିର୍ଦ୍ଧାରଣ କରିବା, ରାଜପଥରୁ ଗୋରୁ ହଟାଇବା ପାଇଁ ନିୟମିତ ଅଭିଯାନ ଚଳାଇବା ଏବଂ ଆବଶ୍ୟକ ସ୍ଥାନରେ ସୁରକ୍ଷିତ ଗୋଶାଳା ବା ଆଶ୍ରୟ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ।

ଜାତୀୟ ରାଜପଥ ଉପରେ ଗୋଟିଏ ଗୋରୁର ଉପସ୍ଥିତି ମଧ୍ୟ ଜଣେ ଚାଳକଙ୍କ ପାଇଁ ଜୀବନ-ମୃତ୍ୟୁର ପ୍ରଶ୍ନ ହୋଇପାରେ। ଏକ ଛୋଟ ଭୁଲରୁ ଦୁଇଚକିଆ ଚାଳକ ରାସ୍ତାକୁ ଛିଟିକି ପଡ଼ିପାରନ୍ତି, ଚାରିଚକିଆ ଗାଡ଼ି ନିୟନ୍ତ୍ରଣ ହରାଇପାରେ କିମ୍ବା ପଛରୁ ଆସୁଥିବା ଅନ୍ୟ ଗାଡ଼ି ସହ ଧକ୍କା ହୋଇପାରେ। ଏପରି ଘଟଣାରେ କେବଳ ଗାଈଗୋରୁ ନୁହେଁ, ମଣିଷର ଜୀବନ ମଧ୍ୟ ବିପଦରେ ପଡ଼ୁଛି। ତେଣୁ ୧୬ ନଂ ଜାତୀୟ ରାଜପଥ ସମେତ ରାଜ୍ୟର ସମସ୍ତ ଜାତୀୟ ରାଜପଥରେ ଗାଈଗୋରୁଙ୍କ ଅବାଧ ବିଚରଣ ସମସ୍ୟାକୁ ଗୁରୁତ୍ୱର ସହ ନେବାକୁ ଦାବି ହେଉଛି। ଦୁର୍ଘଟଣା ଘଟିବା ପରେ କ୍ଷତିପୂରଣ କିମ୍ବା ତଦନ୍ତ କରିବା ଅପେକ୍ଷା ଦୁର୍ଘଟଣା ନଘଟିବା ପାଇଁ ଏବେଠାରୁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବା ହିଁ ସମୟର ଆହ୍ୱାନ।
ଜନସାଧାରଣଙ୍କ ପ୍ରଶ୍ନ-ରାଜପଥରେ ମଣିଷର ଜୀବନ ସୁରକ୍ଷିତ ରହିବ କେବେ?



Total Users : 6801