
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୫/୯/୨୬ –
ଆମର ଦାବୀ ଯୋଗୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣାର ଦୀର୍ଘ ସାତ ବର୍ଷ ପରେ ସରକାର ଭଞ୍ଜ ରାଜାଙ୍କ ପୂର୍ବତନ ରାଜଧାନୀ ହରିପୁର ଗଡ଼ ର ବିକାଶ ପାଇଁ ୧୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ତଥା ଆମେ ଏଏସ୍ ଆଇ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ କହୁଛୁ ଏହି କାମକୁ ସୂଚାରୁ ଭାବରେ ଯଥାଶୀଘ୍ର ସମ୍ପନ୍ନ କରିବାକୁ ବୋଲି ବଡ଼ସାହି ନିର୍ବାଚନ ମଣ୍ଡଳୀର ଏକ ଦଳ ସହ ବାଲେଶ୍ବର ବିଜେଡି ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀଙ୍କ ଗତ ଜୁଲାଇ ମାସର ହରିପୁର ଗଡ଼ ଗସ୍ତ ପରେ ଜଣାପଡ଼ିଛି । ଏହାର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ ନେଇ ସେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରିବାର ଦୁଇମାସ ପରେ ୧୮କୋଟି ଟଙ୍କା ବ୍ୟୟବରାଦ ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିବା ପରେ ଖବରଟି ଜିଲ୍ଲାରେ ଖୁସି ଆଣିଛି ।

ଦୀର୍ଘବର୍ଷ ଧରି ମୟୂରଭଞ୍ଜ ଇତିହାସରେ ତଥା ପାଠ୍ୟବହିରେ ଯୋଡିହୋଇ ରହିଛି ବଡ଼ସାହି ବ୍ଲକର ପ୍ରସିଦ୍ଧ ଦୁଇଟି ଐତିହାସିକ ସ୍ଥଳ । ମୟୂରଭଞ୍ଜର ୨ୟ ରାଜଧାନୀ ଭାବେ ପ୍ରସିଦ୍ଧ ରାଜାଗଡ଼, ହରିପୁର ଏବଂ ବାବା କଖାରୁଆ ବୈଦ୍ୟନାଥ ଶିବପୀଠ, ମାଣତ୍ରୀ ପର୍ଯ୍ୟଟନ ମାନ୍ୟତା ମଧ୍ୟ ପାଇଛି । ହରିପୁର ଗଡ଼ର ପାରିପାର୍ଶ୍ବିକ ପରିବେଶ ଓ ପରିସ୍ଥିତି କିନ୍ତୁ କୌଣସି ରାଜନୈତିକ ଦୃଷ୍ଟି ଓ ସରକାରଙ୍କ ନଜର ଉପରେ ସନ୍ଦେହ ସୃଷ୍ଟି କରିଥାଏ ବୋଲି ପର୍ଯ୍ୟଟକ ଓ ଅଞ୍ଚଳବାସୀଙ୍କ ମୁହଁରୁ ଜାଣିବାକୁ ମିଳେ । ମୋଗଲ ଆକ୍ରମଣ ପରେ ୧୪୦୦ ଖ୍ରୀଷ୍ଟଦ୍ଧରେ ତତ୍କାଳୀନ ମହାରାଜା ହରିହର ଭଞ୍ଜ ମୟୂରଭଞ୍ଜର ରାଜଧାନୀ ଖିଚିଂ ଠାରୁ ହରିପୁରକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ ଓ ତାଙ୍କରି ନାମାନୁସାରେ ଗଡ଼ର ନାମକରଣ ହୋଇଥିଲା । ବଡ଼ସାହି ବ୍ଲକରୁ ଏହି ଗଡ଼ର ଦୂରତା ୧୧କିମି ଓ ସଦର ବାରିପଦାରୁ ଦୂରତ୍ୱ ମାତ୍ର ୧୮କିମି ।
ସପ୍ତଦଶ ଶତାବ୍ଦୀ ବେଳକୁ ଭଞ୍ଜମାନେ ହରିପୁର ଗଡରୁ ଯେଉଁ ରାଜ୍ୟକୁ ଶାସନ କଲେ ତାହା ମୟୂରଭଞ୍ଜ ରାଜ୍ୟ ଭାବେ ଖ୍ୟାତ ହୋଇ କ୍ରମେ ଓଡ଼ିଶାର ବୃହତ୍ତମ ଜିଲ୍ଲା ଭାବେ ଜଣା । ଗଡ଼ରେ ଶାକ୍ତ ଓ ଶୈବ ବଦଳରେ ବୈଷ୍ଣବ ଧର୍ମର ଉପାସନା କରି ବୃଷଭ ବଦଳରେ ଜାତୀୟପକ୍ଷୀ ମୟୂରକୁ ବଂଶର ପ୍ରତୀକ ଭାବେ ଗ୍ରହଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ରାଜା ବୈଦ୍ୟନାଥ ଭଞ୍ଜ ପରିବାରର ଗୁରୁ ରସିକାନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାର ପରିସରରେ ରସିକରାୟ ମନ୍ଦିର ନିର୍ମାଣ କରିଥିଲେ । ଖୁବ ପତଳା ନାଲି ଇଟାରେ ଗୌଡିୟ ଶୈଳୀରେ ନିର୍ମିତ ଏହି ମନ୍ଦିର ଆଜି ମଧ୍ୟ ଓଡ଼ିଶାର ଅଦ୍ଵିତୀୟ କୀର୍ତ୍ତିମାନ ଭଳି ଦଣ୍ଡାୟମାନ । ପୁଣି ରସିକରାୟ ମନ୍ଦିର ନିକଟରେ ରାଣୀହଂସପୁର ଓ ଦକ୍ଷିଣ ପଶ୍ଚିମରେ ଥିବା ଆକର୍ଷଣୀୟ ସ୍ନାନାଗାର ଓ ଶୟନକକ୍ଷର ଭଗ୍ନାବଶେଷ ତଥା ମନ୍ଦିରରେ ନିର୍ମିତ ପୁରାଣ ବର୍ଣ୍ଣିତ କୃଷ୍ଣାଲୀଳା ଖୋଦେଇ ଚିତ୍ର ଏବଂ ବିଶାଳସ୍ତମ୍ଭ ପ୍ରଭୃତି ଭଞ୍ଜ ରାଜାମାନଙ୍କର କଳା ପ୍ରତି ରହିଥିବା ଦୁର୍ବଳତାର ପରିଚୟ ଦିଏ । ଅନ୍ୟତମ ଦୃଷ୍ଟି ଆକର୍ଷଣ କରେ ପାଖରେ ଥିବା ରାଧାମୋହନ ମନ୍ଦିର ଓ ଗୌଡିୟ ଶୈଳୀରେ ନିର୍ମିତ ଜଗନ୍ନାଥ ମନ୍ଦିର ତଥା ଗଡ଼ର ଭଗ୍ନାବଶେଷ । ରସିକରାୟ ମନ୍ଦିର ଦକ୍ଷିଣପୂର୍ବରେ ଥିବା ଜଗନ୍ନାଥ ମନ୍ଦିର ବାହ୍ୟଶତ୍ରୁଙ୍କ ଆକ୍ରମଣରେ ଧ୍ବଂସ ହୋଇଯାଇଥିବା ବେଳେ ରସିକରାୟ ମନ୍ଦିରର ଗର୍ଭଗୃହ, ନାଟମନ୍ଦିର, ଜଗମୋହନ ଓ ମୁଖଶାଳା ମଧ୍ୟ ଧ୍ବଂସ ପାଇଯାଇଛି । ତେବେ ନିକଟ ପ୍ରତାପପୁର ଜଗନ୍ନାଥ ମନ୍ଦିରକୁ ରାଜା ହରିହର ଭଞ୍ଜ ନିର୍ମାଣ କରିଥିଲେ ।

କିଛିବର୍ଷ ପୂର୍ବରୁ ଆର୍କଲୋଜିକାଲ ବିଭାଗ ତରଫରୁ ମାଟିରେ ପୋତି ରହିଥିବା ଗଡ଼ର ସ୍ବଳ୍ପ ପୁନରୁଦ୍ଧାର କାର୍ଯ୍ୟରୁ ରାଣୀହଂସପୁରୀ ଗୁମ୍ଫା, ଦରବାର ହଲ, ତେଲଗୁ ଗେଟ ଭଳି ଅନ୍ୟ କେତେକ ଐତିହାସିକ ତଥ୍ୟ ଜାଣିବାକୁ ମିଳେ । ମୟୂରଭଞ୍ଜ ମିରର ନାମକ ଏକ ସଙ୍ଗଠନ ଏଭଳି ହେରିଟେଜ ବାବଦରେ ନୂତନ ଯୁବ ପିଢୀଙ୍କୁ ସୂଚନା ପ୍ରଦାନ କରି ସେମାନଙ୍କୁ ଏ ଦିଗରେ ବିଭିନ୍ନ ସ୍ଥଳ ପରିଦର୍ଶନ ପୂର୍ବକ ଆକୃଷ୍ଟ କରି ଜିଲ୍ଲା କୀର୍ତ୍ତିରାଜୀକୁ ଚର୍ଚ୍ଚାକୁ ଆଣିବା ଏକ ଗୌରବ କଥା ।
ତେବେ ଗଡ଼ ନିକଟସ୍ଥ ତଥା ହରିପୁର ଗ୍ରାମରେ ରହଣି ସମୟରେ ୨୦୧୮ ଏପ୍ରିଲ ୨୯ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗଡ଼ ରକ୍ଷଣାବେକ୍ଷଣ ଓ ପୁନାରୁଦ୍ଧାର ଅଭିଯୋଗରେ ତଥା ୨୦୧୯ ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରିପଦା ଆଗମନରେ ଗଡ଼ର ପୁନାରୁଦ୍ଧାର ଓ ସଂରକ୍ଷଣ ପାଇଁ ୪୦ଲକ୍ଷ ଟଙ୍କାର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ହେଁ ତାହା ଆଜିବି ସେତିକିରେ ହିଁ ସୀମିତ ରହିଥିବା ନେଇ ଅଞ୍ଚଳବାସୀଙ୍କ ମତରୁ ଜଣାପଡେ । ଏବେମଧ୍ୟ ପାରିପାର୍ଶ୍ବିକ ପରିବେଶରୁ ଗଡ଼ ମଧ୍ୟରେ ଗୋରୁଗାଈଙ୍କ ପ୍ରବେଶ ଓ ଅସାମାଜିକ କାର୍ଯ୍ୟ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରୁଛନ୍ତି । ଏଣୁ ଏବେ ମଞ୍ଜୁର ହୋଇଥିବା ଏହି ୧୮କୋଟି କେମିତି ସଠିକ କାର୍ଯ୍ୟରେ ବିନିଯୋଗ ହେଉଛି ଏବଂ କେମିତି ପୁନାରୁଦ୍ଧାର କାମ କେମିତି ହେବ ଓ କିଏ ଏହି କାର୍ଯ୍ୟ ଦାୟିତ୍ୱ ନେଇ ଅର୍ଥର ସଠିକ ବିନିଯୋଗ କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି ଜିଲ୍ଲା ବୁଦ୍ଧିଜୀବୀ, ବଡ଼ସାହି ନିର୍ବାଚନ ମଣ୍ଡଳୀ ତଥା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି । ମୟୂରଭଞ୍ଜରେ ଦୀର୍ଘଦିନର ପର୍ଯ୍ୟଟନ ବିକାଶ ଦାବି ନେଇ ପରିବର୍ତ୍ତନ ଆଶାରେ ରହିଥିବା ଜିଲ୍ଲାବାସୀ ଆଗାମୀ କିଛି ମାସ ପରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ ଏହାର ଜବାବ ମିଳିବ ବୋଲି ବିଭିନ୍ନ ମତ ଦେଉଥିବାର ଜାଣିବାକୁ ମିଳୁଛି



Total Users : 6779