ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:
କେନ୍ଦୁଝର,୮/୯,ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ କେନ୍ଦୁଝର ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଆଜି ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝରଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ସମାଜର ପ୍ରତ୍ୟେକ ନାଗରିକଙ୍କୁ ସାକ୍ଷର କରିବା ଏବଂ “ସମସ୍ତଙ୍କ ପାଇଁ ଶିକ୍ଷା”ର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମର ଶୁଭାରମ୍ଭରେ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଏକ ବିଶାଳ ସାକ୍ଷରତା ସଚେତନତା ରାଲି ବାହାରିଥିଲା। ରାଲିରେ ସ୍ୱତନ୍ତ୍ର ପ୍ରଚାର ଯାନ ସହିତ ମାଇକ୍ ମାଧ୍ୟମରେ ସାକ୍ଷରତା ସମ୍ପର୍କିତ ସଚେତନତା ବାର୍ତ୍ତା, ପ୍ରେରଣାଦାୟକ ଗୀତ ଓ ସ୍ଲୋଗାନ ପ୍ରଚାର କରାଯାଇଥିଲା। ରାଲି ମାଧ୍ୟମରେ ନିରକ୍ଷରତା ବିରୋଧରେ ସଚେତନତା ସୃଷ୍ଟି କରିବା ସହ ସାକ୍ଷରତାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ୱାନ କରାଯାଇଥିଲା।

ଏହି ରାଲି ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟ ୪୦୦ ଜଣ ଅଂଶଗ୍ରହଣ କରିଥିଲେ। ପଞ୍ଚାୟତିରାଜ ପ୍ରତିନିଧି, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷକ-ଶିକ୍ଷୟିତ୍ରୀ, ULLAS (ଉଲ୍ଲାସ) ( ସମାଜରେ ସମସ୍ତଙ୍କ ପାଇଁ ଆଜୀବନ ଶିକ୍ଷା) କାର୍ଯ୍ୟକ୍ରମ ଅଧୀନରେ ସାକ୍ଷର ହୋଇଥିବା ନବସାକ୍ଷର ଏବଂ ନିରକ୍ଷର ବ୍ୟକ୍ତିମାନେ ଏଥିରେ ଉତ୍ସାହର ସହ ଯୋଗଦେଇଥିଲେ।
ରାଲି ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିହାଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ସମ୍ମାନିତ ଅତିଥି ଭାବେ ସମସ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ (ସଦର), ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝର ଉପସ୍ଥିତ ଥିଲେ।ସଭାର ପ୍ରାରମ୍ଭରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ପରମେଶ୍ୱର ମହାନ୍ତ ସ୍ୱାଗତ ଓ ଉଦ୍ଘାଟନୀ ଭାଷଣ ପ୍ରଦାନ କରି ସାକ୍ଷରତାର ଗୁରୁତ୍ୱ,ULLAS(ଉଲ୍ଲାସ)କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ସମାଜରୁ ନିରକ୍ଷରତା ଦୂର କରିବାରେ ସମସ୍ତଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ପରବର୍ତ୍ତୀ ସମୟରେ ମଞ୍ଚାସୀନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ପ୍ରତିଷ୍ଠା), ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଯୋଜନା) ଏବଂ ବ୍ଲକ ଶିକ୍ଷା ଅଧିକାରୀ (ସଦର) ନିଜ ନିଜ ଅଭିଭାଷଣ ମାଧ୍ୟମରେ ULLAS(ଉଲ୍ଲାସ) କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ପ୍ରାପ୍ତି ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସାକ୍ଷରତାକୁ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ଭାବେ ନ ଦେଖି ଏହାକୁ ଏକ ସାମାଜିକ ଦାୟିତ୍ୱ ଓ ଜନଆନ୍ଦୋଳନ ଭାବେ ଗ୍ରହଣ କରିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।ଏହି ଅବସରରେ ULLAS (ଉଲ୍ଲାସ) କାର୍ଯ୍ୟକ୍ରମ ଅଧୀନରେ ଏଫ୍.ଏଲ୍.ଏନ୍.ଏ.ଟି ( ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆକଳନ ପରୀକ୍ଷା) ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ନିକଟରେ ନବସାକ୍ଷର ହୋଇଥିବା ବ୍ୟକ୍ତିମାନଙ୍କୁ ବିଶେଷ ଭାବେ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା। ସେମାନଙ୍କର ଏହି ସଫଳତାକୁ ସଭାରେ ଉପସ୍ଥିତ ସମସ୍ତେ ପ୍ରଶଂସା କରିବା ସହ ଅନ୍ୟ ନିରକ୍ଷର ବ୍ୟକ୍ତିମାନଙ୍କୁ ମଧ୍ୟ ଶିକ୍ଷାର ମୁଖ୍ୟଧାରାରେ ସାମିଲ ହେବାକୁ ପ୍ରେରଣା ଦିଆଯାଇଥିଲା। ନବ ସାକ୍ଷରମାନଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ଭାବେ ପରିଗଣିତ ହୋଇଥିଲା।

ସଭାକୁ ଶ୍ରୀ ମାନସ ରଞ୍ଜନ ମିଶ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ସଦର ଏବଂ ଶ୍ରୀ ତାରଣୀସେନ ମୁଣ୍ଡା, ସଦର, ଜିଲ୍ଲାର ଅନେକ ପ୍ରଧାନ ଶିକ୍ଷକଙ୍କ ସହଯୋଗରେ ସୁଚାରୁ ଭାବେ ପରିଚାଳନା କରାଯାଇଥିଲା। ବିଶେଷ ଭାବରେ ଶ୍ରୀ କପିଳଚନ୍ଦ୍ର ଦାଶ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ସଦର ସଭାର ସଞ୍ଚାଳନା କରି କାର୍ଯ୍ୟକ୍ରମକୁ ସୁନ୍ଦର ଓ ଆକର୍ଷଣୀୟ ଭାବେ ଆଗେଇ ନେଇଥିଲେ।ସଭା ଶେଷରେ ଆୟୋଜିତ ଏକ ସ୍ୱତନ୍ତ୍ର ସାକ୍ଷରତା ପଞ୍ଜୀକରଣ ଓ ଓରିଏଣ୍ଟେସନ୍ ଶିବିରରେ ଉପସ୍ଥିତ ନିରକ୍ଷର ବ୍ୟକ୍ତିମାନଙ୍କର ନାମ ପଞ୍ଜୀକରଣ କରାଯାଇଥିଲା। ସେମାନଙ୍କୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆବଶ୍ୟକୀୟ ସୂଚନା ଓ ମାର୍ଗଦର୍ଶନ ପ୍ରଦାନ କରାଯିବା ସହ ସାକ୍ଷରତା ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ପ୍ରେରିତ କରାଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମ ମାଧ୍ୟମରେ “ସାକ୍ଷରତା କେବଳ ଅକ୍ଷର ଜ୍ଞାନ ନୁହେଁ, ଏହା ସଶକ୍ତିକରଣର ମୂଳ ଆଧାର” ବୋଲି ଏକ ଦୃଢ଼ ସାମାଜିକ ବାର୍ତ୍ତା ପ୍ରଦାନ କରାଯାଇଥିଲା। କେନ୍ଦୁଝର ଜିଲ୍ଲାକୁ ନିରକ୍ଷରତାମୁକ୍ତ କରିବା ଦିଗରେ ପ୍ରଶାସନ, ଶିକ୍ଷା ବିଭାଗ, ପଞ୍ଚାୟତିରାଜ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷକ ସମାଜ ଓ ସାଧାରଣ ଜନତାଙ୍କର ସମନ୍ୱିତ ପ୍ରୟାସ ଜାରି ରଖିବାକୁ ସାମୂହିକ ସଂକଳ୍ପ ନିଆଯାଇଥିଲା।ଆଜିର ଏହି ଜିଲ୍ଲାସ୍ତରୀୟ ଆୟୋଜନ ସାକ୍ଷରତାର ଆଲୋକକୁ ସମାଜର ଶେଷ ସ୍ତରର ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ଏହି ଅଭିଯାନକୁ ଏକ ସଶକ୍ତ ଜନଆନ୍ଦୋଳନରେ ପରିଣତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଛି।



Total Users : 6769