ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ /ଖୋର୍ଦ୍ଧା:
ଦେଶୀ ମଦର ପ୍ରାଦୁର୍ଭାବରେ କ୍ରମଶଃ ଉଜୁଡ଼ି ଯାଉଛି ହସଖୁସିର ପରିବାର। ଲିଭିଯାଉଛି ମଥାର ସିନ୍ଦୂର ଏବଂ ହଜିଯାଉଛି ପାରିବାରିକ ଶାନ୍ତି। ଅକାଳରେ ଝରିଯାଉଛି ଅନେକ ଅମୂଲ୍ୟ ଜୀବନ। ସକାଳ ପାହିଲେ ଶ୍ରମଜୀବୀ ଓ ଯୁବପିଢ଼ି କାମଧନ୍ଦାକୁ ଯିବା ପରିବର୍ତ୍ତେ ମଦ ଦୋକାନ ଆଡ଼କୁ ମୁହାଁଉଛନ୍ତି। ମଦ୍ୟପାନକରି ନିଶାରେ ସବୁକିଛି ଭୁଲିଯାଇ ଘରୋଇ କଳି, ମାର୍ପିଟ୍, ଚୋରି, ଡକାୟତି ଏପରିକି ଜଘନ୍ୟ ଅପରାଧମୂଳକ କାର୍ଯ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।

ଏସବୁ ଅଘଟଣ ପଛରେ କେବଳ ମଦର କୁପ୍ରଭାବ ମୁଖ୍ୟ କାରଣ ସାଜିଛି। ଘରେ ଘରେ ବେଆଇନ୍ ମଦ କାରବାର ବର୍ତ୍ତମାନ ସ୍ଥିତି ଏପରି ହେଲାଣି ଯେ, କେବଳ ମଦ ଦୋକାନରେ ନୁହେଁ, ବରଂ ସାହି ଗଳି କନ୍ଦି, ପାନ ଦୋକାନ, ରାସନ ଦୋକାନ, ଫାଷ୍ଟଫୁଡ୍ ଦୋକାନ ଏପରିକି ଲୋକେ ନିଜ ଘରେ ରହି ମଧ୍ୟ ବେଆଇନ୍ ଭାବେ ଦେଶୀ ମଦ ବିକ୍ରି କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି।
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଥାନା ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଚୋରା ମଦ ବେପାରୀ ଖୋଲlଖୋଲି ଭାବେ ଏହି ବେଆଇନ୍ କାରବାର ଚଳାଇଛନ୍ତି। ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ସବୁକିଛି ଜାଣିଶୁଣି ମଧ୍ୟ ଦେଖି ନ ଦେଖିଲା ଭଳି ଅଭିନୟ କରୁଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନର ନୀରବତା ପଛର ପ୍ରକୃତ କାରଣ କ’ଣ, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଚିନ୍ତାଜନକ ସ୍ଥିତିରେ ଏହିସବୁ ଅଞ୍ଚଳଗୁଡ଼ିକରେ ବ୍ୟାପକ ଭାବେ ଦେଶୀ ମଦ ବିକ୍ରି ହେଉଥିବା ଚାନ୍ଦପୁର ବାଇପାସ୍, କେରଣ୍ଡାଟାଙ୍ଗୀ,ଜଙ୍କିଆ,ମୟୂରଝାଲିଆ,ରାହିପଡ଼ା,ଅର୍ଜ୍ଜୁନପୁର ,ପଟିଆ,କୁକୁଡ଼ାଝରି ରୋଡ୍, ଇତ୍ୟାଦି ସ୍ଥନରେ ବିକ୍ରି ହେଉଥିବା ନେଇ ସୂଚନା ମିଳିଛି ।
ଯୁବପିଢ଼ିକୁ ଏହି ମରଣାନ୍ତକ ନିଶାରୁ ରକ୍ଷା କରିବା ପାଇଁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି ।



Total Users : 6801