
ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋର୍ଦ୍ଧା:
ପ୍ରମୁଖ ଚିକିତ୍ସା କେନ୍ଦ୍ର ଭାବେ ପରିଚିତ ଗୋପବନ୍ଧୁ ଜିଲ୍ଲା ଚିକିତ୍ସାଳୟରେ ରୋଗୀସେବା ଓ ବିଭିନ୍ନ ମୌଳିକ ସୁବିଧାକୁ ନେଇ ଅଭିଯୋଗ ଉଠିଛି । ଦୈନିକ ଶହ ଶହ ରୋଗୀ ମହିଳା ଓ ଦିବ୍ୟାଙ୍ଗ ରୋଗୀମାନେ ଅଧିକ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଚର୍ମ, ଦନ୍ତ ଓ ଇଏନ୍ଟି ବିଭାଗରେ ଅଧୁକ ରୋଗୀଙ୍କ ଭିଡ଼ ହେଉଥୁବାରୁ ସ୍ଥlନାଭାବ ଦେଖାଦେଉଛି। ରୋଗୀଙ୍କ ସଂଖ୍ୟା ତୁଳନାରେ ପରିମଳ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା ବଢ଼ାଉଛି ଚିନ୍ତା l ଏଠାକୁ ଚିକିତ୍ସା ପାଇଁ ଆସୁଥିବାବେଳେ ହସ୍ପିଟାଲ୍ର କିଛି ବ୍ୟବସ୍ଥା ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ନେଇ ତର୍କ ହେଉଛି। ରୋଗୀ ଓ ସମ୍ପର୍କୀୟଙ୍କ କହିବାନୁଯାୟୀ, ନିରାମୟ ଏବଂ ପଞ୍ଜିକରଣ କେନ୍ଦ୍ର ନିକଟରେ ଥିବା ମୁଖ୍ୟ ଫାଟକ ଗତ ଦୁଇ ଦିନ ଧରି ବନ୍ଦ ରହିଛି । ଏଥିଯୋଗୁ ରୋଗୀଙ୍କ ଯାତାୟାତରେ ଅସୁବିଧା ହେଉଛି। ବିଶେଷକରି ବୟସ୍କ ରୋଗୀମାନେ।

ଅପେକ୍ଷା କରିବା ପାଇଁ ସ୍ଥାନ କମ୍ ଥିବାରୁ ଦୀର୍ଘ ସମୟ ଧରି ରୋଗୀ ଓ ସମ୍ପର୍କୀୟମାନେ ଭିଡ଼ ମଧ୍ୟରେ ଅପେକ୍ଷା କରୁଥିବା ଅଭିଯୋଗ ରହିଛି ।ପାର୍କିଂ ବ୍ୟବସ୍ଥାକୁ ନେଇ ମଧ୍ୟ ସମାନ ଅଭିଯୋଗ ଆସିଛି ।ପାର୍କିଂ ପାଇଁ ଜାଗା ଥିଲେ ମଧ୍ୟ ପାଣି ଜମୁଥିବା କାରଣରୁ ଗାଡ଼ିଗୁଡ଼ିକ ବିଭିନ୍ନ ବିଭାଗ ସମ୍ମୁଖରେ ରଖାଯାଉଛି। ଫଳରେ ହସ୍ପିଟାଲ୍ ପରିସରରେ ଅନାବଶ୍ୟକ।

ଭିଡ଼ ସୃଷ୍ଟି ହେବାସହ ଜରୁରୀ ଯାନବାହନ ଚଳାଚଳରେ ସମସ୍ୟା ହେବାର ଆଶଙ୍କା ରହିଛି।ସେହିପରି ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତର ଉପଲବ୍ଧତାକୁ ନେଇ ଆସିଥିବା ଅଭିଯୋଗ ମଧ୍ୟ ଚିନ୍ତା ବଢ଼ାଇଛି। ଆବଶ୍ୟକ ସମୟରେ ରକ୍ତ ନମିଳିଲେ ନିୟମିତ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କ ପରିବାର
ଉପରେ ଅତିରିକ୍ତ ଚାପ ପଡୁଥିବା କୁହାଯାଉଛି। ଏ ଦିଗରେ ହସ୍ପିଟାଲ୍ ପ୍ରଶାସନ ପକ୍ଷରୁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଅନ୍ୟପଟେ ହସ୍ପିଟାଲ୍ର ବିଭିନ୍ନ ମହଲାର ଟୟଲେଟ୍ ପରିମଳକୁ ନେଇ ମଧ୍ୟ ଅସନ୍ତୋଷ ରହିଛି। ଟୟଲେଟ୍ ଗୁଡ଼ିକରେ ନିୟମିତ ସଫେଇ ଏବଂ ଆବଶ୍ୟକ ଜୀବାଣୁନାଶକ ବ୍ୟବହାର ହେଉନଥିବା ନେଇ ଅଭିଯୋଗ ହୋଇଛି।ଆଇସିୟୁ ନିକଟସ୍ଥ ଟୟଲେଟ୍ର ପରିମଳକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିବାରୁ ଏହାକୁ ଗୁରୁତ୍ୱର ସହ ନେବାକୁ ଦାବି ହୋଇଛି।ରୋଗୀଙ୍କ ଅଭିଯୋଗ ଅନୁସାରେ, ହସ୍ପିଟାଲ୍ର ସଫେଇ ବ୍ୟବସ୍ଥାର ନିୟମିତ ତଦାରଖ ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟ ଉପରେ ଦେଖାଶୁଣା କରିବା ଆବଶ୍ୟକ। ଏଥିସହ ପାର୍କିଂ ସ୍ଥାନରୁ ପାଣି ନିଷ୍କାସନ, ବନ୍ଦ ଥିବା ଫାଟକ ଖୋଲିବା ଓ ଭିଡ଼ ହେଉଥିବା ବିଭାଗରେ ଅଧିକ ସୁବିଧା କରିବା ନେଇ ପଦକ୍ଷେପ ଆବଶ୍ୟକ ବୋଲି ରୋଗୀଙ୍କ ସମ୍ପର୍କୀୟମାନେ ମତ ଦେଇଛନ୍ତି । ତେବେ ଏସବୁ ଅଭିଯୋଗର ବାସ୍ତବତା କେତେ ଏବଂ ଏହାର ସମାଧାନ ପାଇଁ ହସ୍ପିଟାଲ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ସ୍ପଷ୍ଟ ହେବା ଆବଶ୍ୟକ। ଅଭିଯୋଗଗୁଡ଼ିକ ଉପରେ ତଦନ୍ତ କରି ରୋଗୀଙ୍କୁ ଉନ୍ନତ ଓ ସୁବିଧାଜନକ ସେବା ଯୋଗାଇବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।



Total Users : 6801