ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:
ଯେଉଁ ଦିନଠାରୁ ବରଗଡ଼ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ (ଏସପି) ଭାବେ ରବୀନ୍ଦ୍ର ନାଥ ଶତପଥୀ ଦାୟିତ୍ୱ ଗ୍ରହଣ କରିଛନ୍ତି, ସେହି ଦିନଠାରୁ ଜିଲ୍ଲାରେ ଅପରାଧ ଓ ନିଶା କାରବାର ବିରୋଧରେ ଏକ ବ୍ୟାପକ ଏବଂ ନିରନ୍ତର ଅଭିଯାନ ଆରମ୍ଭ ହୋଇଛି। ଦାୟିତ୍ୱ ନେବା ମାତ୍ରେ ସେ ସ୍ପଷ୍ଟ କରିଦେଇଥିଲେ ଯେ ଅପରାଧୀ ଏବଂ ନିଶା କାରବାରୀଙ୍କ ପାଇଁ ବରଗଡ଼ ଜିଲ୍ଲାରେ କୌଣସି ସ୍ଥାନ ନାହିଁ। ତାଙ୍କର ଏହି ବାର୍ତ୍ତା କେବଳ କଥାରେ ସୀମିତ ରହିନଥିଲା ବରଂ ଲଗାତାର ଚଢ଼ାଉ, ଗିରଫଦାରୀ ଓ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ତାହାର ପ୍ରମାଣ ମଧ୍ୟ ଦେଖିବାକୁ ମିଳିଛି।

ଶୂନ୍ୟ ସହନଶୀଳତା (Zero Tolerance) ନୀତିକୁ ଆଧାର କରି ବରଗଡ଼ ପୁଲିସ ଅବୈଧ ମଦ, କୋରେକ୍ସ, ଗଞ୍ଜେଇ, ଟାବଲେଟ,ଇଞ୍ଜେକସନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ପଦକ୍ଷେପ ନେଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରେ ବହୁ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଛି। ଫଳସ୍ୱରୂପ ନିଶା କାରବାର ସହ ଜଡ଼ିତ ଅସାମାଜିକ ତତ୍ତ୍ୱମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ଯୁବପିଢ଼ିଙ୍କୁ ନିଶାର କବଳରୁ ରକ୍ଷା କରିବା ଏବଂ ସମାଜକୁ ଏକ ସୁସ୍ଥ ଦିଗ ଦେବା ପାଇଁ ଏସପି ଶତପଥୀଙ୍କ ଏହି ଅଭିଯାନ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍ ପ୍ରଶଂସା ସାଉଁଟିଛି।

ନିଶା କାରବାର ଯେ କେବଳ ଏକ ଅପରାଧ ନୁହେଁ ବରଂ ଏହା ସମାଜର ଭବିଷ୍ୟତ ପାଇଁ ଏକ ବଡ଼ ବିପଦ ବୋଲି ପୁଲିସ ପ୍ରଶାସନ ଉପଲବ୍ଧି କରିଥିବାରୁ ଏହା ବିରୋଧରେ ଲଢ଼େଇକୁ ଅଧିକ ତୀବ୍ର କରାଯାଇଛି। କେବଳ ନିଶା କାରବାର ନୁହେଁ, ଜିଲ୍ଲାରେ ଚୋରି, ଲୁଟ, ଅସାମାଜିକ କାର୍ଯ୍ୟକଳାପ ଓ ଅନ୍ୟାନ୍ୟ ଅପରାଧ ଉପରେ ମଧ୍ୟ ପୁଲିସର କଡ଼ା ନଜର ରହିଛି। ଫଳରେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆସିଥିବାବେଳେ ସାଧାରଣ ଲୋକଙ୍କ ମନରେ ସୁରକ୍ଷାର ଭାବନା ଆହୁରି ଦୃଢ଼ ହୋଇଛି। ରବୀନ୍ଦ୍ର ନାଥ ଶତପଥୀଙ୍କ ଦୃଢ଼ ନେତୃତ୍ୱ, ସଚେତନତା ଓ ଅପରାଧ ବିରୋଧୀ ମନୋଭାବ ଯୋଗୁଁ ଆଜି ବରଗଡ଼ ପୁଲିସ ଏକ ସକ୍ରିୟ ଓ ଜନମୁଖୀ ପୁଲିସ ବାହିନୀ ଭାବେ ପରିଚିତ ହେଉଛି। ଅପରାଧୀଙ୍କ ପାଇଁ ସେ ଯେଉଁଠାରେ ଭୟର ପ୍ରତୀକ ପାଲଟିଛନ୍ତି, ସେହିଠାରେ ସାଧାରଣ ଲୋକଙ୍କ ପାଇଁ ଭରସା ଓ ବିଶ୍ୱାସର ଏକ ନାମ ହୋଇଉଠିଛନ୍ତି।



Total Users : 6769