Headlines

କାଲିମେଳା:ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ୩୨୬ ନଂ ଜାତୀୟ ରାଜପଥର ଏମଭି-୯୦ ତେଲରାଇ ମଧ୍ୟଭାଗ ମୋଡ଼ ନିକଟରେ ସୋମବାର ସକାଳ ପ୍ରାୟ ୧୧ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ତେଲ ଡ୍ରମ୍ ବୋଝେଇ ଡାଲା ଅଟୋ ସହିତ ବାଇକ୍ ର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ମୃତ ନାବାଳକ ଜଣକ ପଡିଆ ଥାନା ଅନ୍ତର୍ଗତ ଏମପିଭି-୬୬ ଗ୍ରାମର ସୁମଙ୍ଗଲ ଚୌଧୁରୀଙ୍କ ପୁଅ ଯାମିନୀ ଚୌଧୁରୀ (୧୫) ବୋଲି ଜଣାପଡିଛି । ବାଇକ୍ ରେ ଥିବା ଅନ୍ୟ ଯୁବକ ସେହି ଗ୍ରାମର ଉତ୍ତମ ବିଶ୍ୱାସଙ୍କ ପୁଅ ରୋହିତ ବିଶ୍ୱାସ (୨୨) ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଯାମିନୀ ଓ ରୋହିତ ବାଇକ୍ ଯୋଗେ କାଲିମେଳା ପଟୁ ଏମଭି-୭୯ ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ତେଲ ବୋଝେଇ ଡାଲା ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ଅଟୋ ଓ ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଛି ଏବଂ ଅଟୋରେ ଥିବା ତେଲ ଡ୍ରମ୍ ଗୁଡିକ ରାସ୍ତା ଉପରେ ପଡି ରହିଥିଲା ।

ଖବର ପାଇ ଏମଭି-୭୯ ପୋଲିସ ଓ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଟୋ ଓ ବାଇକ୍ କୁ ଜବତ କରିଛି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏମଭି -୭୯ ଥାନା ଅଧିକାରିଣୀ ପୂର୍ଣ୍ଣିମା ଟେଟେଙ୍କ ଉପସ୍ଥିତିରେ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *