ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା:
ବ୍ରଜରାଜନଗର, 28/8/2026 : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ପରିଚିତ ସାମାଜିକ କର୍ମୀ ରବି ସୋନିଙ୍କ ନିଖୋଜ ଘଟଣାର ଦୁଃଖଦ ଅବସାନ ଘଟିଛି l ଇବ ନଦୀର ଓପିଏମ୍ ଘାଟ ନିକଟରୁ ଶୁକ୍ରବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି l ରବିଙ୍କ ଅକାଳ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପରିବାର, ପରିଚିତ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି l

ସୂଚନା ଅନୁସାରେ, ଗତ ବୁଧବାର ସନ୍ଧ୍ୟାରୁ ରବି ନିଖୋଜ ଥିଲେ l ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ସନ୍ଧାନ ନ ମିଳିବାରୁ ପରିବାର ପକ୍ଷରୁ ବ୍ରଜରାଜନଗର ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା l ପରିବାର ଓ ପରିଚିତମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ଓପିଏମ୍ ଘାଟ ନିକଟରୁ ରବିଙ୍କ ସ୍କୁଟି ଓ ଚପଲ ମିଳିଥିଲା l ଏହା ପରେ ସେ ଇବ ନଦୀ ନିକଟକୁ ଯାଇଥିବା ନେଇ ଆଶଙ୍କା ବଢ଼ିଥିଲା l ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ଓପିଏମ୍ ଘାଟରେ ପହଞ୍ଚି ନଦୀରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ l ଦୀର୍ଘ ସମୟ ଧରି ତଲାସୀ ଜାରି ରହିବା ପରେ ଶେଷରେ ଆଜି ନଦୀରୁ ରବିଙ୍କ ମୃତଦେହ ଉଦ୍ଧାର ହୋଇଥିଲା l ରବି ସୋନି ଅଞ୍ଚଳରେ ଜଣେ ସକ୍ରିୟ ସାମାଜିକ କର୍ମୀ ଭାବେ ପରିଚିତ ଥିଲେ l ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ତାଙ୍କ ସକ୍ରିୟ ଭୂମିକା ଯୋଗୁଁ ସେ ଅଞ୍ଚଳର ବହୁ ଲୋକଙ୍କ ସହ ଘନିଷ୍ଠ ଭାବେ ଜଡ଼ିତ ଥିଲେ l ତାଙ୍କ ଅକାଳ ବିୟୋଗରେ ବ୍ରଜରାଜନଗର ଅଞ୍ଚଳର ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି l ଏପର୍ଯ୍ୟନ୍ତ ରବିଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ l ସେ କେଉଁ ପରିସ୍ଥିତିରେ ଇବ ନଦୀ ନିକଟକୁ ଯାଇଥିଲେ ଏବଂ ନଦୀରେ କିପରି ପଡ଼ିଲେ, ତାହା ତଦନ୍ତର ପ୍ରମୁଖ ବିଷୟ ପାଲଟିଛି l ଏହା ଦୁର୍ଘଟଣାଜନିତ ଘଟଣା ଥିଲା କି ଅନ୍ୟ କୌଣସି କାରଣ ରହିଛି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ l ରବିଙ୍କ ମୃତଦେହକୁ ପୁଲିସ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଥିବା ଜଣାପଡ଼ିଛି l ପୋଷ୍ଟମର୍ଟମ୍ ରିପୋର୍ଟ, ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଏବଂ ପରିବାର ସଦସ୍ୟଙ୍କ ବୟାନକୁ ଆଧାର କରି ପୁଲିସ ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରୁଛି l ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ଘଟଣାର ପ୍ରକୃତ ପୃଷ୍ଠଭୂମି ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି l ଜଣେ ପରିଚିତ ସାମାଜିକ କର୍ମୀଙ୍କ ଏଭଳି ଅକାଳ ବିୟୋଗରେ ରବିଙ୍କ ପରିବାର ଗଭୀର ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ପରିଚିତ ମହଲ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଶୋକର ପରିବେଶ ସୃଷ୍ଟି ହୋଇଛି l




Total Users : 3741