
ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:
ରାୟଗଡ଼ା/ଜେକେପୁର:
ଗଣେଶ ପୂଜାକୁ ନେଇ ଉତ୍ସବମୁଖର ଜେକେପୁର ସହରରେ ଘଟିଛି ଏକ ଅଭାବନୀୟ ଓ ହୃଦୟବିଦାରକ ଘଟଣା। ପୂଜା ପାଇଁ ସାଜସଜ୍ଜା କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଲୁ ରାଜୁ।
ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରସ୍ଥିତ ମନୋରଞ୍ଜନ ପୂଜା କମିଟି ତତ୍ତ୍ୱାବଧାନରେ ଗଣେଶ ପୂଜା ପାଇଁ ସାଜସଜ୍ଜା କାର୍ଯ୍ୟ ଚାଲିଥିଲା। ଏହି ସମୟରେ ତୋରଣ ସଜାଇବା ବେଳେ ଆଲୁ ରାଜୁ ଦୁର୍ଭାଗ୍ୟବଶତଃ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଝଟକାର ଶିକାର ହୋଇଥିଲେ।
ଘଟଣା ପରେ ଉପସ୍ଥିତ ଲୋକମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ରାଜୁଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ସମ୍ପର୍କରେ ଚାନ୍ଦିଲି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଚାନ୍ଦିଲି ଥାନା ଆଇ.ଆଇ.ସି ତପନ କୁମାର ସାହୁ ଘଟଣାର ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି।
ଗଣେଶ ପୂଜା ପାଇଁ ଖୁସି ଓ ଉତ୍ସାହରେ ମାତିଥିବା ଜେକେପୁରବାସୀଙ୍କ ପାଇଁ ଏହି ଅଘଟଣ ଗଭୀର ଦୁଃଖର କାରଣ ପାଲଟିଛି। ଜଣେ ଯୁବକଙ୍କ ଅକାଳ ବିୟୋଗରେ ସମଗ୍ର ଜେକେପୁର ସହରରେ ଶୋକର ଛାୟା ଖେଳିଯାଇଛି।
ବିଦ୍ୟୁତ୍ ତାର ନିକଟରେ ପୂଜାମଣ୍ଡପ ଓ ତୋରଣ ନିର୍ମାଣ ସମୟରେ ଅଧିକ ସତର୍କତା ଏବଂ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନର ଆବଶ୍ୟକତାକୁ ଏହି ଦୁଃଖଦ ଘଟଣା ପୁଣିଥରେ ସାମ୍ନାକୁ ଆଣିଛି।



Total Users : 6776