Headlines

ଚିକିଟୀ: ନାଳ ପାଣିରେ କୁତୁରୁ ଗ୍ରାମବାସୀ ହନ୍ତସନ୍ତ ସାଙ୍ଗକୁ ବର୍ଷା ଋତୁରେ ସ୍ଥିତି ଗମ୍ଭୀର

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ:

ଚିକିଟୀ — ଏହି ବ୍ଲକ ଅନ୍ତର୍ଗତ କୁତୁରୁ ଗ୍ରାମରେ ନାଳ ପାଣିରେ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ଗ୍ରାମର ଡ୍ରେନେଜ୍ ସମସ୍ୟାର ସମାଧାନ ହେଉନାହିଁ। ମାଣ୍ଡିଆ ସାହିଠାରୁ ହନୁମାନ ମନ୍ଦିର ଓ ଗ୍ରାମ ଛକ ପର୍ଯ୍ୟନ୍ତ ରାସ୍ତାରେ ନାଳପାଣି ଜମି ରହିବା ସହ କାଦୁଅ ହେଉଥିବାରୁ ଲୋକେ ଯାତାୟାତରେ ନାନା ଅସୁବିଧା ଭୋଗୁଛନ୍ତି।

ମାଣ୍ଡିଆ ସାହିର ପ୍ରାୟ ୫୦ ପରିବାର ଏଥିରେ ପ୍ରଭାବିତ ହେଉଛନ୍ତି। ରାସ୍ତାର ଅନ୍ୟପାର୍ଶ୍ୱରେ ଡ୍ରେନ୍ ଥିଲେ ମଧ୍ୟ ଠିକ୍ ଭାବେ ଜଳ ନିଷ୍କାସନ ହେଉନାହିଁ। ଡ୍ରେନ୍‌ର ମଧ୍ୟଭାଗ ଉଚ୍ଚ ଓ ଦୁଇପାର୍ଶ୍ୱ ନିଚା ରହିଥିବାରୁ ନାଳପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ବର୍ଷା ଋତୁ ଯୋଗୁଁ ସ୍ଥିତି ଆହୁରି ଗମ୍ଭୀର ହେବା ସହ ଅପରିଚ୍ଛନ୍ନତା ଏବଂ ମଶା ବଂଶବୃଦ୍ଧି ଓ ରୋଗବ୍ୟାଧିର ଆଶଙ୍କା ଦେଖାଦେଇଛି। ସୂଚନା ଅନୁଯାୟୀ, ଡ୍ରେନ୍ ନିର୍ମାଣ ପାଇଁ ୪ ସେପ୍ଟେମ୍ବର ୨୦୨୫ରେ ଜନ ଅଭିଯୋଗ ପୋର୍ଟାଲରେ ୫୬୮୬ ନମ୍ବରରେ ଅଭିଯୋଗ ହୋଇଥିଲା। ପ୍ରକଳ୍ପକୁ ଗ୍ରାମସଭାରେ ସାମିଲ କରି ଜିଲ୍ଲା ପରିଷଦ ଅନୁମୋଦନ ପରେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରାଯିବ ବୋଲି ବ୍ଲକ୍ ପକ୍ଷରୁ କୁହାଯାଇଥିଲା। ଇତିମଧ୍ୟରେ ପ୍ରାୟ ବର୍ଷେ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଯଦି ତୁରନ୍ତ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ସମସ୍ୟାର ସମାଧାନ ନ ହୁଏ ତା ହେଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *