Headlines

ଚିତ୍ରକୋଣ୍ଡା ବ୍ଲକ: କଣ୍ଟାଗୁଡ଼ା ଗ୍ରାମରେ ବିକାଶ ରାସ୍ତାରେ ବାଧକ ସାଜିଛି ସେତୁ, ବର୍ଷାରେ ଗାଁ ଲୋକେ ହନ୍ତସନ୍ତ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୩୦/୦୮/୨୬
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଲେଗାଡ଼ା ପଞ୍ଚାୟତର କଣ୍ଟାଗୁଡ଼ା ଗ୍ରାମ ଆଜି ମଧ୍ୟ ବିକାଶର ମୁଖ୍ୟସ୍ରୋତରେ ପହଁଚି ପାରି ନାହିଁ। ଏହି ଗ୍ରାମରେ ପ୍ରାୟ ୨୫ଟି ପରିବାର ବସବାସ କରୁଥିବା ବେଳେ ଏଠାରେ ଗୋଟିଏ ଭଲ ରାସ୍ତା କିମ୍ବା ସେତୁଟିଏ ଗାଁ ଲୋକଙ୍କ ପାଇଁ ନିର୍ମାଣ ହୋଇପାରିନାହିଁ। ଗୋଟିଏ ଛୋଟ ବ୍ରିଜ୍‌ର ଅଭାବ ଯେପରି ଗ୍ରାମର ବିକାଶ ଯାତ୍ରାକୁ ଅଟକାଇ ଦେଇଛି। ଫଳରେ ସରକାରୀ ଯୋଜନା ଓ ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଖରେ ସଠିକ ଭାବେ ପହଞ୍ଚିପାରୁ ନଥିବା ଜଣାପଡିଛି।
ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଯାତାୟାତ ସମସ୍ୟା ଦେଖା ଦେଇଛି। ଗ୍ରାମକୁ ଯିବା ପାଇଁ ଏକ ସବୁଦିନିଆ ରାସ୍ତା ନଥିବାରୁ ଲୋକମାନେ ନିୟମିତ ଭାବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷା ଋତୁରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ନାଳ ଓ ଝରଣାରେ ଜଳପ୍ରବାହ ବଢ଼ିଲେ ଗ୍ରାମଟି ପ୍ରାୟ ବିଚ୍ଛିନ୍ନ ହୋଇଯାଏ। ଫଳରେ ରୋଗୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବା, ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇବା ଏବଂ ଛାତ୍ରଛାତ୍ରୀଙ୍କ ସ୍କୁଲ ଯାତାୟାତ ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଯାଏ। କେବଳ ଯାତାୟାତ ସମସ୍ୟା ନୁହେଁ, ବ୍ରିଜ୍ ଅଭାବର ପ୍ରଭାବ ଗ୍ରାମର ସମଗ୍ର ବିକାଶ ଉପରେ ପଡ଼ିଛି। ଅଙ୍ଗନବାଡ଼ି କେନ୍ଦ୍ର, ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇଁ ଗ୍ରାମବାସୀ ସଂଘର୍ଷ କରୁଛନ୍ତି। ଯେଉଁଠାରେ ରାସ୍ତା ଓ ଯାତାୟାତ ବ୍ୟବସ୍ଥାକୁ ବିକାଶର ପ୍ରଥମ ପାହାଚ ବୋଲି କୁହାଯାଏ, ସେଠାରେ କଣ୍ଟାଗୁଡ଼ା ଏବେ ମଧ୍ୟ ମୌଳିକ ସୁବିଧା ପାଇଁ ଅପେକ୍ଷାରେ ରହିଛି। ବର୍ଷା ଦିନରେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଯାଏ। ଜଳପ୍ରବାହ ବଢ଼ିଲେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥାଏ। ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଆଣିବା ଠାରୁ ଆରମ୍ଭ କରି ଜରୁରୀ ସ୍ୱାସ୍ଥ୍ୟ ସେବା ପାଇବା ପର୍ଯ୍ୟନ୍ତ ସବୁକିଛି ସମସ୍ୟା ଘେରରେ ରହିଛି। ଅନେକ ସମୟରେ ଜରୁରୀ ଚିକିତ୍ସା ସେବା ନମିଳିବା ଭୟ ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇ ରଖିଥାଏ।
ସରକାର ଦୁର୍ଗମ ଅଞ୍ଚଳର ବିକାଶ, ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ ଏବଂ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ କଣ୍ଟାଗୁଡ଼ା ଗ୍ରାମର ଚିତ୍ର କିନ୍ତୁ ଏକ ଭିନ୍ନ କାହାଣୀ ବଖାଣୁଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଯଦି ଗ୍ରାମକୁ ଏକ ବ୍ରିଜ୍ ଏବଂ ସବୁଦିନିଆ ରାସ୍ତା ସହ ସଂଯୋଗ କରାଯାଏ, ତେବେ କେବଳ ଯାତାୟାତ ସମସ୍ୟାର ସମାଧାନ ହେବ ନାହିଁ, ବରଂ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ସହଜରେ ଲୋକଙ୍କ ନିକଟରେ ପହଞ୍ଚିପାରିବ।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଦୀର୍ଘଦିନ ଧରି ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀ ସୀମାବର୍ତ୍ତୀ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ନିଜ ରାଜ୍ୟରେ ମୌଳିକ ସୁବିଧା ନପାଇଲେ ପଡ଼ୋଶୀ ରାଜ୍ୟର ସେବା ଉପରେ ନିର୍ଭର କରିବାକୁ ପଡ଼ିବ ବୋଲି ସେମାନେ କହିଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ୁଛି।


ଗ୍ରାମବାସୀଙ୍କ ଦାବି, ପ୍ରଶାସନ ତୁରନ୍ତ କଣ୍ଟାଗୁଡ଼ା ଗ୍ରାମର ସ୍ଥିତି ଅନୁଧ୍ୟାନ କରି ଏକ ବ୍ରିଜ୍ ନିର୍ମାଣ ସହ ସବୁଦିନିଆ ରାସ୍ତାର ବ୍ୟବସ୍ଥା କରନ୍ତୁ। ଏହା ସହ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, ସ୍ୱାସ୍ଥ୍ୟ ସେବା ଓ ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧା ଯଥାଶୀଘ୍ର ଯୋଗାଇବାକୁ ସେମାନେ ଦାବି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ୨୫ଟି ପରିବାରର ଏହି ଛୋଟ ଗ୍ରାମର ଦୁଃଖ କେବେ ଦୂର ହେବ? କଣ୍ଟାଗୁଡ଼ାକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରଶାସନ କେବେ ସଠିକ ପଦକ୍ଷେପ ନେବ? ଏହି ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରି ରହିଛନ୍ତି କଣ୍ଟାଗୁଡ଼ା ଗ୍ରାମର ୨୫ଟି ପରିବାର।

Leave a Reply

Your email address will not be published. Required fields are marked *