
ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା :
ଝାରସୁଗୁଡ଼ା,୬/୯: ଘୁଷୁରି ମୃତ୍ୟୁକୁ ନେଇ ଝାରସୁଗୁଡ଼ା ସହରରେ ଏବେ ଚିନ୍ତାର ବାତାବରଣ l ଗୋଟିଏ ପରେ ଗୋଟିଏ ଘୁଷୁରିଙ୍କ ମୃତ୍ୟୁ ଘଟିଚାଲିଥିବା ବେଳେ ଗତ ତିନି ମାସ ମଧ୍ୟରେ ୩୦୦ରୁ ଊର୍ଦ୍ଧ୍ବ ଘୁଷୁରି ମରିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି l ମୃତ୍ୟୁର ଏହି ଧାରା ଥମିବାର ନାଁ ନେଉନଥିବାରୁ ଘୁଷୁରି ପାଳକଙ୍କ ମଧ୍ୟରେ ଆଶଙ୍କା ବଢ଼ିବା ସହ ରୋଗର ପ୍ରକୃତ କାରଣକୁ ନେଇ ପ୍ରଶ୍ନ ଉଠିଛି l

ସହରର ବିଭିନ୍ନ ଅଞ୍ଚଳରେ ଘୁଷୁରି ମୃତ୍ୟୁର ମାତ୍ରା ଅଧିକ ଥିବା ଜଣାପଡ଼ିଛି l ବିଶେଷକରି ପୁରୁଣାବସ୍ତି, ବୁରୋମାଲ, ବାବୁପଡ଼ା, ସରବାହାଲ, ମଙ୍ଗଳବଜାର, ଏକାତାଲି, କକ୍ସକଲୋନୀ ଓ ଇଟାଭାଟା ଅଞ୍ଚଳରେ ଘୁଷୁରି ମୃତ୍ୟୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି l ରାସ୍ତାକଡ଼, ଗଳିକନ୍ଦି ଓ ଜନବସତି ନିକଟରେ ମୃତ ଘୁଷୁରି ପଡ଼ିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି l ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଘୁଷୁରି ମୃତ୍ୟୁର ଧାରା ଜାରି ରହିଥିଲେ ମଧ୍ୟ ଏହା ପଛରେ ନିର୍ଦ୍ଦିଷ୍ଟ କେଉଁ ରୋଗ ଦାୟୀ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ l ଫଳରେ ଘୁଷୁରି ପାଳନକୁ ଜୀବିକାର ମାଧ୍ୟମ କରିଥିବା ପରିବାରଗୁଡ଼ିକ ଆର୍ଥିକ କ୍ଷତିର ଆଶଙ୍କାରେ ରହିଛନ୍ତି l ଏକାଧିକ ଘୁଷୁରି ଅଳ୍ପ ସମୟ ବ୍ୟବଧାନରେ ମରିଯାଉଥିବାରୁ ରୋଗଟି ସଂକ୍ରାମକ କି ନୁହେଁ, ତାହା ମଧ୍ୟ ଏବେ ବଡ଼ ପ୍ରଶ୍ନ ହୋଇଛି l ଘୁଷୁରି ମୃତ୍ୟୁ ଘଟିବା ପରେ ପୌର ପ୍ରଶାସନ ପକ୍ଷରୁ ମୃତ ପଶୁଗୁଡ଼ିକୁ ଉଠାଇ ନିଆଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ମାଟିରେ ପୋତାଯାଉଛି l ତେବେ ମୃତ୍ୟୁର ମୂଳ କାରଣ ଚିହ୍ନଟ ନହେଲେ କେବଳ ମୃତ ଘୁଷୁରି ଉଠାଇ ପୋତିଦେବା ଦ୍ୱାରା ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଛି l ଘୁଷୁରୀ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତୁରନ୍ତ ମୃତ ଘୁଷୁରୀଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରିବା ଆବଶ୍ୟକ ବୋଲି ଦାବି ହେଉଛି l ରୋଗ ନିରୂପଣ ପାଇଁ ଆବଶ୍ୟକ ପାଥୋଲୋଜିକାଲ୍ ଓ ଲାବୋରେଟୋରି ପରୀକ୍ଷା ସହ ଅଞ୍ଚଳଭିତ୍ତିକ ରୋଗ ନିରୀକ୍ଷଣ କରାଯିବା ଦରକାର l କେଉଁ ଅଞ୍ଚଳରେ କେତେ ଘୁଷୁରି ଅସୁସ୍ଥ ହେଉଛନ୍ତି, କେତେ ମରୁଛନ୍ତି ଏବଂ ମୃତ୍ୟୁର ଧାରା କେଉଁ ଦିଗକୁ ବଢ଼ୁଛି—ତାହାର ତଥ୍ୟ ସଂଗ୍ରହ କରି ରୋଗର ଉତ୍ସ ଓ ପ୍ରସାର ସମ୍ପର୍କରେ ବୈଜ୍ଞାନିକ ଅନୁସନ୍ଧାନ ଜରୁରୀ ହୋଇପଡ଼ିଛି l ଘୁଷୁରି ମୃତ୍ୟୁ ଘଟଣାକୁ କେବଳ ସ୍ଥାନୀୟ ପଶୁପାଳକଙ୍କ ସମସ୍ୟା ଭାବେ ନଦେଖି ଏହା ଉପରେ ପଶୁସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ l ରୋଗ ଚିହ୍ନଟ ପରେ ଆବଶ୍ୟକ ପ୍ରତିରୋଧମୂଳକ ପଦକ୍ଷେପ, ପଶୁପାଳକଙ୍କୁ ସଚେତନତା, ଅସୁସ୍ଥ ପଶୁଙ୍କ ନିରୀକ୍ଷଣ ଓ ମୃତ ପଶୁଙ୍କୁ ସୁରକ୍ଷିତ ଭାବେ ନିଷ୍କାସନ ଭଳି ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଦରକାର l

ଅନ୍ୟପକ୍ଷରେ, ମୃତ ଘୁଷୁରି ଖୋଲା ସ୍ଥାନରେ ପଡ଼ି ରହିଲେ ପରିବେଶ ଓ ସ୍ୱଚ୍ଛତା ଦୃଷ୍ଟିରୁ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ l ତେଣୁ ମୃତ ଘୁଷୁରି ମିଳୁଥିବା ସ୍ଥାନରେ ତୁରନ୍ତ ପଦକ୍ଷେପ ନେବା ସହ ନିରାପଦ ଭାବେ ନିଷ୍କାସନ ଓ ଆବଶ୍ୟକ ସ୍ୱଚ୍ଛତା ବ୍ୟବସ୍ଥା କରାଯିବା ଦରକାର l ତିନି ମାସରେ ୩୦୦ରୁ ଊର୍ଦ୍ଧ୍ବ ଘୁଷୁରିଙ୍କ ମୃତ୍ୟୁ ସାଧାରଣ ଘଟଣା ନୁହେଁ l ମୃତ୍ୟୁର କାରଣ ଯେତେ ଶୀଘ୍ର ଚିହ୍ନଟ ହେବ, ସେତେ ଶୀଘ୍ର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧର ରାସ୍ତା ଖୋଲିବ l ଏନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରାଣୀ ଚିକିତ୍ସକ ଏସଡିଭିଓ ସୁଧାଂଶୁ ଶେଖର ଦାଶ l ଶ୍ରୀ ଦାଶ କହିଛନ୍ତି, ସହରର ବିଭିନ୍ନ ଅଞ୍ଚଳରେ ଘୁଷୁରି ମୃତ୍ୟୁ ଖବର ପାଇ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା l ପରୀକ୍ଷ ପରେ କ୍ଲାସିକାଲ ସ୍ୱାଇନ ଫିଭର ଯୋଗୁଁ ଘୁଷୁରିଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିବା ପରେ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ କରାଯାଇଛି l



Total Users : 6979