ପୁଲକେଶ୍ୱର ମିଶ୍ର/ସମୀକ୍ଷା ନ୍ୟୁଜ୍ / ସ୍ୱତନ୍ତ୍ର ପ୍ରତିନିଧି / ତାଳଚେର: ତାଳଚେର ସହରାଞ୍ଚଳ ତଥା ପୌରାଞ୍ଚଳ ଦେଇ ଯାଇଥିବା ମୁଖ୍ୟ ରାସ୍ତାଗୁଡ଼ିକରେ ପୂର୍ତ୍ତ ବିଭାଗ (PWD) ପକ୍ଷରୁ ଲଗାଯାଇଥିବା ଓଭରହେଡ୍ ଦିଗ ନିର୍ଣ୍ଣାୟକ ତଥା ସୂଚନା ଫଳକଗୁଡ଼ିକ ଏବେ ଅଦରକାରୀ ହୋଇପଡ଼ିଛି। ଯାତ୍ରୀ ତଥା ଜନସାଧାରଣଙ୍କ ସୁବିଧା ପାଇଁ ରାସ୍ତାର ଦୂରତା ଓ ସ୍ଥାନ ଦର୍ଶାଇବା ଉଦ୍ଦେଶ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏହି ବୋର୍ଡଗୁଡ଼ିକ ଲଗାଯାଇଥିଲେ ହେଁ ବିଭାଗୀୟ ଦୂରଦୃଷ୍ଟି ଅଭାବରୁ ଏହା ଲୋକଙ୍କ କୌଣସି କାମରେ ଆସୁନାହିଁ।
ଅନେକ ସ୍ଥାନରେ ଦେଖିବାକୁ ମିଳିଛି ଯେ, ବୋର୍ଡ ସାମ୍ନାରେ ବିଦ୍ୟୁତ୍ ଖୁଣ୍ଟ ଛିଡ଼ା ହୋଇଛି ତ ଆଉ କେଉଁଠି ରାସ୍ତା କଡ଼ରେ ଥିବା ବଡ଼ ବଡ଼ ଗଛ ଓ ଡାଳପତ୍ର ବୋର୍ଡକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ରଖିଛି। ଫଳରେ ଗାଡ଼ି ଚାଳକ କିମ୍ବା ବାହାରୁ ଆସୁଥିବା ଲୋକେ ବୋର୍ଡରେ ଲେଖାଥିବା ସୂଚନା ପଢ଼ିବାରେ ଅସମର୍ଥ ହେଉଛନ୍ତି। କୌଣସି ପ୍ରକାର ସର୍ଭେ କିମ୍ବା ଯାଞ୍ଚ ନକରି ଏପରି ସ୍ଥାନରେ ବୋର୍ଡ ସ୍ଥାପନ କରାଯାଇଥିବାରୁ ସରକାରୀ ତହବିଲର କେବଳ ଅପଚୟ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ, ଆଜିକାଲି ରାସ୍ତା କଡ଼ରେ ଥିବା ଅନାବନା ଡାଳପତ୍ର ଓ ଗଛ କାଟିବା ପାଇଁ ଅତ୍ୟାଧୁନିକ ମୁଭେବଲ୍ (ସ୍ୱୟଂଚାଳିତ କଟର ଥିବା ଜେସିବି ସଦୃଶ) ମେସିନ୍ ଉପଲବ୍ଧ ରହିଛି। ପୌରପାଳିକା କିମ୍ବା ପୂର୍ତ୍ତ ବିଭାଗ ଏଭଳି ଆଧୁନିକ ଯନ୍ତ୍ରାଂଶର ବ୍ୟବସ୍ଥା କରି ରାସ୍ତା ପାର୍ଶ୍ୱକୁ ନିୟମିତ ସଫା ରଖିବା ଜରୁରୀ।
ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବୋର୍ଡ ସମ୍ମୁଖରେ ଥିବା ପ୍ରତିବନ୍ଧକ ହଟାଇବା ସହ ଆବଶ୍ୟକ ସ୍ଥଳେ ବୋର୍ଡଗୁଡ଼ିକୁ ସଠିକ୍ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
ତାଳଚେରରେ ପୂର୍ତ୍ତ ବିଭାଗର ଖାମଖିଆଲି: ବିଦ୍ୟୁତ୍ ଖୁଣ୍ଟ ଓ ଗଛ ପଛରେ ଲୁଚିଛି ଦିଗ ନିର୍ଣ୍ଣାୟକ ବୋର୍ଡ


Total Users : 3737