Headlines

ଥାନାରୁ ନ୍ୟାୟ ମିଳିଲାନି: ଏସ୍‌ପି ଓ ଜିଲ୍ଲାପାଳଙ୍କୁ ସାମାଜିକ ବାସନ୍ଦ ପରିବାରର ଦାବିପତ୍ର

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୨୦/୦୮/୨୬ (ସମୀକ୍ଷା ନ୍ୟୁଜ): ​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନେଦାମ ଗ୍ରାମର ଏକ ସାମାଜିକ ବାସନ୍ଦ ପରିବାର ବୁଧବାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ନିମାଇଁ ମୁର୍ମୁ ଓ ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଗ୍ରାମମୁଖ୍ୟ (ମାଝୀବାବା) ଏବଂ ମାଝୀ ମହଲ ସଂଗଠନର ନିର୍ଦ୍ଦେଶକ୍ରମେ ସେମାନଙ୍କୁ ସାମାଜିକ ଭାବେ ବାସନ୍ଦ କରାଯାଇଛି।
​ଫଳରେ ଗ୍ରାମବାସୀ ସେମାନଙ୍କ ସହ କଥାବାର୍ତ୍ତା ବନ୍ଦ କରିବା ସହ ବିଲବାଡ଼ିକୁ ଯିବା ରାସ୍ତା ଏବଂ ସରକାରୀ ପୋଖରୀ, କୂଅ ଓ ନଳକୂଅରୁ ପାଣି ଆଣିବା ଉପରେ କଟକଣା ଲଗାଇଛନ୍ତି, ଯାହା ସମ୍ବିଧାନର ଅନୁଚ୍ଛେଦ ୨୧ ଦ୍ୱାରା ପ୍ରଦତ୍ତ ମୌଳିକ ଅଧିକାରର ସିଧାସଳଖ ଉଲ୍ଲଂଘନ ବୋଲି ଦର୍ଶାଯାଇଛି।
​ଗତ ମେ’ ୩୦ ତାରିଖରେ ନଳକୂଅରୁ ପାଣି ଆଣିବା ସମୟରେ ପରିବାରର ସଦସ୍ୟମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ସହ ମୋବାଇଲ୍, ସାଇକେଲ ଓ ପାଣି ଗଗରା ଛଡ଼ାଇ ନିଆଯାଇଥିଲା। ଏନେଇ କପ୍ତିପଦା ଥାନାରେ ଅଭିଯୋଗ କରାଯାଇଥିଲେ ହେଁ ପୁଲିସ ପ୍ରଶାସନ ନ୍ୟାୟ ଦେବା ପରିବର୍ତ୍ତେ ଓଲଟା ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ଏବଂ ଛଡ଼ାଇ ନିଆଯାଇଥିବା ସାମଗ୍ରୀଗୁଡ଼ିକ ଆଜିଯାଏଁ ଫେମି ନାହିଁ।
​ଆଗାମୀ ୭ ଦିନ ମଧ୍ୟରେ ଜିନିଷପତ୍ର ଫେରାଇ ଦିଆଯିବା ସହ ପରିବାରକୁ ଉପଯୁକ୍ତ ସୁରକ୍ଷା ଓ ନ୍ୟାୟ ନମିଳିଲେ, ବାଧ୍ୟ ହୋଇ ଏସ୍‌ପି କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *