
ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ଭବାନୀପାଟଣା: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାର ଚଳିତ ବର୍ଷର ପ୍ରଥମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।
ବୈଠକରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତୀ ସୁଧୀରା ମେହେରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କମିଟିର ସଦସ୍ୟ-ସଦସ୍ୟାମାନେ ଯୋଗଦେଇଥିଲେ।
ଜିଲ୍ଲାର ଜନସାଧାରଣଙ୍କ ଜଳସେଚନ, ରାସ୍ତାଘାଟ, ପାନୀୟ ଜଳ, ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ମୌଳିକ ଭିତ୍ତିଭୂମି ଭଳି ପ୍ରମୁଖ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ସହ ଲୋକଙ୍କ ସମସ୍ୟାର ସମୟୋଚିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ବିଭାଗୀୟ ଅଧିକାରୀମାନଙ୍କୁ ଠିକ୍ ସମୟରେ ଲୋକଙ୍କ ଅସୁବିଧା ଦୂର କରିବାକୁ ପରାମର୍ଶ ଦେଇଥିଲେ। ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଜିଲ୍ଲାରେ ଥିବା ଆର୍.ଡି. ଏବଂ ଆର୍.ଆଣ୍ଡ୍.ବି. ବିଭାଗର ରାସ୍ତାଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ।
ବୈଠକରେ ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ ଜିଲ୍ଲାର ବାର୍ଷିକ ଯୋଜନା ଖସଡ଼ା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଆର୍ଥିକ ବର୍ଷ ପାଇଁ ସର୍ବମୋଟ ୪୩୧୮.୬୫ କୋଟି ଟଙ୍କାର ବାର୍ଷିକ ଖସଡ଼ା ସର୍ବସମ୍ମତିକ୍ରମେ ଅନୁମୋଦନ କରାଯାଇଥିଲା।
ଶେଷରେ ଜିଲ୍ଲା ଯୋଜନା କମିଟି ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ, କମିଟିର ସଦସ୍ୟ-ସଦସ୍ୟା ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା।


Total Users : 3722