ପୁଲକେଶ୍ୱର ମିଶ୍ର/ ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍, ତାଳଚେର: କୋଲ୍ ଇଣ୍ଡିଆର ଅନ୍ୟତମ ପ୍ରମୁଖ ସହାୟକ କମ୍ପାନୀ ‘ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍’ (MCL) ଅଧୀନରେ ଥିବା ବିଭିନ୍ନ କୋଇଲା ଖଣି ପ୍ରକଳ୍ପରେ ବ୍ୟାପକ ଅବହେଳା ଦେଖିବାକୁ ମିଳିଛି। ସମୀକ୍ଷା ନ୍ୟୁଜ୍ର ସ୍ୱତନ୍ତ୍ର ପ୍ରତିନିଧି ପୁଲକେଶ୍ୱର ମିଶ୍ର ତାଳଚେର ସ୍ଥିତ ବଳରାମ ଓପନ୍ କାଷ୍ଟ ପ୍ରୋଜେକ୍ଟ (Balram OCP) ପରିଦର୍ଶନ କରିଥିବା ବେଳେ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି।
ପ୍ରକଳ୍ପ ପରିସରରେ ବହୁ ବର୍ଷର ପୁରୁଣା ତଥା ଅଚଳ ହୋଇପଡ଼ିଥିବା ଭଙ୍ଗାରୁଜା ଯାନବାହନ ଯଥା— ଡମ୍ପର, ଡୋଜର, ସୋଭେଲ୍, ଟ୍ରକ୍, କାର୍, ଜିପ୍, ଆମ୍ବୁଲାନ୍ସ ସମେତ ଟନ୍ ଟନ୍ ଲୁହା ଓ ଅନ୍ୟାନ୍ୟ ସ୍କ୍ରାପ୍ (Scrap) ସାମଗ୍ରୀ ଖୋଲା ଆକାଶ ତଳେ ଖତ ଖାଉଥିବା ଦେଖିବାକୁ ମିଳିଛି। ଏ ବିଷୟରେ ଘଟଣାସ୍ଥଳରେ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ପଚାରିବା ସହ ପ୍ରତିକ୍ରିୟା (Bite) ନେବାକୁ ଚେଷ୍ଟା କରାଯାଇଥିଲେ ହେଁ, ସମସ୍ତେ କ୍ୟାମେରା ଆଗରେ କିଛି କହିବାକୁ ସଫା ସଫା ମନା କରିଦେଇଥିଲେ।
କ’ଣ ରହିଛି ସରକାରୀ ନିୟମ ଓ ନୀତି?
ଏକ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (PSU) କମ୍ପାନୀ ହୋଇଥିବାରୁ ଏଠାରେ ସ୍କ୍ରାପ୍ ଓ ଅଚଳ ଯାନବାହନ ନିଲାମ କରିବା ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ରହିଛି:
ସର୍ଭେ ଅଫ୍ (Survey-off): ଯେଉଁ ଯାନବାହନ ବା ଯନ୍ତ୍ରାଂଶ ଆଉ କାମ କରିବା ଅବସ୍ଥାରେ ନଥାଏ, ତାର ପ୍ରଥମେ ସର୍ଭେ ଅଫ୍ କରାଯାଏ।
ରିପ୍ଲେସମେଣ୍ଟ ମଞ୍ଜୁରୀ: ଏହାପରେ ମୁଖ୍ୟାଳୟ (Headquarters)ରୁ ନୂଆ ଗାଡ଼ି କିମ୍ବା ଉପକରଣ ପାଇଁ ରିପ୍ଲେସମେଣ୍ଟ ମଗାଯାଏ।
ଡି-ରେଜିଷ୍ଟ୍ରେସନ (De-registration): ନୂଆ ଗାଡ଼ି ଆସିବା ପରେ ପୁରୁଣା ଅଚଳ ଗାଡ଼ିକୁ ସରକାରୀ ଖାତାରୁ ଡି-ରେଜିଷ୍ଟ୍ରେସନ କରାଯାଏ।
ଗ୍ରାଉଣ୍ଡିଂ ଓ ଅନୁମୋଦନ: ସମସ୍ତ ଅଚଳ ଗାଡ଼ି ଓ ଲୁହା-ସ୍କ୍ରାପ୍ ସାମଗ୍ରୀକୁ ଗୋଟିଏ ସ୍ଥାନରେ ‘ଗ୍ରାଉଣ୍ଡ’ (ଏକତ୍ରିତ) କରି ବିଭାଗୀୟ ଅନୁମୋଦନ (Approval) ନିଆଯାଏ।
ନିଲାମ (E-Auction) ଓ ରାଜସ୍ୱ: ଅନୁମୋଦନ ପରେ କଣ୍ଟ୍ରାକ୍ଟ ଜେନେରେଟ୍ ହୋଇ ଇ-ନିଲାମ ପ୍ରକ୍ରିୟା କରାଯାଏ। ଏହି ସ୍କ୍ରାପ୍ ବିକ୍ରିରୁ କମ୍ପାନୀକୁ କୋଟି କୋଟି ଟଙ୍କାର ରାଜସ୍ୱ ତଥା ଲାଭ (Profit) ମିଳିବା କଥା।
ଅଧିକାରୀଙ୍କ ଅବହେଳା ଯୋଗୁଁ କମ୍ପାନୀର ବ୍ୟାପକ କ୍ଷତି:
କିନ୍ତୁ MCLର ଉଚ୍ଚପଦସ୍ଥ ନିର୍ଦ୍ଦେଶକ (Director) ସ୍ତରରୁ ଆରମ୍ଭ କରି ତଳ ସ୍ତରର ଇଞ୍ଜିନିୟରଙ୍କ ପର୍ଯ୍ୟନ୍ତ କେହି ବି ଏହି ନିୟମକୁ କାର୍ଯ୍ୟକାରୀ କରୁନାହାନ୍ତି। ସମସ୍ତେ କେବଳ କୋଇଲା ଖୋଳି ନିଜ ସମୟ ବିତାଇ ଦେଉଛନ୍ତି, କିନ୍ତୁ ଯେଉଁଥିରୁ କମ୍ପାନୀର କୋଟି କୋଟି ଟଙ୍କା ଲାଭ ହୋଇପାରନ୍ତା, ତାହା ପ୍ରତି କାହାରି ଦୃଷ୍ଟି ନାହିଁ। ବର୍ଷ ବର୍ଷ ଧରି ଖରା-ବର୍ଷାରେ ପଡ଼ି ରହି ଏସବୁ ସାମଗ୍ରୀରେ କଳଙ୍କି ଲାଗି ମାଟିରେ ମିଶୁଛି ଏବଂ ଏହାର ବଜାର ମୂଲ୍ୟ କମି କମି ଯାଉଛି।
ସମସ୍ତ ପ୍ରକଳ୍ପରେ ଏକା ସମସ୍ୟା:
କେବଳ ବଳରାମ ପ୍ରୋଜେକ୍ଟ ନୁହେଁ, MCL ଅଧୀନରେ ଥିବା ପ୍ରାୟ ସମସ୍ତ ଓପନକାଷ୍ଟ ଏବଂ ଅଣ୍ଡରଗ୍ରାଉଣ୍ଡ ପ୍ରକଳ୍ପରେ ଏଭଳି ସମାନ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ସେଗୁଡ଼ିକ ହେଲା: ହିଙ୍ଗୁଳା ଓପନକାଷ୍ଟ ପ୍ରୋଜେକ୍ଟ (Hingula OCP)
ଭରତପୁର ଓପନକାଷ୍ଟ ପ୍ରୋଜେକ୍ଟ (Bharatpur OCP)
ଜଗନ୍ନାଥ ଓପନକାଷ୍ଟ ପ୍ରୋଜେକ୍ଟ (Jagannath OCP)
ଅନନ୍ତ ଓପନକାଷ୍ଟ ପ୍ରୋଜେକ୍ଟ (Ananta OCP)
ଭୁବନେଶ୍ୱରୀ ଓପନକାଷ୍ଟ ପ୍ରୋଜେକ୍ଟ (Bhubaneswari OCP)
ଲିଙ୍ଗରାଜ ଓପନକାଷ୍ଟ ପ୍ରୋଜେକ୍ଟ (Lingaraj OCP)
କଣିହାଁ ଓପନକାଷ୍ଟ ପ୍ରୋଜେକ୍ଟ (Kaniha OCP)
ସୁଭଦ୍ରା ଓପନକାଷ୍ଟ ପ୍ରୋଜେକ୍ଟ (Subhadra OCP)
ତାଳଚେର କୋଲିୟରୀ ଅଣ୍ଡରଗ୍ରାଉଣ୍ଡ ପ୍ରୋଜେକ୍ଟ (Talcher Colliery UG)
ନନ୍ଦିରା ଅଣ୍ଡରଗ୍ରାଉଣ୍ଡ ପ୍ରୋଜେକ୍ଟ (Nandira UG)
ଦେଉଳବେଡ଼ା ଅଣ୍ଡରଗ୍ରାଉଣ୍ଡ ପ୍ରୋଜେକ୍ଟ (Deulbeda UG)
ଏହି ସବୁ ପ୍ରକଳ୍ପରେ ମଧ୍ୟ କୋଟି କୋଟି ଟଙ୍କାର ଅଚଳ ଯାନବାହନ ଏବଂ ସ୍କ୍ରାପ୍ ସାମଗ୍ରୀ ବିନା ନିଲାମରେ ନଷ୍ଟ ହେଉଛି। ଯଦି ତୁରନ୍ତ ଏଗୁଡ଼ିକର ସଠିକ୍ ସର୍ଭେ କରି ନିଲାମ କରାଯାଏ, ତେବେ କମ୍ପାନୀ ଏବଂ ସରକାର ବହୁତ ବଡ଼ ରାଜସ୍ୱ ପାଇପାରିବେ। ଏ ବାବଦରେ କୋଲ୍ ଇଣ୍ଡିଆ ତଥା ଉଚ୍ଚ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି, ତାହା ଏବେ ଦେଖିବାକୁ ବାକି ରହିଲା।



Total Users : 3738