Headlines

ଦେବକୁଣ୍ଡ ଶକ୍ତିପୀଠ ପାଇଁ ଉନ୍ନୟନ ଦାବି: ପର୍ଯ୍ୟଟନ ମାନ୍ୟତା ଦେବାକୁ ‘କଳିଙ୍ଗ ମୋର୍ଚ୍ଚା’ର ଆହ୍ୱାନ

ଯଶୋବନ୍ତ ପରିଡା/କପ୍ତିପଦା ଉପଖଣ୍ଡ/ ୩୦/୦୬/୨୬ (ସମୀକ୍ଷା ନିୟୁଜ):

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ପ୍ରସିଦ୍ଧ ଶକ୍ତିପୀଠ ‘ଦେବକୁଣ୍ଡ’। ଶିମିଳିପାଳ ଟାଇଗର ରିଜର୍ଭର ନିବିଡ଼ ଅରଣ୍ୟ ଭିତରେ ମା’ ଅମ୍ବିକାଙ୍କ ପୀଠ। ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ମଧ୍ୟ, ଅବହେଳାର ଶିକାର ହୋଇଛି ଏହି ପୀଠ।
​ଏହି ପୀଠର ଉନ୍ନତିକରଣ ଏବଂ ଏହାକୁ ଏକ ପୂର୍ଣ୍ଣାଙ୍ଗ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ଦାବିରେ ଏବେ ରାଜରାସ୍ତାକୁ ଓହ୍ଲାଇଛି ‘କଳିଙ୍ଗ ମୋର୍ଚ୍ଚା’।
ପର୍ଯ୍ୟଟନ ଋତୁରେ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ମା’ ଅମ୍ବିକାଙ୍କ ଦର୍ଶନ ସହ ଶିମିଳିପାଳର କୁଳୁକୁଳୁ ଝରଣା ଓ ସବୁଜିମା ଭରା ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ଶିମିଳିପାଳ ମୁଖ୍ୟ ଫାଟକଠାରୁ ମନ୍ଦିର ପର୍ଯ୍ୟନ୍ତ ରହିଥିବା ୫ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ।
କଳିଙ୍ଗ ମୋର୍ଚ୍ଚାର କହିବା କଥା, ଯଦି ଏହି ପୀଠର ଭିତ୍ତିଭୂମି ବିକାଶ କରାଯିବ, ତେବେ ଏହା ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ି ଉଠିବ। ଏଥିପାଇଁ ପକ୍କା ରାସ୍ତା, ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି ହୋଇଛି। ଏବେ ଦେଖିବାକୁ ବାକି ରହିଲା, ପ୍ରଶାସନ କେବେ ଏହି ଦାବିକୁ ଗୁରୁତର ସହ ନେଉଛି।

Leave a Reply

Your email address will not be published. Required fields are marked *