Headlines

ନଗର ଉନ୍ନୟନ ମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଜନ୍ମାଷ୍ଟମୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର
ଭୁବନେଶ୍ୱର, ୫ ସେପ୍ଟେମ୍ବର ୨୦୨୬:

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗତକାଲି ରାତିରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସରକାରୀ ବାସଭବନରେ ଜନ୍ମାଷ୍ଟମୀ ପୂଜାଉତ୍ସବ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଥିଲା । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ସହଧର୍ମିଣୀ ଯୋଗଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥିଲେ ।ଏହା ସହ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ କାମନା କରିଥିଲେ ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, “ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଓ ଶ୍ରୀମଦ୍‌ଭଗବଦ୍‌ଗୀତାର ମହାନ ବାର୍ତ୍ତା ଆମକୁ ସତ୍ୟ, ଧର୍ମ, କର୍ତ୍ତବ୍ୟ ଓ ନିଷ୍ଠାର ପଥରେ ଆଗେଇବାକୁ ପ୍ରେରଣା ଦେଇଥାଏ । ଜନ୍ମାଷ୍ଟମୀର ଏହି ପବିତ୍ର ଦିନରେ ଆମେ ସମସ୍ତେ ନିଜ କର୍ତ୍ତବ୍ୟ ପ୍ରତି ସମର୍ପିତ ହୋଇ ସମାଜରେ ଶାନ୍ତି, ସଦ୍‌ଭାବ ଓ ଭାଇଚାରାକୁ ଆହୁରି ସୁଦୃଢ଼ କରିବାର ସଂକଳ୍ପ ନେବା । ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ଓଡ଼ିଶା ଆହୁରି ସମୃଦ୍ଧ, ଶାନ୍ତିପୂର୍ଣ୍ଣ ଓ ବିକଶିତ ହେଉ—ଏହା ମୋର ପ୍ରାର୍ଥନା ।” ଜନ୍ମାଷ୍ଟମୀ ପୂଜାଉତ୍ସବ ଅବସରରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରାଯାଇଥିଲା । ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଜୀବନ ଓ ଗୀତାର ମହାନ ଉପଦେଶ ସମସ୍ତଙ୍କୁ ମାନବିକତା, ସେବା, ନ୍ୟାୟ ଓ କର୍ତ୍ତବ୍ୟନିଷ୍ଠାର ପଥରେ ଆଗେଇ ନେଉ ବୋଲି ଉପସ୍ଥିତ ସମସ୍ତେ ପ୍ରାର୍ଥନା କରିଥିଲେ ।

ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶରେ ଅନୁଷ୍ଠିତ ଏହି ଜନ୍ମାଷ୍ଟମୀ ପୂଜାଉତ୍ସବ ପରସ୍ପର ମଧ୍ୟରେ ଶୁଭେଚ୍ଛା ବିନିମୟ ସହ ସମ୍ପନ୍ନ ହୋଇଥିଲା ।

Leave a Reply

Your email address will not be published. Required fields are marked *