Headlines

‘ନନ୍ଦ ଘରେ ଆନନ୍ଦ’ରେ ମୁଖରିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ପାଳିତ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ :

ଗାଇସିଲେଟ: ୦୪/୦୯/୨୬ ବରଗଡ଼ ଜିଲ୍ଲା ଗାଇସିଲେଟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଭକ୍ତି, ଶ୍ରଦ୍ଧା ଓ ଆନନ୍ଦମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।

ଏହି ଅବସରରେ ବିଦ୍ୟାଳୟ ପରିସର ଶ୍ରୀକୃଷ୍ଣଙ୍କ ଜନ୍ମଲୀଳା ଓ ବିଭିନ୍ନ ପୌରାଣିକ ଚରିତ୍ରର ଅଭିନୟରେ ଉତ୍ସବମୁଖର ହୋଇଉଠିଥିଲା।କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଧର୍ମାନନ୍ଦ ମହଲା ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଜନ୍ମାଷ୍ଟମୀର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀକୃଷ୍ଣଙ୍କ ଜୀବନାଦର୍ଶ, ଧର୍ମ ଓ ସତ୍ୟର ପଥରେ ଚାଲିବାର ଶିକ୍ଷା ଏବଂ ମାନବ ସମାଜ ପାଇଁ ତାଙ୍କ ବାର୍ତ୍ତା ଉପରେ ଆଲୋଚନା କରାଯାଇଥିଲା। ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣଙ୍କ ଜନ୍ମଲୀଳାକୁ ନେଇ ସୁନ୍ଦର ପୌରାଣିକ ଚରିତ୍ର ଅଭିନୟ ପ୍ରଦର୍ଶିତ ହୋଇଥିଲା।

ନନ୍ଦରାଜା ଭୂମିକାରେ ଦଶମଣି ସାହୁ ଏବଂ ଯଶୋଦା ରାଣୀ ଭୂମିକାରେ ତାଙ୍କ ସହଧର୍ମିଣୀ ଲକ୍ଷ୍ମୀ ସାହୁ ଅଭିନୟ କରିଥିଲେ। ସେହିପରି ଉଗ୍ରସେନ ଭୂମିକାରେ ମହେନ୍ଦ୍ର କୁମାର ସାହୁ ଏବଂ ବସୁଦେବ ଭୂମିକାରେ ଦଶମ ଶ୍ରେଣୀର ଛାତ୍ର ଗୁଲସନ ସାହୁ ଅଭିନୟ କରିଥିଲେ। ପୌରାଣିକ ଚରିତ୍ରଗୁଡ଼ିକର ଅଭିନୟ ମାଧ୍ୟମରେ ଶ୍ରୀକୃଷ୍ଣଙ୍କ ଜନ୍ମ ଓ ବାଲ୍ୟଲୀଳା ସମ୍ପର୍କିତ ବିଭିନ୍ନ ଘଟଣାକୁ ଉପସ୍ଥାପନ କରାଯାଇଥିଲା। ଏହା ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ଅତିଥିମାନଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିଥିଲା। ଏହି ଅବସରରେ ବିଦ୍ୟାଳୟର ସଭାପତି ଅରୁଣ କୁମାର ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ। ସରୋଜିନୀ ପଟେଲ ଓ ଭାଗ୍ୟଶ୍ରୀ ଦୀପ ଗୁରୁମା ବନ୍ଦନା ଓ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଆଚାର୍ଯ୍ୟ-ଆଚାର୍ଯ୍ୟା, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହଯୋଗରେ ଜନ୍ମାଷ୍ଟମୀ ଉତ୍ସବ ସୁନ୍ଦର ଭାବରେ ସମ୍ପନ୍ନ ହୋଇଥିଲା।ଶ୍ରୀକୃଷ୍ଣଙ୍କ ଜୀବନ ଓ ଆଦର୍ଶକୁ ଛାତ୍ରଛାତ୍ରୀଙ୍କ ମନରେ ପହଞ୍ଚାଇବା ସହ ଭାରତୀୟ ସଂସ୍କୃତି, ପରମ୍ପରା ଓ ଧାର୍ମିକ ମୂଲ୍ୟବୋଧ ପ୍ରତି ସେମାନଙ୍କ ଆଗ୍ରହ ବଢ଼ାଇବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପରିଶେଷରେ ଗୁରୁଜୀ ପ୍ରେମରାଜ ମଟାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *