
ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:
ପାଇକମାଲ, ୧୩/୦୯: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅଧୀନ ଜାମସେଠ ଗ୍ରାମପଞ୍ଚାୟତର ଚେରଙ୍ଗାଝାଞ୍ଜ ଗ୍ରାମରେ ଦେଖିବାକୁ ମିଳିଛି ଯୁବକମାନଙ୍କ ଏକ ନିଆରା ସାମାଜିକ ପ୍ରୟାସ। ପ୍ରଶାସନର ପଦକ୍ଷେପକୁ ଅପେକ୍ଷା ନକରି ନିଜ ଉଦ୍ୟମରେ ଗ୍ରାମର ଦୁର୍ଦ୍ଦଶାଗ୍ରସ୍ତ ରାସ୍ତା ମରାମତି କରିଛନ୍ତି ଜୟ ବୁଢ଼ାଦେଓ ଯୁବକ ସଂଘର ସଦସ୍ୟମାନେ। ନିଜେ ଚାନ୍ଦା ସଂଗ୍ରହ କରି ରାସ୍ତାରେ ମାଟି ଓ ଅନ୍ୟାନ୍ୟ ସାମଗ୍ରୀ ପକାଇ ଯୁବକମାନେ ରାସ୍ତାଟିକୁ ଯାତାୟାତ ଉପଯୋଗୀ କରିଛନ୍ତି। ଚେରଙ୍ଗାଝାଞ୍ଜ ଗ୍ରାମର ବସ୍ତିରୁ ଦର୍ଲିମୁଣ୍ଡାକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଦୀର୍ଘଦିନ ଧରି ଅବ୍ୟବସ୍ଥିତ ହୋଇ ପଡ଼ିଥିଲା।

ବର୍ଷା ହେଲେ ରାସ୍ତାରେ କାଦୁଅ ପଚପଚ ହୋଇ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼ୁଥିଲା। ବିଶେଷକରି ଦୁଇଚକିଆ ଯାନ, ଛାତ୍ରଛାତ୍ରୀ, ବୃଦ୍ଧ ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ରାସ୍ତାର ଏଭଳି ଦୁରବସ୍ଥା ନେଇ ଗ୍ରାମବାସୀ ଓ ଯୁବକ ସଂଘ ପକ୍ଷରୁ ପୂର୍ବରୁ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇ ମରାମତି ପାଇଁ ଦାବି କରାଯାଇଥିଲା। ହେଲେ ଆବଶ୍ୟକ ପଦକ୍ଷେପ ନିଆ ଯାଇନଥିବାରୁ ଶେଷରେ ନିଜେ ରାସ୍ତା ମରାମତି କରିବାକୁ ଯୁବକମାନେ ନିଷ୍ପତ୍ତି ନେଇଥିଲେ। ଯୁବକ ସଂଘର ସଭାପତିଙ୍କ ନେତୃତ୍ୱରେ ସଦସ୍ୟମାନେ ନିଜ ମଧ୍ୟରେ ଚାନ୍ଦା ସଂଗ୍ରହ କରି ମାଟି ଓ ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରିଥିଲେ। ପରେ ସମସ୍ତେ ମିଶି ରାସ୍ତାର ଖାଲଖମା ଓ କାଦୁଅ ଅଞ୍ଚଳରେ ମାଟି ପକାଇ ମରାମତି କରିଥିଲେ। ଏହା ଫଳରେ ରାସ୍ତାଟି ବର୍ତ୍ତମାନ କିଛିମାତ୍ରାରେ ଯାତାୟାତ ଉପଯୋଗୀ ହୋଇପାରିଛି। ଏହି ସାମାଜିକ କାର୍ଯ୍ୟରେ କ୍ଷିତରାଜ ଗଇଁତା, ମଳୟ ଗଇଁତା, ମନ ଗଇଁତା, ଗୁଡ୍ଡୁ ଗଇଁତା, ସାନ ଗଇଁତା, କୈବଲ୍ୟ ମାଝୀ, ମଣ୍ଟୁ ମାଝୀ, କୁଣ୍ଟୁ ଗଇଁତା, ମଙ୍ଗଳ ମାଝୀ, ଛବିଲ ଗଇଁତା, ମନୋଜ ମାଝୀ, ଗୁଣ ମାଝୀ, ଜିତୁ ମାଝୀ, ମଦନ ଗଇଁତା, ବିକ୍ରମ ଗଇଁତା, ସରୋଜ ଗଇଁତା, ମାହି ଗଇଁତା, ସମିର ଗଇଁତା, ଆକାଶ ଓ ରଜତ ଗଇଁତାଙ୍କ ସମେତ ଯୁବକ ସଂଘର ଅନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ପ୍ରଶାସନକୁ ଅପେକ୍ଷା ନକରି ନିଜ ଉଦ୍ୟମରେ ଗ୍ରାମର ମୌଳିକ ସମସ୍ୟା ସମାଧାନ ପାଇଁ ଯୁବକମାନଙ୍କ ଏହି ପ୍ରୟାସକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି। ତେବେ ଏହି ରାସ୍ତାର ସ୍ଥାୟୀ ମରାମତି ଓ ଉନ୍ନତିକରଣ ପାଇଁ ସମ୍ପୃକ୍ତ ବିଭାଗ ଶୀଘ୍ର ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।



Total Users : 6801