ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ /ସମୀକ୍ଷା ନ୍ୟୁଜ୍ ୧୦/୮/୨୬: ଜାତୀୟ ହସ୍ତତନ୍ତ ଦିବସ–୨୦୨୬ ପାଳନ ଅବସରରେ “ଥ୍ରେଡ଼ ଅଫ ଫ୍ରିଡମ -ବୁଣାକାର ସମାବେଶ” ଅନ୍ତର୍ଗତ ଜିଲ୍ଲାସ୍ତରୀୟ ହ୍ୟାକାଥନ୍ କାର୍ଯ୍ୟକ୍ରମ ବରଗଡ଼ସ୍ଥିତ ଡ଼ିଡ଼ିଏଚ ସମ୍ମିଳନୀ କକ୍ଷଠାରେ ସଫଳତାର ସହ ଅନୁଷ୍ଠିତ ହୋଇଛି।
ଏହି ହ୍ୟାକାଥନ୍ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମନୋନୀତ ୩୦ ଜଣ ବୁଣାକାରଙ୍କୁ ୧୦ଟି ଦଳରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଦଳରେ ୩ ଜଣ ବୁଣାକାରଙ୍କ ସହ ଟେକ୍ସଟାଇଲ୍ ବିଭାଗର ଜଣେ ମେଣ୍ଟର ରହିଥିଲେ। ଜିଲ୍ଲାର ବୁଣାକାରମାନଙ୍କଠାରୁ ମୋଟ ୯୦ଟି ଆବେଦନ ମିଳିଥିବାବେଳେ, ବୁଣାକାମରେ ସେମାନଙ୍କର ଦକ୍ଷତା, ଅଭିଜ୍ଞତା ଓ ଉତ୍ପାଦନଶୀଳତା ଆଧାରରେ ୩୦ ଜଣଙ୍କୁ ଚୟନ କରାଯାଇଥିଲା।
ହ୍ୟାକାଥନ୍ର ମୁଖ୍ୟ ବିଷୟବସ୍ତୁ ଥିଲା “ସ୍ୱାଧୀନତାରେ ବୁଣାକାର୍ଯ୍ୟ ବା ସ୍ୱାଧୀନତାର ପ୍ରତୀକ ରୂପେ ଏକ ଡିଜାଇନ୍ କରନ୍ତୁ” କିମ୍ବା “ପୁରୁଣା ବୁଣାକାମକୁ ନୂଆ ରୂପ ଦେବା” ଏବଂ “ବୁଣାକାର ଓ ଉତ୍ପାଦର କାହାଣୀ କୁହନ୍ତୁ”। ଏହି ଅବସରରେ ବୁଣାକାରମାନେ ନୂତନ ଡିଜାଇନ୍, ପାରମ୍ପରିକ ବୁଣାକଳା ଓ ଆଧୁନିକ ଚାହିଦାକୁ ନଜରରେ ରଖି ବିଭିନ୍ନ ସୃଜନଶୀଳ ଧାରଣା ପ୍ରଦର୍ଶନ କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ଅଂଶଗ୍ରହଣକାରୀ ବୁଣାକାରମାନଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିବାକୁ ପ୍ରେରଣା ଦେଇଥିଲେ। ଜିଲ୍ଲାର ସମୃଦ୍ଧ ହସ୍ତତନ୍ତ ପରମ୍ପରାର ସୁରକ୍ଷା ସହ ନୂତନ ଡିଜାଇନ୍ ଓ ଅଭିନବ ଚିନ୍ତାଧାରା ମାଧ୍ୟମରେ ହସ୍ତତନ୍ତ ଉତ୍ପାଦକୁ ଯୁବପିଢ଼ିଙ୍କ ନିକଟରେ ଅଧିକ ଆକର୍ଷଣୀୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
ସୂଚନାଯୋଗ୍ୟକୀ, ଏହି ହ୍ୟାକାଥନ୍ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳକୁ ₹୧୦,୦୦୦ ନଗଦ ପୁରସ୍କାର ପ୍ରଦାନ କରିବା ସହ ବିଜୟୀ ଦଳର ୨ ଜଣ ସଦସ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବରଗଡ଼କୁ ପ୍ରତିନିଧିତ୍ୱ କରିବେ। ଦ୍ୱିତୀୟ ସ୍ଥାନ ଅଧିକାରୀ ଦଳକୁ ₹୬,୦୦୦ ଏବଂ ତୃତୀୟ ସ୍ଥାନ ଅଧିକାରୀ ଦଳକୁ ₹୩,୦୦୦ ନଗଦ ପୁରସ୍କାର ପ୍ରଦାନ କରାଯିବା ସହ ସମସ୍ତ ଅଂଶଗ୍ରହଣକାରୀ ବୁଣାକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୀକୃତି ସ୍ୱରୂପ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଡି. ନନ୍ଦୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ଉପସ୍ଥିତ ରହି ସକ୍ରିୟ ସହଯୋଗରେ କରିଥିଲେ ।
ଏହି ହ୍ୟାକାଥନ୍ ବରଗଡ଼ ଜିଲ୍ଲାର ବୁଣାକାରମାନଙ୍କ ସୃଜନଶୀଳ ପ୍ରତିଭା ଓ ଦକ୍ଷତାକୁ ପ୍ରଦର୍ଶିତ କରିବା ସହ ପାରମ୍ପରିକ ହସ୍ତତନ୍ତ ଐତିହ୍ୟର ସୁରକ୍ଷା, ନୂତନ ଡିଜାଇନ୍କୁ ପ୍ରୋତ୍ସାହନ ଏବଂ ବୁଣାକାରମାନଙ୍କୁ ଅଧିକ ବଜାରଭିତ୍ତିକ ସୁଯୋଗ ପ୍ରଦାନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।


Total Users : 3621