ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି :
ବୁର୍ଲା : ସମ୍ବଲପୁର ଜିଲ୍ଲା ବୁର୍ଲା ସହରରେ ଦିନ ଦ୍ୱିପ୍ରହରରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି l ବୁର୍ଲା କିଭା ଛକ ନିକଟରେ ଜଣେ ମାଂସ ବ୍ୟବସାୟୀଙ୍କୁ ଲକ୍ଷ୍ୟ କରି ୩ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ଘଟଣାସ୍ଥଳରେ ମହମ୍ମଦ ଅନିସ କାଦରୀଙ୍କ ମୃତ୍ୟୁ ଘଟିଛି l ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଗୁଳିକାଣ୍ଡ ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି l ସୂଚନା ଅନୁଯାୟୀ, ମହମ୍ମଦ ଅନିସ କାଦରୀ କିଭା ଛକ ନିକଟରେ ଥିବା ସମୟରେ ଜଣେ ଯୁବକ ଏକ ଅଟୋରେ ସେଠାରେ ପହଞ୍ଚିଥିଲେ l ଅନିସଙ୍କୁ ଦେଖିବା ପରେ ଅଭିଯୁକ୍ତ ହଠାତ୍ ତାଙ୍କ ଉପରକୁ ଗୁଳି ଚଳାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ ପୁଲିସକୁ କହିଛନ୍ତି l ଗୁଳି ତାଙ୍କ ମୁଣ୍ଡ, ଛାତି ଓ ପେଟରେ ବାଜିଥିବା ଜଣାପଡ଼ିଛି l ଗୁରୁତର ଆହତ ଅବସ୍ଥାରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା l ଗୁଳିକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିଲେ l ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ବୁର୍ଲା ପୁଲିସ ତୁରନ୍ତ ପହଞ୍ଚି ତାଙ୍କୁ ପିଛା କରି ଧରିବାରେ ସଫଳ ହୋଇଥିଲା l

ପରେ ଅଭିଯୁକ୍ତଙ୍କୁ ବୁର୍ଲା ଥାନାକୁ ନିଆଯାଇ ପଚରାଉଚରା ଜାରି ରହିଛି l ତେବେ ଅଟକ ଯୁବକଙ୍କ ପରିଚୟ ପୁଲିସ ପକ୍ଷରୁ ଏଯାଏଁ ସ୍ପଷ୍ଟ କରାଯାଇନାହିଁ l ଅନ୍ୟପକ୍ଷରେ, ଗୁଳିକାଣ୍ଡର ଭିଡିଓ ଘଟଣା ପରେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଜଣାପଡ଼ିଛି l ଭିଡିଓ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l ପୁଲିସ ମୃତଦେହ ଜବତ କରି ବୁର୍ଲା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି l ଘଟଣାସ୍ଥଳରୁ ଗୁଳିକାଣ୍ଡ ସମ୍ପର୍କିତ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ ଆବଶ୍ୟକ ହେଲେ ସାଇଣ୍ଟିଫିକ୍ ଟିମ୍ର ସହାୟତା ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି l ଗୁଳିକାଣ୍ଡ ପଛରେ ବ୍ୟକ୍ତିଗତ ଶତ୍ରୁତା, ବ୍ୟବସାୟିକ ବିବାଦ ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି l ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଓ କଲ୍ ଡିଟେଲ୍ ଯାଞ୍ଚ କରାଯିବା ସହ ଘଟଣା ପୂର୍ବରୁ ଓ ପରେ ତାଙ୍କ ଗତିବିଧି ସମ୍ପର୍କରେ ମଧ୍ୟ ଖୋଳତାଡ଼ କରାଯାଉଛି l ଗୁଳିକାଣ୍ଡର ପ୍ରକୃତ କାରଣ ଓ ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ତଦନ୍ତ ପରେ ସ୍ପଷ୍ଟ ହେବ l



Total Users : 3722