ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର :
ଭୁବନେଶ୍ୱର, ସେପ୍ଟେମ୍ବର ୧୧: ଆଗାମୀ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଚଳିତବର୍ଷ ରାଜଧାନୀରେ ପ୍ରାୟ ୪୨୦ଟି ପୂଜା ମଣ୍ଡପରେ ଗଣେଶ ପୂଜା ଆୟୋଜିତ ହେବାର ସମ୍ଭାବନା ରହିଛି। ଏନେଇ ବିଏମ୍ସି ମୁଖ୍ୟାଳୟର ଏକାମ୍ର ହଲ୍ରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବିଏମ୍ସି କମିଶନର ଚଞ୍ଚଳ ରାଣାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ। ମେୟର ପୋଲିସ ଓ ଟ୍ରାଫିକ୍ ବିଭାଗକୁ ଆଇନଶୃଙ୍ଖଳା ରକ୍ଷା ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଅଧିକ ଭିଡ଼ ହେଉଥିବା ପୂଜା ମଣ୍ଡପ ନିକଟରେ ଟ୍ରାଫିକ୍ ପରିଚାଳନା ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟୁତ୍ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଗଣେଶ ପୂଜା ସହ ରାଜଧାନୀରେ ପର୍ବପର୍ବାଣୀର ଋତୁ ଆରମ୍ଭ ହେଉଥିବାରୁ ପୂଜା ପୂର୍ବରୁ ସମସ୍ତ ବିଦ୍ୟୁତ୍ ବ୍ୟବସ୍ଥାର ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି।
*ଟିପିସିଓଡିଏଲ୍ (TPCODL) କୁ ସହରର ବିଦ୍ୟୁତ୍ ଖୁଣ୍ଟଗୁଡ଼ିକର ଯାଞ୍ଚ କରିବା ସହ ଜଟିଳ କିମ୍ବା ବିପଦଜନକ ଅବସ୍ଥାରେ ଥିବା ଖୁଣ୍ଟଗୁଡ଼ିକୁ ତୁରନ୍ତ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଖରାପ ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକର ମରାମତି ଏବଂ ଝୁଲି ରହିଥିବା ବିଦ୍ୟୁତ୍ ତାରଗୁଡ଼ିକୁ ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ପୂଜା ପୂର୍ବରୁ ସଜାଡ଼ିବାକୁ କୁହାଯାଇଛି।
ଗଣେଶ ମୂର୍ତ୍ତି ଶୋଭାଯାତ୍ରା ଓ ବିସର୍ଜନ ପାଇଁ ବ୍ୟବହୃତ ହେବାକୁ ଥିବା ରାସ୍ତାଗୁଡ଼ିକ ଉପରେ ମଧ୍ୟ ବିଶେଷ ନଜର ଦିଆଯାଇଛି।

ବିଏମ୍ସିର ବିଦ୍ୟୁତ୍ ବିଭାଗକୁ ନିଜ ଅଧୀନସ୍ଥ ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥାର ମରାମତି ଓ ଉନ୍ନତିକରଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ପୂଜା ପୂର୍ବରୁ ରାସ୍ତା ମରାମତିସହରର ବିଭିନ୍ନ ସ୍ଥାନରେ ଚାଲିଥିବା ରାସ୍ତା କଟିଂ ଓ ୟୁଟିଲିଟି କାମ ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା। ୱାଟ୍କୋ (WATCO) ପକ୍ଷରୁ ବିଭିନ୍ନ ସ୍ଥାନରେ ପେଭର ବ୍ଲକ୍ ହଟାଇ କାମ କରାଯାଉଥିବାରୁ ପର୍ବ ସମୟରେ ନୂଆ କରି ରାସ୍ତା କାଟିବା କାମ ନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ୟୁଟିଲିଟି କିମ୍ବା ଅନ୍ୟାନ୍ୟ କାମ ପାଇଁ ପୂର୍ବରୁ ଖୋଳାଯାଇଥିବା ରାସ୍ତାଗୁଡ଼ିକୁ ତୁରନ୍ତ ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ୱାଟ୍କୋ ଓ ଓର୍କ୍ସ ବିଭାଗକୁ ରାସ୍ତାର ଖାଲଖମା ତୁରନ୍ତ ମରାମତି କରିବାକୁ କୁହାଯାଇଛି। ବିଏମ୍ସିର ତିନିଟି ଜୋନ୍ର ଜୋନାଲ୍ କମିଶନରମାନଙ୍କୁ ନିଜ ନିଜ ଅଞ୍ଚଳର ରାସ୍ତାଗୁଡ଼ିକ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏଥିସହ ଜଏଣ୍ଟ ଡେପୁଟି କମିଶନର (JDC)ମାନେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ନୋଟିସ୍ ଜାରି କରି ବକେୟା ରାସ୍ତା କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେବେ।

୪ଟି ଅସ୍ଥାୟୀ ବିସର୍ଜନ ପୋଖରୀ
ଗଣେଶ ମୂର୍ତ୍ତିର ସୁରକ୍ଷିତ ବିସର୍ଜନ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ୪ଟି ଅସ୍ଥାୟୀ ବିସର୍ଜନ ପୋଖରୀ ଖନନ କରାଯିବ।
କୁଆଖାଇ ନଦୀର ପୂର୍ବ ଓ ପଶ୍ଚିମ ପାର୍ଶ୍ୱରେ ଗୋଟିଏ ଲେଖାଏଁ ପୋଖରୀ ଖୋଳାଯିବ। ଏହାସହ ଟଙ୍କପାଣି ନିକଟରେ ଗୋଟିଏ ଏବଂ ଦୟା ନଦୀ ଶଯ୍ୟା ନିକଟରେ ଆଉ ଗୋଟିଏ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯିବ। ବିସର୍ଜନ ପୋଖରୀ ନିକଟକୁ ଯିବା ପାଇଁ ଆପ୍ରୋଚ୍ ରୋଡ୍ ଓ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା କରାଯିବ।
ବିସର୍ଜନ ସମୟରେ ପରିଚାଳନା ଓ ସୁରକ୍ଷା ପାଇଁ ପୋଲିସ, ଟ୍ରାଫିକ୍, ଟିପିସିଓଡିଏଲ୍ ଏବଂ ବିଏମ୍ସିର ସ୍ୱତନ୍ତ୍ର ଟିମ୍ ନିୟୋଜିତ ହେବେ। ଆବଶ୍ୟକ ଉପକରଣ ସହ JCB ମେସିନ୍ ମଧ୍ୟ ମୁତୟନ କରାଯିବ। ଭବିଷ୍ୟତରେ ଏହି ଅସ୍ଥାୟୀ ବିସର୍ଜନ ପୋଖରୀଗୁଡ଼ିକୁ ଯିବା ପାଇଁ ସ୍ଥାୟୀ ରାସ୍ତା ନିର୍ମାଣର ସମ୍ଭାବନା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ପୂଜା ମଣ୍ଡପଗୁଡ଼ିକରେ ଓ ଏହାର ଆଖପାଖରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବିଏମ୍ସିର ପରିମଳ ବିଭାଗ ଓ ସମ୍ପୃକ୍ତ JDCମାନେ ଆବଶ୍ୟକ ପଦକ୍ଷେପ ନେବେ।
ପୂଜା ମଣ୍ଡପରୁ ପୂଜାରେ ବ୍ୟବହୃତ ଓ ପରେ ପରିତ୍ୟକ୍ତ ଫୁଲ ସଂଗ୍ରହ ପାଇଁ ବିଏମ୍ସିର ତିନିଟି ଜୋନ୍ ପାଇଁ ତିନୋଟି ସ୍ୱତନ୍ତ୍ର ଗାଡ଼ି ନିୟୋଜିତ କରାଯିବ। ପୂଜା କମିଟିଗୁଡ଼ିକ ଫୁଲକୁ ଏଣେତେଣେ ନ ଫିଙ୍ଗି ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ଅଲଗା ଭାବେ ରଖିବାକୁ ବିଏମ୍ସି ପକ୍ଷରୁ ଅନୁରୋଧ କରାଯାଇଛି।
ରାସ୍ତା ଖୋଳିବା ପାଇଁ ଅନୁମତି ଆବଶ୍ୟକ ବିଦ୍ୟୁତ୍, ପାନୀୟ ଜଳ କିମ୍ବା ଅନ୍ୟାନ୍ୟ ସମ୍ପର୍କିତ ବ୍ୟବସ୍ଥା ପାଇଁ ପୂଜା କମିଟିଗୁଡ଼ିକ ଯଦି ରାସ୍ତା, ଡିଭାଇଡର୍ କିମ୍ବା ଅନ୍ୟ କୌଣସି ସାର୍ବଜନୀନ ସ୍ଥାନ ଖୋଳିବାକୁ ଚାହାନ୍ତି, ତେବେ ପୂର୍ବରୁ ପୋଲିସ, ବିଏମ୍ସି ଏବଂ ବିଦ୍ୟୁତ୍ ବିଭାଗର ଅନୁମତି ନେବାକୁ ପଡ଼ିବ।
ଅଧିକାରୀମାନେ କହିଛନ୍ତି ଯେ, ପ୍ରସ୍ତାବିତ କାମ ଯେପରି ସାଧାରଣ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ନ କରେ କିମ୍ବା ଯାତ୍ରୀମାନଙ୍କୁ ଅସୁବିଧାରେ ନ ପକାଏ, ତାହା ନିଶ୍ଚିତ ହେବା ପରେ ହିଁ ଅନୁମତି ଦିଆଯିବ। ଗଣେଶ ପୂଜାକୁ ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ବିଏମ୍ସି ପକ୍ଷରୁ ଜନସୁରକ୍ଷା, ଟ୍ରାଫିକ୍ ପରିଚାଳନା, ବିଦ୍ୟୁତ୍ ସୁରକ୍ଷା, ରାସ୍ତା ମରାମତି, ପରିମଳ ବ୍ୟବସ୍ଥା ଏବଂ ପରିବେଶ ଅନୁକୂଳ ମୂର୍ତ୍ତି ବିସର୍ଜନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।



Total Users : 6825