Headlines

ମାଲକାନଗିରି: ବିଚାରାଧୀନ କଏଦୀଙ୍କ ମୃତ୍ୟୁ,ମେଡିକାଲ ସମ୍ମୁଖରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୦୯/୦୯/୨୬
ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମୃତ କଏଦୀଙ୍କ ପରିବାର ଲୋକେ ଚିକିତ୍ସାରେ ଅବହେଳାର ଅଭିଯୋଗ ଆଣି ମୃତଦେହ ସହ ମେଡିକାଲ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁଣିଆପଡ଼ା ଗ୍ରାମର କବିରାଜ ରାଉତ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇ ମାଲକାନଗିରି ଉପ-କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ।

ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ମେଡିକାଲ ଆଣିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମିନତି ମହାନ୍ତି ସୂଚନା ଦେଇଛନ୍ତି। ଅପରପକ୍ଷରେ, ଜେଲ୍ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ କବିରାଜଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକେ ମୃତଦେହକୁ ହସ୍ପିଟାଲ ସମ୍ମୁଖରେ ରଖି ଧାରଣାରେ ବସିଥିଲେ। ଖବର ପାଇ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।​ପୋଲିସ ଓ ଡାକ୍ତରୀ ଦଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ମେଡିକାଲ କଲେଜକୁ ପଠାଯାଇଛି।​ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ କହିଛନ୍ତି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମିନତି ମହାନ୍ତି ।

Leave a Reply

Your email address will not be published. Required fields are marked *