Headlines

ପାହାଡ଼, ଜଙ୍ଗଲ ଓ ନେଟୱାର୍କର ସଂଘର୍ଷକୁ ପାର୍‌ କରି ନିଟ୍‌ରେ କୃତକାର୍ଯ୍ୟ: ମୟୂରଭଞ୍ଜ, କପ୍ତିପଦାର ଦୁଇ ଭଉଣୀଙ୍କ ପ୍ରେରଣାଦାୟୀ ସଫଳତା

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୦୧୦୯୨୦୨୬ (ସମୀକ୍ଷା ନ୍ୟୁଜ):

ଆଜିର ଯୁବପିଢ଼ି ଯେତେବେଳେ ମୋବାଇଲ୍ ଫୋନ୍‌କୁ କେବଳ ସୋସିଆଲ୍ ମିଡିଆରେ ରିଲ୍ସ6 ବନାଇବା ଏବଂ ଫଲୋର୍ସ ବଢ଼ାଇବାରେ ସୀମିତ ରଖୁଛନ୍ତି, ଠିକ୍ ସେହି ସମୟରେ ମୋବାଇଲକୁ ହିଁ ନିଜ ସଫଳତାର ମୁଖ୍ୟ ଅସ୍ତ୍ର କରି ଦେଖାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଦୁଇ ଭଉଣୀ। ବଣ, ଜଙ୍ଗଲ ଓ ପାହାଡ଼ ଘେରା ଦୂରବର୍ତୀ ଅଞ୍ଚଳରେ ରହି, ନେଟୱାର୍କର ବିଭିନ୍ନ ଅସୁବିଧାକୁ ସାମ୍ନା କରି ମଧ୍ୟ ସେମାନେ ଜାତୀୟ ସ୍ତରର ‘ନିଟ୍’ (NEET) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।


​ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମଝିଗଡ଼ିଆ ପଞ୍ଚାୟତ ଅନ୍ତର୍ଗତu ଚତୁରୀସାହି ମହୁଲପଙ୍ଗା ଗ୍ରାମର ଗୌରାଙ୍ଗ ଖଟୁଆ ଏବଂ ସୁନିତା ଖଟୁଆଙ୍କ ଦୁଇ କନ୍ୟା—ବଡ଼ ଝିଅ ଜାଙ୍ଗସିନି ଖଟୁଆ ଏବଂ ସାନ ଝିଅ ଦିବ୍ୟସିନି ଖଟୁଆ ଏହି ଗୌରବ ଅର୍ଜନ କରିଛନ୍ତି। ବଡ଼ ଝିଅ ଜାଙ୍ଗସିନି ୨୦୨୩ ମସିହାରୁ ନିରନ୍ତର କଠିନ ପରିଶ୍ରମ ଓ ଅଧ୍ୟବସାୟ ଜାରି ରଖିଥିବାବେଳେ, ସାନ ଝିଅ ଦିବ୍ୟସିନି ଯୁକ୍ତ ଦୁଇ (+2) ପାଠପଢ଼ା ସମାପ୍ତି ପରେ ଏହି ସଫଳତା ହାସଲ କରିଛନ୍ତି।
​ସାଧାରଣତଃ ସହରାଞ୍ଚଳରେ ପାଠପଢ଼ା ପାଇଁ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ଉପଲବ୍ଧ ଥାଏ। ମାତ୍ର ଗ୍ରାମାଞ୍ଚଳର ପଛୁଆ ଏବଂ ଦୁର୍ଗମ ଅଞ୍ଚଳରେ ଅନେକ ସମୟରେ ସେହି ସୁବିଧା ପର୍ଯ୍ୟାପ୍ତ ହୋଇନଥାଏ। ତଥାପି, ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ଯେ ଅଗମ୍ୟ ସ୍ଥାନରୁ ମଧ୍ୟ ସଫଳତାର ଶିଖରରେ ପହଞ୍ଚି ହୁଏ, ତାହା ଏହି ଦୁଇ ଭଉଣୀ ପ୍ରମାଣିତ କରିଛନ୍ତି।
​ଗ୍ରାମାଞ୍ଚଳର ମାଟିରୁ ଆସିଥିବା ଏହି ସଫଳତାର କାହାଣୀ ଆଜି ସମାଜକୁ ଏକ ବାର୍ତ୍ତା ଦେଉଛି ଯେ— ଜୀବନରେ ଯେତେ ବାଧାବିଘ୍ନ କିମ୍ବା ଅଭାବ ଅସୁବିଧା ଆସୁନା କାହିଁକି, ଯଦି ଲକ୍ଷ୍ୟ ପ୍ରତି ନିଷ୍ଠା ଏବଂ ଦୃଢ଼ ମନୋବଳ ଥାଏ, ତେବେ ଜଣେ ନିଶ୍ଚିତ ଭାବରେ ନିଜର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ।

Leave a Reply

Your email address will not be published. Required fields are marked *