ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୧/୯ – ରବିବାର ସନ୍ଧ୍ୟା ଓ ସୋମବାରର ଲଗାତାର ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ପରିସ୍ଥିତି ଗୁରୁତର ହୋଇପଡ଼ିଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ତଥା ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ପାଇଁ ବିଭିନ୍ନ ନଦୀରେ ବନ୍ୟା ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ପ୍ରଭାବିତ ବ୍ଲକ ଯଥା ସରସକଣା, ବାଙ୍ଗିରିପୋଷି, ବିଶୋଇ, କୁଳିଅଣା, ବଡ଼ସାହି ଏବଂ ବେତନଟି ବ୍ଲକ୍ ର ସବୁ ସ୍କୁଲ୍ ବନ୍ଦ ରହିବା ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ପାଇଁ ବିଦ୍ୟାର୍ଥୀଙ୍କ ଛୁଟି ଘୋଷଣା ହୋଇଛି । ପାଣିପାଗ ରେଡ ଓ୍ଵାର୍ଣ୍ଣିଂ ପାଇଁ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ଅରେଞ୍ଜ ଓ୍ବାର୍ଣ୍ଣିଂ ରହିଛି । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଥିଲେ ମଧ୍ୟ ସମସ୍ତ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବାଧ୍ୟତାମୂଳକ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ପ୍ରଶାସନ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ।

ଗତ ସୋମବାର ଲଗାଣ ବର୍ଷାରେ ଫୁଲି ଉଠିଛି ବୁଢ଼ାବଳଙ୍ଗ । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଦ୍ରୁତଗତିରେ ବଢ଼ିଛି ବିଭିନ୍ନ ନଦୀର ଜଳସ୍ତର। ବଡ଼ସାହି ବ୍ଲକର ବେଳପାଳ ଓ ନାଖରା ରାସ୍ତା ଦେଉ ଗମନାଗମନ ବିଚ୍ଛିନ୍ନ ହୋଇଛି । ବନ୍ୟାଜଳର ତୃତୀୟ ପ୍ରଭାବ ଓ ବଡ଼ବନ୍ୟାର ଆଶଙ୍କାରେ ନଦୀକୂଳିଆ ଅଞ୍ଚଳବାସୀ ଭୟଭୀତ ରହିଛନ୍ତି । ନାଖରା, ପାଟଳିପୁରା, ଶାଳଗାଁ, ଦାରିହା, କାଠପାଳ, ସିଂଲାମୁଣ୍ଡଳି ଭଳି ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି ।
କେବଳ ବୁଢ଼ାବଳଙ୍ଗ ନୁହେଁ, ଗଙ୍ଗାହାର ନଦୀର ଜଳସ୍ତର ମଧ୍ୟ ଦ୍ରୁତଗତିରେ ବଢ଼ୁଥିବା ଜଣାପଡିଛି । ଲଗାତର ବନ୍ୟା ଜଳ ଯୋଗୁଁ ନଦୀପାର୍ଶ୍ୱବର୍ତ୍ତୀ ଚାଷଜମିରେ ବନ୍ୟାଜଳ ପଶିବା ଆରମ୍ଭ କରିଥିବାରୁ ଚାଷୀଙ୍କ କ୍ଷତିକୁ ବ୍ୟାପକ କରିଦେଇଛି । ସୋମବାର ରାତିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀକୂଳ ଗ୍ରାମଗୁଡିକ ନଜର ରଖାଯାଇଛି ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ମୟୂରଭଞ୍ଜ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ରହି ବନ୍ୟା ସ୍ଥିତିକୁ ନଜର ରଖିଛନ୍ତି । ପୂର୍ବ ବା ଗତ କିଛିଦିନ ଆଗର ବନ୍ୟା ଓ ଚଳିତ ବନ୍ୟାପାଣି ଫଳରେ ବିପଦସଂକୁଳ ଅବସ୍ଥାରେ ଥିବା ନାଖରା ସେତୁ ଉପରେ ଭାରୀ ଯାନବାହନ ଚଳାଚଳ ବନ୍ଦକରିବା ସହ ପୋଲ ଉପରେ ଛିଡା ହୋଇ ବନ୍ୟା ଦେଖିବା ଲୋକଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ସେତୁର ଦୁଇ ପାର୍ଶ୍ୱରେ ପୁଲିସ ମୁତୟନ କରାଯାଇଛି। ମାଟିକାନ୍ଥ ଘରେ କେହି ନ ରହିବାକୁ ନିର୍ଦ୍ଦେଶ ରହିଛି । ବଡ଼ସାହି ବ୍ଲକର ୩୮ଟି ନିର୍ଦ୍ଦିଷ୍ଟ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ଆଲର୍ଟ କରାଯାଇଛି ।

ତେବେ ଆଜି ବର୍ଷାର ପରିମାଣ କିଛିଟା କମିଥିବାରୁ ବଡ଼ବନ୍ୟା ବିପଦରୁ ଉଦ୍ଧାର ମିଳିବା ନେଇ ନଈକଡ଼ ବାସୀ ଆଶ୍ୱସ୍ତ ଲାଭ କରୁଥିବା ଜଣାପଡିଛି । ତେବେ ବିଗତ ବର୍ଷା ଭଳି ପୁଣି ବର୍ଷା ଜାରି ରହିଲେ ଧାନ ସମେତ ପନିପରିବା ଚାଷରେ ସମ୍ପୂର୍ଣ୍ଣ କ୍ଷତି ହେବା ନିଶ୍ଚିତ ବୋଲି ଚାଷୀସମୂହ ମୁଣ୍ଡରେ ଚଡକ ପଡିଛି । ନଦୀକଡ଼ବାସୀଙ୍କୁ ସତର୍କ ରହିବା ସହିତ ପ୍ରଶାସନିକ ନିର୍ଦ୍ଦେଶ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି ।



Total Users : 3623