Headlines

ଯୁଯୁରାଙ୍ଗ ପୋଖରୀ ରାସ୍ତାରେ ଖୋଲା ଟ୍ରାନ୍ସଫର୍ମର, ବିପଦ ଆଶଙ୍କା—ବିଦ୍ୟୁତ ବିଭାଗ  ଚେତିବ କେବେ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି ୨୭/୦୮: କେସିଙ୍ଗାବ୍ଲକ, ଗୋକୁଲେଶ୍ୱର ପଞ୍ଚାୟତ: ଯୁଯୁରାଙ୍ଗ ଗାଁର ପୋଖରୀକୁ ଯିବା ରାସ୍ତାରେ ଏକ ଟ୍ରାନ୍ସଫର୍ମର ଅସୁରକ୍ଷିତ ଓ ବିପଦଜନକ ଅବସ୍ଥାରେ ଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଲୋକଙ୍କ ଯାତାୟାତ ହେଉଥିବା ରାସ୍ତା ନିକଟରେ ଟ୍ରାନ୍ସଫର୍ମରଟି ଖୋଲା ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି।

ବିଶେଷକରି ଏହି ରାସ୍ତାରେ ଗ୍ରାମବାସୀଙ୍କ ସହ ଛୋଟ ପିଲାମାନେ ମଧ୍ୟ ଯାତାୟାତ କରୁଥିବାରୁ ବିଦ୍ୟୁତ୍ ଦୁର୍ଘଟଣାର ଆଶଙ୍କାକୁ ଅଣଦେଖା କରାଯାଇପାରେନାହିଁ। ଟ୍ରାନ୍ସଫର୍ମର ଚାରିପାଖରେ ଯଥେଷ୍ଟ ସୁରକ୍ଷା ବାଡ଼, ଚେତାବନୀ ଫଳକ ଓ ଅନ୍ୟାନ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ରହିଛି କି ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ବର୍ଷ ଗୋଟିଏ ଗାଈ ବିଦ୍ୟୁତ୍ ଆଘାତରେ ଅଳ୍ପକେ ବଂଚିଯାଇଥିଲା ।ଏଭଳି ବିପଦଜନକ ସ୍ଥିତି ଦୀର୍ଘ ସମୟ ଧରି ରହିଥିଲେ ମଧ୍ୟ ସମ୍ପୃକ୍ତ ବିଦ୍ୟୁତ୍ କର୍ମଚାରୀମାନେ ଏହାର ସ୍ଥାୟୀ ସମାଧାନ ପାଇଁ କାହିଁକି ପଦକ୍ଷେପ ନେଇନାହାନ୍ତି, ତାହା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

କୌଣସି ଅଘଟଣ ଘଟିବା ପରେ ତଦନ୍ତ କରିବା ଅପେକ୍ଷା, ତାହା ପୂର୍ବରୁ ବିପଦକୁ ଚିହ୍ନଟ କରି ସୁରକ୍ଷା ବ୍ୟବସ୍ଥା କରିବା ହିଁ ବିଦ୍ୟୁତ୍ ବିଭାଗର ଦାୟିତ୍ୱ। ତେଣୁ ପ୍ରଶ୍ନ ଉଠୁଛି—ଯଦି ଏହି ଅସୁରକ୍ଷିତ ଟ୍ରାନ୍ସଫର୍ମର ଯୋଗୁଁ କୌଣସି ଅଘଟଣ ଘଟେ, ତେବେ ଦାୟିତ୍ୱ କାହାର ରହିବ?ଗ୍ରାମବାସୀଙ୍କ ଦାବି, ସମ୍ପୃକ୍ତ ବିଦ୍ୟୁତ୍ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଟ୍ରାନ୍ସଫର୍ମର ଚାରିପାଖରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରୁ। ଏଥିସହ ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ କୌଣସି ଅଭିଯୋଗ ମିଳିଥିଲା କି ନାହିଁ ଏବଂ ମିଳିଥିଲେ କଣ ପଦକ୍ଷେପ ନିଆଯାଇଛି, ସେନେଇ ବିଭାଗ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *