କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ/ କାଶୀପୁର/ସମୀକ୍ଷା ନ୍ୟୁଜ , ୨୩/୦୮ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଯୁବାପଦର ଗାଁରେ ଗୋଟିଏ ଦିନରେ ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଭୁଲ ଚିକିତ୍ସା ଓ ଇଞ୍ଜେକସନ୍ ଦେବା ଯୋଗୁଁ ଦୁଇ ଶିଶୁଙ୍କ ଜୀବନ ଯାଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି।

ମୃତ ଶିଶୁ ଦୁଇଜଣ ହେଲେ ଯୁବାପଦର ଗ୍ରାମର ଖଗେଶ୍ୱର ମାଝୀଙ୍କ ୬ ବର୍ଷର ପୁଅ ସୁବାସ ମାଝୀ ଏବଂ ଦୁର୍ଯ୍ୟ ପୂଜାରୀଙ୍କ ୪ ବର୍ଷର ପୁଅ ହଳଧର ପୂଜାରୀ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଦୁଇ ଶିଶୁଙ୍କୁ ଦୁଇ ଦିନ ଧରି ଜ୍ୱର ହେଉଥିଲା। ଶୁକ୍ରବାର ଦିନ ସେମାନଙ୍କୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ାସ୍ଥିତ ଏକ ଘରୋଇ କ୍ଲିନିକ୍କୁ ନେଇ ଚିକିତ୍ସା କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଇଞ୍ଜେକସନ୍ ଦେବା ପରେ ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥିଲା ଏବଂ ପରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଡୁମ୍ବାଗୁଡ଼ାସ୍ଥିତ ଘରୋଇ କ୍ଲିନିକ୍ର ମାଲିକଙ୍କ ଚିକିତ୍ସାକୁ ମୃତକଙ୍କ ପରିବାର ଦାୟୀ କରିଛନ୍ତି।
ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ଥିବା ପରିବାର ପକ୍ଷରୁ କୁହାଯାଇଛି। ଯୁବାପଦର ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଗମନାଗମନ ଓ ଉନ୍ନତ ସ୍ୱାସ୍ଥ୍ୟସେବା ପହଂଚାଇବାରେ ଅସୁବିଧା ରହୁଛି। ଫଳରେ ଅଞ୍ଚଳବାସୀ ବାଧ୍ୟ ହୋଇ ପଡ଼ୋଶୀ କୋରାପୁଟ ଜିଲ୍ଲାର ବିଭିନ୍ନ କ୍ଲିନିକ୍ ଉପରେ ନିର୍ଭର କରୁଛନ୍ତି। ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ପାଗ ମେଘୁଆ ସହ ଲଗାଣ ବର୍ଷା ଲାଗିରହୁଛି। ଏହି ସମୟରେ ପରିବେଶ ସୁରକ୍ଷା ଓ ପାନୀୟ ଜଳ ବ୍ୟବହାର ସହ ଗାଁ ଲୋକଙ୍କୁ ସ୍ବାସ୍ଥ୍ୟ ଡଙ୍ଗାସିଲ ଓ କୁଚେଇପଦର ପଞ୍ଚାୟତ ଅଧୀନରେ ୨୦ରୁ ଅଧିକ ଗାଁ ରହିଥିବାରୁ ଏହି ଦୁର୍ଗମ ଅଞ୍ଚଳରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଦୁଇ ଶିଶୁଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ, ଚିକିତ୍ସାରେ କୌଣସି ଅବହେଳା ହୋଇଥିଲା କି ନାହିଁ ଏବଂ ଇଞ୍ଜେକସନ୍ ଯୋଗୁଁ ମୃତ୍ୟୁ ଘଟିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଓ ଅଞ୍ଚଳବାସୀ ଦାବି କରିଛନ୍ତି।

ସୂଚନା ମିଳିଛି ଯେ କାଶୀପୁର ବ୍ଲକରେ ଜ୍ବରର ପ୍ରକୋପ ବଢ଼ିବାରେ ଲାଗିଛି। ଗୋରଖପୁର ଗ୍ରାମ ପରେ ଏବେ କୁଚେଇ ପଦର ପଞ୍ଚାୟତ ଯୁବାପଦର ଗ୍ରାମରେ ଜ୍ଵରର ବିଭୀଷିକା ଦେଖା ଦେଇଛି। ଗ୍ରାମର ୨୦ରୁ ଅଧିକ ଜଣ ଜ୍ବରରେ ପୀଡ଼ିତ ଥିବାବେଳେ ଗତକାଲି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଖବର ପାଇବା ପରେ କାଶୀପୁର ସିଏଚସିର ମୋବାଇଲ ହେଲଥ୍ ଟିମ୍ ଗ୍ରାମରେ ପହଞ୍ଚି ଜ୍ବରରେ ପୀଡ଼ିତଙ୍କୁ ଚିକିତ୍ସା ଆରମ୍ଭ କରିଥିବା ଜଣା ଯାଇଛି। ଶତାଧିକ ପରିବାର ରହୁଥିବା ଯୁବା ପଦର ଗ୍ରାମରେ ଏକ ସପ୍ତାହରୁ ଅଧିକ ଦିନ ହେଲା ଜ୍ବର ଲାଗି ରହିଛି। ଗ୍ରାମର ଜଗବନ୍ଧୁ ମାଝୀ(୨୧), ଅନିତା ମାଝୀ(୧୦ ), ଲଳିତା ମାଝୀ (୯), ସୁଶୀଳା ପାଇକ, ନୀରୁ ପ୍ରଧାନୀ, କରୁଣା ପାଇକଙ୍କ ସମେତ ବହୁଜଣ ଜ୍ବରରେ ପୀଡ଼ିତ ଥିବା ଜଣା ଯାଇଛି। ପୀଡ଼ିତଙ୍କ ମଧ୍ୟରୁ କିଛି ଜଣ ଡଙ୍ଗାସିଲ ପିଏଚସିରେ ଚିକିତ୍ସିତ ହୋଇଥିଲେ ସୁଦ୍ଧା ଜ୍ବର ଛାଡ଼ୁନ ଥିବାର ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ, କୁଚେଇ ପଦର ପଞ୍ଚାୟତ ଏବଂ ଡଙ୍ଗାସିଲ ପଞ୍ଚାୟତ ସଦରରେ ଗୋଟିଏ ଲେଖାଏଁ ପିଏଚସି ରହିଛି।

କିନ୍ତୁ ଉକ୍ତ ପିଏଚସିରେ ଡାକ୍ତର ପଦବୀ ଖାଲି ପଡିଥିବାରୁ ଲୋକେ ଚିକିତ୍ସା ପାଇଁ ବେଆଇନ ଭାବେ ଚାଲୁଥିବା ଘରୋଇ କ୍ଲିନିକକୁ ଯିବା ପାଇଁ ବାଧ୍ୟ ହେଉଥିବାର କହିଛନ୍ତି। ଏହି ଘଟଣାରେ କାଶୀପୁର ସିଏଚସି ଇନ ଚାର୍ଜ ଡାକ୍ତର ନେତ୍ରାନନ୍ଦ ନାୟକ କହିଛନ୍ତି ଯେ,ଶିଶୁମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲେ ସୁଦ୍ଧା ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଗ୍ରାମରେ ଥିବା ଅନ୍ୟ ପୀଡ଼ିତଙ୍କ ଚିକିତ୍ସା ପାଇଁ ହେଲଥ ଟିମ୍ ପଠା ଯାଇଛି ବୋଲି କହିଛନ୍ତି । ଶିଶୁ ମୃତ୍ୟୁ ଘଟଣାର ଉପଯୁକ୍ତ ତଦନ୍ତ କରିବା ସହିତ ପୀଡିତଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯିବା ପାଇଁ ଦାବି ହେଉଛି।


Total Users : 3741