Headlines

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ସହ ଠାକୁରାଣୀଙ୍କ ଗହଣା ଲୁଟ

କପ୍ତିପଦା ଉପଖଣ୍ଡ ୨୭/୦୬/୨୬ (ଯଶୋବନ୍ତ ପରିଡା)

ଲୁଟେରାଙ୍କ ଟାର୍ଗେଟରେ ରହିଛି ମନ୍ଦିର। ଉଦଳା ଥାନାଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ସ୍ମଶାନ କାଳୀ ମନ୍ଦିରରେ ଗତ ରାତିରେ ଚୋରି ହୋଇଛି।
ଲୁଟେରାମାନେ ମନ୍ଦିରର ଫାଟକର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ସେମାନେ ମା କାଳୀଙ୍କ ହୁଣ୍ଡି ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇଯାଇଥିବା ବେଳେ, ମା ଦକ୍ଷିଣେଶ୍ୱର କାଳୀଙ୍କ ମୁକୁଟ ସହ ପୂଜାରେ ବ୍ୟବହୃତ ଗହଣା ମଧ୍ୟ ଲୁଟି ନେଇଛନ୍ତି। ହୁଣ୍ଡି ବାକ୍ସରୁ କେତେ ଟଙ୍କା ଲୁଟ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସକାଳେ ନିକଟସ୍ଥ ଟାଙ୍କା ସାହି ଗ୍ରାମର ଅରୁଣ କୁମାର ଚୌଧୁରୀ ପ୍ରତିଦିନ ପରି ମନ୍ଦିର ପରିସର ସଫା କରିବାକୁ ଆସିଥିବା ବେଳେ ଫାଟକର ତାଲା ଭଙ୍ଗା ଥିବା ଦେଖି ମନ୍ଦିର ପୂଜକଙ୍କୁ ସୂଚନା ଦେଇଥିଲେ। ପୂଜକ ମନ୍ଦିରରେ ପହଞ୍ଚି ଦେଖିଥିଲେ ଯେ, ମା କାଳୀଙ୍କ ହୁଣ୍ଡି ବାକ୍ସର ଟଙ୍କା, ମୁକୁଟ ଓ ଗହଣା ଚୋରି ହୋଇଯାଇଛି। ପରେ ପୋଲିସକୁ ଖବର ଦିଆଯାଇଥିଲା।
ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମନ୍ଦିରରେ ଦୁଇଟି ହୁଣ୍ଡି ବାକ୍ସ ଥିଲା। ଗୋଟିଏ ମା କାଳୀଙ୍କ ଓ ଅନ୍ୟଟି ଶନିଦେବଙ୍କ। ଚୋରମାନେ କେବଳ ମା କାଳୀଙ୍କ ହୁଣ୍ଡି ବାକ୍ସରୁ ସମସ୍ତ ନୋଟ୍ ଟଙ୍କା ନେଇଯାଇଥିବା ବେଳେ କିଛି ଖୁଚୁରା ପଇସା ଛାଡ଼ି ଯାଇଛନ୍ତି। ଶନିଦେବଙ୍କ ହୁଣ୍ଡି ବାକ୍ସକୁ କୌଣସି କ୍ଷତି କରାଯାଇନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଏହି କାଳୀ ମନ୍ଦିରରେ ପୂର୍ବରୁ ଦୁଇଥର ଚୋରି ହୋଇଥିବା ବେଳେ, ଏହା ତୃତୀୟ ଘଟଣା। ଏଥିରେ ଭକ୍ତମାନଙ୍କ ଭାବନାକୁ ଗଭୀର ଆଘାତ ଲାଗିଛି।
ମନ୍ଦିର ପୂଜକଙ୍କ ଅଭିଯୋଗ ଅନୁସାରେ, ପୋଲିସର ନିୟମିତ ପେଟ୍ରୋଲିଂ ବ୍ୟବସ୍ଥା ସଠିକ୍ ଭାବେ କାର୍ଯ୍ୟକରୀ ହେଉନଥିବାରୁ ଏପରି ଘଟଣା ବାରମ୍ବାର ଘଟୁଛି। ସେହିପରି, ଅଞ୍ଚଳରେ ଧଳା ନିଶାଦ୍ରବ୍ୟର କାରବାର ବୃଦ୍ଧି ପାଇଥିବାରୁ ମଧ୍ୟ ଏଭଳି ଅପରାଧ ବଢ଼ୁଥିବା ନେଇ କିଛି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି, ଏହି ଘଟଣାରେ ସମ୍ପୃକ୍ତ ଲୁଟେରାଙ୍କୁ ଧରିବାରେ ପୋଲିସ କେବେ ସଫଳ ହେଉଛି।

Leave a Reply

Your email address will not be published. Required fields are marked *