Headlines

ଶ୍ରାବଣରେ କାଉଡ଼ିଆଙ୍କ ଭକ୍ତି ଓ ସଉକ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି- ୨୪/୮ ଭଗବାନ ଶିବ ବା ମହାଦେବଙ୍କର ପବିତ୍ର ତଥା ପ୍ରିୟମାସ ଭାବେ ପ୍ରାୟତଃ ଶ୍ରାବଣମାସକୁ ହିଁ ମନାଯାଏ । ତେବେ ଶ୍ରାବଣମାସ ଏବଂ ଶିବଙ୍କ ବାର ଅନୁଯାୟୀ ସୋମବାର ଗୁରୁତ୍ୱ ବହନ କରେ । ପୁଣି ଚଳିତ ଶ୍ରାବଣର ଏହା ଥିଲା ଶେଷ ସୋମବାର । ବିଧି ଅନୁଯାୟୀ ଶ୍ରାବଣ ସୋମବାର ବ୍ରତ ସୂର୍ଯ୍ୟୋଦୟ ପ୍ରାରମ୍ଭରୁ ଆରମ୍ଭ କରି ଦ୍ୱିତୀୟ ପ୍ରହର ପର୍ଯ୍ୟନ୍ତ କରାଯାଏ । ଏହିସମୟ ମଧ୍ୟରେ ନୀତିକ୍ରମେ ବ୍ରତୀମାନେ ଥରେ ମାତ୍ର ଭୋଜନ କରିବା ତଥା ମାସ ତମାମ ନିରାମିଷ ଖାଦ୍ୟ ଗ୍ରହଣ ନକରିବା, ଚୁଳ ବା ଦାଢ଼ି ନକାଟିବା ପ୍ରଥା ରହିଛି । ମହିଳାମାନଙ୍କ ପାଇଁ ଏହି ବ୍ରତ ବିଶେଷ ଫଳପ୍ରଦ ବୋଲି କୁହାଯାଏ ।

ତେବେ ଶ୍ରାବଣ ମାସରେ କାଉଡ଼ିଆ ବା ବୋଲବମ ଯାତ୍ରା ଏକ ଭକ୍ତିମୟ ପଦଯାତ୍ରା, ଯାହା କେବଳ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ସମର୍ପିତ । ଭାରତର ବିଭିନ୍ନ ରାଜ୍ୟରେ ଏହା ପାଳିତ । ପବିତ୍ର ନଦୀରୁ ପୂଜାର୍ଚ୍ଚନା କରି ଶିବଙ୍କ ଉଦ୍ଦେଶ୍ୟରେ କଳସୀରେ ନଦୀଜଳ ଉଠାଇ ସେହି ଜଳକୁ ଶିବଲିଙ୍ଗ ଉପରେ କାଉଡ଼ିଆ ସମୂହ ଅର୍ପଣ କରିଥାନ୍ତି । ଜଳପୂର୍ଣ କଳସକୁ କାନ୍ଧରେ ବୋହି ଶିବଧ୍ୱନୀ ଉଚ୍ଚାରଣ କରି, ନାରା ଦେଇ ପଦଯାତ୍ରା କରିବା ଏବଂ ଶିବଲିଙ୍ଗରେ ଜଳ ଅର୍ପଣ କରି ଶିବଙ୍କ କୃପା ଲାଭକରିବା ଏହି କାଉଡ଼ିଆ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ । କମଳାରଙ୍ଗ ପୋଷାକ ଧାରଣ କରି କାନ୍ଧରେ କଳସୀଜଳ ବୋହି ବୋଲବମ ହର ହର ବୋମ ନାରା ଦେଇ ଖାଲିପାଦରେ କାଉଡ଼ିଆ ଭକ୍ତଙ୍କ ଯାତ୍ରା କେବଳ ଏହି ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ପୂର୍ବରୁ ଦେଖିବାକୁ ମିଳେ । କାରଣ, ସୋମବାର ସକାଳୁହିଁ ସେଇ ଜଳକୁ ସେମାନେ ସ୍ଥାପିତ ଶିବଲିଙ୍ଗରେ ଅର୍ପଣ କରିବା ବିଧି ରହିଛି । ଶ୍ରାବଣ ମାସରେ ଅନ୍ୟାନ୍ୟ ପାଳିତ ପର୍ବମାନଙ୍କ ମଧ୍ୟରେ ଚିତାଲାଗି ବା ଚିତଉ ଅମାବାସ୍ୟା, ନାଗ ବା ମନସା ପଞ୍ଚମୀ, ଝୁଲଣ ଯାତ୍ରା, ଗହ୍ମାପୂର୍ଣ୍ଣମୀ ବା ଶ୍ରୀ ବଳଭଦ୍ର ଜନ୍ମ ଭଳି ବିଶେଷ ପୂଜାପର୍ବ ପାଳିତ ହୋଇଥାଏ । ମତାନୁଯାୟୀ ବ୍ରହ୍ମା ରଜ ଗୁଣରେ ସୃଷ୍ଟି କରନ୍ତି, ବିଷ୍ଣୁ ସତ୍ୱ ଗୁଣରେ ପାଳନ ପୋଷଣ କରନ୍ତି ତଥା ପ୍ରଭୁ ଶିବ ପ୍ରଳୟ ବା ବିନାଶ କରନ୍ତି ବୋଲି ଶାସ୍ତ୍ରରୁ ଜଣାପଡେ । ଭାରତ ବର୍ଷରେ ବହୁ ଦେବାଦେବୀଙ୍କ ପୂଜାର୍ଚ୍ଚନା ହେଉଥିବା ବେଳେ ମହାଦେବ ଶିବଙ୍କ କଥା କିନ୍ତୁ ଟିକିଏ ଭିନ୍ନ । ଶିବ ଅଳ୍ପକେ ସନ୍ତୁଷ୍ଟ ହୋଇ ଭକ୍ତଙ୍କ ମନସ୍କାମନା ପୂରଣ କରୁଥିବା ବିଶ୍ୱାସରେ ଶିବଙ୍କ ଭକ୍ତସଂଖ୍ୟା ସର୍ବାଧିକ ବୋଲି ବିବେଚନା କରାଯାଇଥାଏ ।

ବୃହତ ମୟୂରଭଞ୍ଜ ଜିଲ୍ଲାରେ ଶତାଧିକ ଶୈବପୀଠରେ ଶ୍ରାବଣର ଶେଷ ସୋମବାର ପାଇଁ କାଉଡ଼ିଆଙ୍କ ଯାତ୍ରା ଓ ସମାବେଶ ଦେଖିବାକୁ ମିଳିଥିଲା । ତନ୍ମଧ୍ୟରୁ ବଡ଼ସାହି ବ୍ଲକର ବହୁଚର୍ଚ୍ଚିତ ସର୍ବପୁରାତନ ତଥା ଐତିହାସିକ ମାଣତ୍ରୀସ୍ଥ ବାବା କଖାରୁଆ ବୈଦ୍ୟନାଥ ପୀଠ, ଖିଚିଂର କୁଟେଇତୁଣ୍ଡି ଓ ଚନ୍ଦ୍ରଶେଖର ମହାଦେବଙ୍କ ପୀଠ, ରାଇରଙ୍ଗପୁର ପୁରୁଣାଘାଟି ଗଢ଼ସ୍ଥ ଐଶାନେଶ୍ବର ଶୈବପୀଠ, ବାଙ୍ଗିରିପୋଷି ବ୍ଲକର ଶିମଳାସ୍ଥ ବାବା ଶିମଳେଶ୍ବରଙ୍କ ପୀଠ ଆଦି ଜିଲ୍ଲାର ପ୍ରସିଦ୍ଧପୀଠ ଭାବେ ଖ୍ୟାତି ରହିଛି । ଅନ୍ୟମାନଙ୍କ ମଧ୍ୟରେ ଜାଲଘେରାସ୍ଥ ବାବା ବୁଢେଶ୍ବର, ଦେବଶୋଳର ବୁଦ୍ଧେଶ୍ୱର, କପ୍ତିପଦା ବ୍ଲକ ଝିଙ୍କପଦାର ବାବା ଝିଙ୍କେଶ୍ୱର, ବାରିପଦାର ବୁଢ଼ାରାଉଳ ଭଳି ଶୈବପୀଠ ଚର୍ଚ୍ଚା ମଧ୍ୟରେ ରହିଛି । ଏସବୁ ଶୈବପୀଠକୁ ଜିଲ୍ଲା ବ୍ୟତୀତ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର କାଉଡ଼ିଆଙ୍କ ଆଗମନ ହୋଇଥାଏ । ଖ୍ରୀ.ଅ. ୧୭୦୦ରେ ଧାରୁଆ ମହାରାଜାଙ୍କ ଦ୍ଵାରା ରାଇରଙ୍ଗପୁର ଐଶାନେଶ୍ବର ମନ୍ଦିର ପ୍ରତିଷ୍ଠା ହୋଇଥିବା ସମୟରେ ଶିମଳାସ୍ଥ ବୁଢ଼ାବଳଙ୍ଗ ନଦୀ କୂଳରେ ୧୯୧୫ ମସିହାରେ ବାବା ଶିମଳେଶ୍ବର ମନ୍ଦିର ସ୍ଥାପିତ ହୋଇଛି, ମାତ୍ର ୭ଶହ ବର୍ଷର ଐତିହ ବହନ କରିଛି ଓଡ଼ିଶା ପ୍ରସିଦ୍ଧ ତଥା ଐତିହାସିକ ମାଣତ୍ରୀସ୍ଥ ବାବା କଖାରୁଆ ପୀଠ ।

କିମ୍ବଦନ୍ତୀ ଅନୁସାରେ ଗଜପତି ରାଜା ପ୍ରତାପରୁଦ୍ର ଦେବଙ୍କ ପୁଅ କଖାରୁଆ ଧବଳକୁଷ୍ଠରେ ପୀଡ଼ିତ ଥିଲେ । ପାଣିକଖାରୁ ଭଳି ଧଳା ଦେଖାଯାଉଥିବା କୁଷ୍ଠରୋଗ ଦାଉରୁ ଆରୋଗ୍ୟଲାଭ ପାଇଁ ସେ ବିହାରର ଦେଓଘର ଠାରେ ବୈଦ୍ୟନାଥଙ୍କ ପୀଠରେ ପୂଜାର୍ଚ୍ଚନା ପୂର୍ବକ ଅଧିଆ ପଡିବାରୁ ମହାଦେବ ସନ୍ତୁଷ୍ଟ ହୋଇ ସ୍ୱୟଂ ଶିବଲିଙ୍ଗ ରୂପେ ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ଗଙ୍ଗାହାର ନଦୀ କୂଳରେ ଜଳ ମଧ୍ୟରେ ବିରାଜମାନ କରିଛନ୍ତି ବୋଲି ସ୍ୱପ୍ନାଦେଶ କ୍ରମେ ଲିଙ୍ଗରୂପୀ ବୈଦ୍ୟନାଥଙ୍କୁ ଆବିଷ୍କାର କରିଥିଲେ । କାଳକ୍ରମେ ବାବା କଖାରୁଆ ବୈଦ୍ୟନାଥ ନାମରେ ସେ ମାଣତ୍ରୀସ୍ଥ ଗଙ୍ଗାହାର ନଦୀ କୂଳରେ ସ୍ଥାପିତ ହୋଇ ପରିଚିତ ହେଲେ । ପୁଣି ଦଧିବାମନ ରୂପରେ ଏହି ପୀଠ ମଧ୍ୟରେ ପ୍ରଭୁ ଜଗନ୍ନାଥ ପୂଜିତ ହେଉଥିବାରୁ ଏହି ପୀଠ ଅନ୍ୟଭାବେ ହରିହର ପୀଠ ଭାବେ ଜଣା । ୧୪୦୦ ଖ୍ରୀଷ୍ଟ।ବ୍ଦରେ ଓଡ଼ିଶାର ଗଜପତି ବଂଶର ଶ୍ରୀ ଶ୍ରୀ କଖାରୁଆ ଦେବଙ୍କ ଦ୍ୱାରା ଉକ୍ତ ମନ୍ଦିର କାର୍ଯ୍ୟ ଶୁଭାରମ୍ଭ ହୋଇଥିବା କୁହାଯାଏ । ଅନ୍ୟ ମତରେ କଖାରୁଗଛ ମୂଳରୁ ଜ୍ୟୋତିର୍ଲିଙ୍ଗ ଆବିଷ୍କୃତ ହୋଇଥିବାରୁ ମଧ୍ୟ ବାବାଙ୍କ ନାମ କଖାରୁଆ ବୋଲି କିମ୍ବଦନ୍ତୀ ରହିଛି । ଅନ୍ୟଭାବେ ସୂର୍ଯ୍ୟଦେବଙ୍କୁ ଏହି ପୀଠରେ ପୂଜା କରାଯାଉଥିବାରୁ ଏହା ଅର୍କକ୍ଷେତ୍ର ଭାବେ ମଧ୍ୟ ପରିଚିତ । ୩ମାଣ ଜମିର ଶସ୍ଯରୁ ପ୍ରସ୍ତୁତ ଭୋଗ ବାବାଙ୍କ ନିକଟରେ ଲାଗି ହେଉଥିବାରୁ ଏହି ସ୍ଥାନର ନାଁ ମାଣତ୍ରୀ ହୋଇଛି ବୋଲି କଥିତ ଅଛି । ଏହି ମନ୍ଦିରର ଉଚ୍ଚତା ୬୩.୬ ଫୁଟ ହୋଇଥିବା ବେଳେ ଗଙ୍ଗାହାର ନଦୀକୁଣ୍ଡର ଜଳରାଶି ଉପରେ ମନ୍ଦିରଟି ଦଣ୍ଡାୟମାନ ଭଳି ଦୃଶ ହୋଇଥାଏ । ଆହୁରି ମରହଟ୍ଟା ଦୂର୍ଗ ଶୈଳୀରେ ନିର୍ମିତ ମନ୍ଦିର ଚାରିପଟେ ସୁଉଚ୍ଚ ବେଢା ଭକ୍ତଙ୍କୁ ଆକୃଷ୍ଟ କରିବା ବ୍ୟତୀତ ମନ୍ଦିର ପରିବେଶକୁ ଦ୍ବିଗୁଣିତ କରି ଶୋଭା ବର୍ଦ୍ଧନ କରିଅଛି ।

ଶିବଭକ୍ତ ଓ ଶିବଙ୍କ ସମ୍ପର୍କ ମଧ୍ୟରେ ଅନେକ କାହାଣୀ ଆଲୋଚିତ ହୋଇଥାଏ । ହେଲେ, ଶିବଙ୍କୁ ଶ୍ରାବଣ ମାସରେ ଜଳାର୍ପଣ କରିବାର ପ୍ରମୁଖ କାରଣରେ କୁହାଯାଏ ମହାଦେବ ଏହି ସମୟରେ କୁଆଡ଼େ ନିଦ୍ରାଳୁ ରହିଥାନ୍ତି । ସମୁଦ୍ର ମନ୍ଥନ ସମୟରେ ମହାଦେବ ବିଷପାନ କରିଥିବା ହେତୁ ବିଷର ଜ୍ବାଳା ବା ପ୍ରଭାବକୁ ଶାନ୍ତ କରିବାକୁ ଦେବତାଗଣ ତାଙ୍କ ମସ୍ତକରେ ଜଳ ଅର୍ପଣ କରିଥିଲେ । ସେହି ପରମ୍ପରାକୁ ବଜାୟ ରଖିବାକୁ ଭକ୍ତ ବା କାଉଡ଼ିଆ ମାନେ ବିଭିନ୍ନ ନଦୀରୁ କଳସୀରେ ପାଣିଭାର ନେଇ ବିଭିନ୍ନ ନାରା ଦେଇ ଶିବଲିଙ୍ଗରେ ଜଳାଭିଷେକ କରି ଶିବଙ୍କ ଆଶୀର୍ବାଦ କାମନା କରନ୍ତି । ଦୂରଦୂରାନ୍ତରୁ ଆସୁଥିବା ଏହି କାଉଡ଼ିଆଙ୍କୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ଅସ୍ଥାୟୀ ଶିବିର ଓ ଜଳପାନ ମାଧ୍ୟମରେ ନିଃଶୁଳ୍କ ସେବା ଯୋଗାଇବା ପରିଲକ୍ଷିତ ହୋଇଥାଏ । ମାତ୍ର ଆଧୁନିକ ସଭ୍ୟତାର ଛାପନେଇ କେତେକ ଅସାଧୁ ଭକ୍ତ ନିନ୍ଦନୀୟ କାର୍ଯ୍ୟ କରି ଏହି ପବିତ୍ର ଯାତ୍ରାରେ ନିଜ ସଉକ ମେଣ୍ଟାଉଥିବା ଦେଖାଯାଏ । ଲୋକ ଦେଖାଣିଆ ଶିବଙ୍କ ନାରା ବ୍ୟତୀତ ଅନେକ ସ୍ଥାନରେ ଏହି ସଉକିନିଆ ଭକ୍ତ ଗଞ୍ଜେଇ ବା ମାଦକ ଦ୍ରବ୍ୟ ଗ୍ରହଣ କରିବା, ଅସଭ୍ୟ ବା ଅଭଦ୍ର ଭାଷା ପ୍ରୟୋଗ କରି ମହିଳା ଭକ୍ତଙ୍କ ପ୍ରତି କୁମନ୍ତବ୍ୟ ଦେବା, ନିଷ୍ଠାଭକ୍ତି ପ୍ରତି ଅବମାନନା ଭଳି ଘୃଣ୍ୟ କାମ କରିବାକୁ ବିଭିନ୍ନ ବର୍ଗରେ ନିନ୍ଦା କରାଯାଏ । ସୋସିଆଲ ମିଡ଼ିଆରେ ଏଭଳି ଭକ୍ତଙ୍କ ଫୋଟ ବା ଭିଡିଓ ଭାଇରାଲ ହୋଇ ସମାଜ ଓ ସଂସ୍କୃତି ନିନ୍ଦିତ ହେବା ପଛରେ ଯାହା ପଦକ୍ଷେପ, ଲଗାମ ବା କଟକଣା ଗ୍ରହଣ କରାଯାଉଛି ତାହା ଦିନକୁ ଦିନ ବଢୁଥିବା ଏଭଳିଆ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ଦେଖି ମୁଖ୍ୟଚିନ୍ତାର ବିଷୟ ପାଲଟିଛି । ସେହିପରି ପରିବେଶ ପ୍ରତିକୂଳ ଉଚ୍ଚଧ୍ୱନୀ ବା ମଧ୍ୟରାତ୍ର ଡିଜେ ସାଉଣ୍ଡ ମଧ୍ୟ ଏ ଯାତ୍ରା ପାଇଁ ସଉକ ଭଳି ମନେହୁଏ । ନିଶା ବା ମାଦକଦ୍ରବ୍ଯ ସେବନକାରୀ ଅନେକ ସ୍ଥାନରେ ଅଯଥା ଗଣ୍ଡଗୋଳ ତଥା ତଥାକଥିତ ବିଷୟ ଏବଂ ମହାଦେବଙ୍କ ପ୍ରକୃତ ଭକ୍ତଙ୍କ ଏଭଳି ପବିତ୍ର ପଦଯାତ୍ରାରେ ବିଶୃଙ୍ଖଳା କେତେଦୂର ଗ୍ରହଣୀୟ ଓ ସମାଜ ଏଥିରୁ କେଉଁ ଶିକ୍ଷା ଲାଭକରିବ ତା’ପ୍ରତି ଦୃଷ୍ଟି ଦେବାର ଯଥେଷ୍ଟ ଆବଶ୍ୟକତାକୁ ବୁଦ୍ଧିଜୀବୀ ତଥା ପ୍ରଶାସନିକ କଟକଣା ଏବେରୁ ବିଚାର ଓ ସିଦ୍ଧାନ୍ତ ଗ୍ରହଣ କରିବାକୁ ଏହା ଏକ ଚେତାବନୀ ସଦୃଶ । ଅଯଥା ଏ କାଉଡ଼ିଆଙ୍କ ଭକ୍ତିଯାତ୍ରା ସଉକ ଯାତ୍ରାରେ ପରିଣତ ହେବାକୁ ଅଧିକ ସମୟ

Leave a Reply

Your email address will not be published. Required fields are marked *