Headlines

ସ୍ୱାୟତ୍ତ ଶାସନ ଦିବସରେ ବିକାଶକୁ ଗୌଣ, ରାଜନୀତି ମୁଖ୍ୟ: ତାଳଚେରର ଭବିଷ୍ୟତ ନେଇ ନିରବ ବିଧାୟକ, ନଗରପାଳ ଓ ପ୍ରଶାସନ

​ପୁଲକେଶ୍ଵର ମିଶ୍ର, ସ୍ଵତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍, ତାଳଚେର, ଅନୁଗୁଳ: 31/8/2026
​ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ତାଳଚେର ପୌରପାଳିକା କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଥିବା ବେଳେ ସହରର ବାସ୍ତବ ବିକାଶର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି। ସ୍ୱାୟତ୍ତ ଶାସନ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି—ବିଗତ ବର୍ଷର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା, ଖର୍ଚ୍ଚର ହିସାବ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ, ସହରର ରାସ୍ତାଘାଟ, ଡ୍ରେନେଜ୍‌, ପାନୀୟ ଜଳ, ପରିମଳ ଓ ଆଲୋକୀକରଣ ଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ନୂତନ ପ୍ରକଳ୍ପର ଘୋଷଣା ତଥା ନାଗରିକଙ୍କ ସୁବିଧା ପାଇଁ ବଜେଟ୍ ଆବଣ୍ଟନର ସ୍ପଷ୍ଟ ରୂପରେଖ ପ୍ରଦାନ କରିବା।

ମାତ୍ର ତାଳଚେର ପୌରପାଳିକାରେ ଏସବୁ ମୁଖ୍ୟ ଦାୟିତ୍ୱକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଇଛି।
​ଜନପ୍ରତିନିଧି ଏବଂ ପ୍ରଶାସନ କେବଳ ଔପଚାରିକ ସମ୍ବର୍ଦ୍ଧନା ଓ ରାଜନୈତିକ ଛକାପଞ୍ଝା ଭିତରେ ସୀମିତ ରହିଥିବା ଅଭିଯୋଗ ହୋଇଛି। ପୌରପାଳିକା ପରିସରରେ ଆୟୋଜିତ ଏକ ସଭାରେ ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ପବିତ୍ର ଭୂତିଆଙ୍କ ଦ୍ୱାରା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଏକ ଲଫାପାରେ ଆର୍ଥିକ ସହାୟତା ସହ ଉତ୍ତରୀୟ ଓ ମିଠା ପ୍ୟାକେଟ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଉତ୍ସବ ଭିତରେ ତାଳଚେରର ମୌଳିକ ସମସ୍ୟା ଓ ବିକାଶର ପ୍ରସଙ୍ଗ ସମ୍ପୂର୍ଣ୍ଣ ଉଭେଇ ଯାଇଥିଲା।
​ସ୍ୱାୟତ୍ତ ଶାସନ ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଦିନରେ ବିଧାୟକ ଓ ପୌରାଧ୍ୟକ୍ଷ ମିଳିତ ଭାବେ ସହରର ବିକାଶ ପାଇଁ ନୂତନ ଯୋଜନାର ଘୋଷଣା କରିବା ଏବଂ ଗତବର୍ଷ ନିଆଯାଇଥିବା ସଂକଳ୍ପର ଅଗ୍ରଗତି କେତେ ତାହାର ହିସାବ ଦେବା କଥା। ମାତ୍ର ସେ ନେଇ ପ୍ରଶ୍ନ ପଚାରିବାରୁ ସମସ୍ତେ ନୀରବତା ଅବଲମ୍ବନ କରିଥିଲେ:
​ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନଙ୍କ ଆଭିମୁଖ୍ୟ: ପୌରପାଳିକା ସମ୍ମୁଖରେ ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନଙ୍କୁ ଭେଟି ସହରର ବିକାଶ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ପଚାରିବାରୁ, ସେ ସହରର ସମସ୍ୟାକୁ ଏଡ଼ାଇ ଯାଇଥିଲେ। ବିକାଶର ବାର୍ତ୍ତା ବଦଳରେ ପୌରାଧ୍ୟକ୍ଷ ଓ କାଉନସିଲରମାନେ ବିଜେଡି ଛାଡ଼ିବା ପ୍ରସଙ୍ଗ ଉଠାଇ କେବଳ ରାଜନୈତିକ ବୟାନବାଜି କରିଥିଲେ। ସହରର ଉନ୍ନତି ପାଇଁ ବିଧାୟକ ପାଣ୍ଠିରୁ କ’ଣ ହେବ ବା ସରକାରୀ ସ୍ତରରେ କି ପଦକ୍ଷେପ ନିଆଯିବ, ସେ ନେଇ ସେ କୌଣସି ପ୍ରତିଶ୍ରୁତି ଦେଇ ନ ଥିଲେ।


​ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ପବିତ୍ର ଭୂତିଆଙ୍କ ପ୍ରତିକ୍ରିୟା: ନାଗରିକ ସେବା, ପରିମଳ ବ୍ୟବସ୍ଥା ଓ ଉନ୍ନୟନମୂଳକ କାର୍ଯ୍ୟର ଶ୍ୱେତପତ୍ର ଜାରି କରିବା ପୌରାଧ୍ୟକ୍ଷଙ୍କ ପ୍ରମୁଖ ଦାୟିତ୍ୱ ହୋଇଥିବା ବେଳେ, ଏ ସମ୍ପର୍କରେ ଜାଣିବା ପାଇଁ ଶ୍ରୀଯୁକ୍ତ ପବିତ୍ର ଭୂତିଆଙ୍କୁ ଯୋଗାଯୋଗ କରାଯିବାରୁ ସେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମର ଆଳ ଦେଖାଇ ଖସିଯିବାକୁ ଚେଷ୍ଟା କରିଥିଲେ ଏବଂ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ।
​ନିର୍ବାହୀ ଅଧିକାରୀଙ୍କ ମନା: ପୌର ପ୍ରଶାସନର କାର୍ଯ୍ୟକାରିତା ଓ ବିକାଶ ପ୍ରସଙ୍ଗରେ ତଥ୍ୟ ରଖିବାକୁ ପୌର ନିର୍ବାହୀ ଅଧିକାରୀ (ଇଓ) ସିଧାସଳଖ ମନା କରିଦେଇଥିଲେ।
​ଗୋଟିଏ ପଟେ ସହରବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟପଟେ ସ୍ୱାୟତ୍ତ ଶାସନ ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଦିନରେ ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ, ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ପବିତ୍ର ଭୂତିଆ ଏବଂ ନିର୍ବାହୀ ଅଧିକାରୀଙ୍କ ଏଭଳି ଦାୟିତ୍ୱହୀନ ମନୋଭାବ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ସହରର ବିକାଶ ପାଇଁ କାହାରି ପାଖରେ କୌଣସି ସ୍ପଷ୍ଟ ରୂପରେଖ ନାହିଁ, ବରଂ ନିଜ ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଟଣାଓଟରା ଚାଲିଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି।

Leave a Reply

Your email address will not be published. Required fields are marked *