ତେଜୁରାମ ନାଏକ/ ସମୀକ୍ଷା ନ୍ୟୁଜ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ 04/09/2026.
ନୂଆପଡ଼ା: ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ ନେଇ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରି ସୁଫଳ ନ ପାଇବାରୁ ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ବିଶେଷ କରି ଦଲାଲମାନେ ନୂଆପଡା ଜିଲ୍ଲାର ସିନାପାଲି ଓ ବୋଡେନ ବ୍ଲକର ଉପାନ୍ତ ଗାଁ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। କୌଣସି ବ୍ୟକ୍ତି ଗୁରୁତର ରୋଗରେ ପୀଡିତ ନ ଥିଲେ ମଧ୍ୟ ସେମାନେ ଆୟୁଷ୍ଠାନ କାର୍ଡରେ ଟଙ୍କା ଲୁଟିବା ପାଇଁ ସେମାନଙ୍କୁ ଭଲ ଚିକିତ୍ସା ହେବ କହି ସାଙ୍ଗରେ ନେଇ ଛତିଶଗଡର ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି।

ପରେ ଆୟୁଷ୍ଠାନ କାର୍ଡ ଟଙ୍କା ସରିଲେ ସେମାନଙ୍କୁ ଘରକୁ ପଠାଇ ଦେଉଛନ୍ତି । ସୂଚନା ଅନୁଯାୟୀ, ଗତ ଜୁଲାଇ ୧୭ରେ ବୋଡେନ ବ୍ଲକର ଜଣେ ଦଲାଲ ନାଗପଡା ଗାଁର ୧୦ ଜଣ ଲୋକଙ୍କୁ ଦୁର୍ଗସ୍ଥିତ ଏସ୍ଆର୍ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଚିକିତ୍ସିତ ହୋଇ ୯ ଜଣ ଘରକୁ ଫେରି ଆସିଥିବା ବେଳେ ଜୟଲାଲ ତାଣ୍ଡି (୩୮) ନାମକ ଯୁବକ ୧୮ ଦିନ ହେଲା ଘରକୁ ଫେରିନାହାନ୍ତି । ପରିବାର ଲୋକେ ଦଲାଲଙ୍କୁ ପଚାରିଲେ ଜୟଲାଲଙ୍କ ପାଇଲ୍ସ ଅପରେଶନ ହୋଇଛି। ଭଲ ହୋଇଗଲେ ଘରକୁ ଫେରିଆସିବ ବୋଲି କହୁଥୁବା ପରିବାର ସୂତ୍ରରୁ ପ୍ରକାଶ। ହେଲେ ଦୀର୍ଘଦିନ ହେଲା ନ ଫେରିବାରୁ ସେମାନେ ସନ୍ଦେହ କରି ବୋଡେନ ଥାନାରେ ଲିଖିତ ଏତଲା ଦେଇଥିଲେ। ୭ ଦିନ ପରେ ପୋଲିସ କେବଳ ମାମଲା ରୁଜୁ କରି କାମ ସାରିଦେଇଛି । ପରେ ପରିବାର ଲୋକେ ନୂଆପଡା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜୟଲାଲଙ୍କୁ ସୁରକ୍ଷିତ ଘରକୁ ଫେରାଇ ଆଣିବା ସହ ଘଟଣାରେ ସମ୍ପୃକ୍ତ ଥୁବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି । ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ଜିଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂଙ୍କୁ ପଚାରିବାରୁ ଏ ନେଇ ଅବଗତ ଅଛୁ। ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ସବୁ ଦିଗରୁ ତଦନ୍ତ ଚାଳିଛି । ବହୁତ ଶୀଘ୍ର ଦଲାଲ ଧରାପଡିବେ ବୋଲି ପ୍ରକାଶ କହିଥିଲେ ।



Total Users : 6775