ଏମ୍. ଅମରେଶ କୁମାର/ବିଶେଷ ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଲାଣକୁ ନେଇ ପୁଲିସର ତନାଘନା ଜାରି ରହିଥିବା ବେଳେ କାଲିମେଳା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ରାତ୍ରି ପାଟ୍ରୋଲିଂ ସମୟରେ ଭେଙ୍କଟପାଲମ ଗାଁ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରି ପୁଲିସ ୪୪୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୪ ଲକ୍ଷ ଟଙ୍କା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହା ସହିତ ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ମହିନ୍ଦ୍ରା ୫୮୫ DI ଟ୍ରାକ୍ଟର ଓ ନମ୍ବର ବିହୀନ ଟ୍ରେଲରକୁ ମଧ୍ୟ ପୁଲିସ ଜବତ କରିଛି।

ସୂଚନା ଅନୁଯାୟୀ, କାଲିମେଳା ଥାନା ପୁଲିସ ଟିମ୍ ରାତ୍ରି ସମୟରେ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଭେଙ୍କଟପାଲମ ଗାଁ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଏକ ଟ୍ରାକ୍ଟର ସହ ଟ୍ରେଲରକୁ ସନ୍ଦେହଜନକ ଅବସ୍ଥାରେ ପୁଲିସ ଦେଖିଥିଲା। ପୁଲିସ ଟିମ୍ ସେଠାରେ ପହଞ୍ଚି ଯାଞ୍ଚ କରିବାରୁ ଟ୍ରେଲରରେ ବିପୁଳ ପରିମାଣର ଗଞ୍ଜେଇ ରହିଥିବା ଜଣାପଡ଼ିଥିଲା। ପରେ ଗଞ୍ଜେଇର ଓଜନ କରାଯିବାରୁ ଏହାର ପରିମାଣ ୪୪୦ କିଲୋଗ୍ରାମ ଥିବା ଜଣାପଡ଼ିଥିଲା।
ପୁଲିସର ଉପସ୍ଥିତି ଜାଣିବା ପରେ ଘଟଣାସ୍ଥଳରେ ଥିବା ଦୁଇଜଣ ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ। ପୁଲିସ ଘଟଣାସ୍ଥଳରୁ ଗଞ୍ଜେଇ ସହ ମହିନ୍ଦ୍ରା ୫୮୫ DI ଟ୍ରାକ୍ଟର ଓ ନମ୍ବର ବିହୀନ ଟ୍ରେଲରକୁ ଜବତ କରି ଥାନାକୁ ଆଣିଛି। ଫେରାର ଅଭିଯୁକ୍ତମାନେ କେଉଁଠାରୁ ଗଞ୍ଜେଇ ଆଣିଥିଲେ ଏବଂ କେଉଁଠାକୁ ଚାଲାଣ କରୁଥିଲେ, ସେନେଇ ପୁଲିସ ତଦନ୍ତ କରୁଛି।
ଏହି ଘଟଣାକୁ ନେଇ କାଲିମେଳା ଥାନାରେ କେସ୍ ନମ୍ବର ୨୦୫/୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ଫେରାର ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଗଞ୍ଜେଇ ଚାଲାଣରେ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି। କାଲିମେଳା ଅଞ୍ଚଳରେ ଗଞ୍ଜେଇ ଚାଲାଣ ରୋକିବା ପାଇଁ ପୁଲିସ ପକ୍ଷରୁ ରାତ୍ରି ପାଟ୍ରୋଲିଂ ଓ ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି।


Total Users : 6801