Headlines

ନେରେଡ଼ି ବ୍ୟାରେଜ୍ ପାଇଁ ଓଡ଼ିଶାରୁ ୧୦୬ ଏକର ଜମି ଅଧିଗ୍ରହଣ୨୦୦୦ ପରିବାର ଉଚ୍ଛେଦ ଆଶଙ୍କା; ପ୍ରଭାବିତ ଅଞ୍ଚଳରେ ଅସନ୍ତୋଷ ବଢ଼ିଲା

ଜିତେନ୍ଦ୍ର କୁମାର ଶତପଥୀ/ ସବ୍‌ଡିଭିଜନାଲ୍ କରେସ୍ପଣ୍ଡେଣ୍ଟ/ ଗୁଣପୁର:

ଗୁଣପୁର:୫.୦୯. ସମୀକ୍ଷା: ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍ ନିର୍ମାଣକୁ ନେଇ ପୁଣିଥରେ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଚିନ୍ତା ଓ ଅସନ୍ତୋଷ ପ୍ରକାଶ ପାଇଛି। ବ୍ୟାରେଜ୍ ନିର୍ମାଣ ପାଇଁ ଓଡ଼ିଶାର ରାୟଗଡ଼ା ଓ ଗଜପତି ଜିଲ୍ଲା ଅଞ୍ଚଳରୁ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ କରାଯିବା ନେଇ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ବଢ଼ିଛି। ସୂଚନା ଅନୁଯାୟୀ, କାଶୀନଗର ତହସିଲ ଅଞ୍ଚଳରେ ଜମି ଚିହ୍ନଟ ଓ ଯାଞ୍ଚ ପାଇଁ ପ୍ରଶାସନିକ ତତ୍ପରତା ଆରମ୍ଭ ହୋଇଛି। ନିକଟରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସମ୍ପୃକ୍ତ ଅଧିକାରୀଙ୍କୁ ନେଇ ଗଠିତ ଯୁଗ୍ମ କମିଟି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜମିର ସ୍ଥିତି ଯାଞ୍ଚ କରିଥିବା ଜଣାପଡ଼ିଛି।


ବ୍ୟାରେଜ୍ ପାଇଁ ଜମି ଅଧିଗ୍ରହଣ ହେଲେ କାଶୀନଗର ବ୍ଲକ୍‌ର ସାରା ବାଡ଼ି ଗାଁ ଏବଂ ଗୁଣପୁର ବ୍ଲକ୍‌ର ଗାଦିଆଖୋଳା ପଞ୍ଚାୟତ ଅଞ୍ଚଳର ଅନେକ ପରିବାର ପ୍ରଭାବିତ ହେବା ଆଶଙ୍କା ରହିଛି। ପ୍ରାୟ ୨୦୦୦ ପରିବାର ବାସଗୃହ ଓ ଚାଷଜମି ହରାଇବାର ଆଶଙ୍କା ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରାଯାଇନଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, ବଂଶଧାରା ଜଳ ବିବାଦକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଆସିଛି। ଏହାର ସମାଧାନ ପାଇଁ ଗଠିତ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌ର ଚୂଡ଼ାନ୍ତ ଆଦେଶ ୨୦୧୭ ସେପ୍ଟେମ୍ବର ୧୩ରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଚଳିତବର୍ଷ ମାର୍ଚ୍ଚ ୨୬ରେ ଏ ସମ୍ପର୍କିତ ଗେଜେଟ୍‌ ନୋଟିଫିକେସନ୍‌ ଜାରି କରିଥିବା ଜଣାପଡ଼ିଛି।
ଗେଜେଟ୍‌ ପ୍ରକାଶର ଏକ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୭ ମାର୍ଚ୍ଚ ୩୦ ସୁଦ୍ଧା ଏହି ପ୍ରକ୍ରିୟା ସମ୍ପନ୍ନ ହେବାର ଆଶା ରହିଛି। ଏହି ପରିପ୍ରେକ୍ଷୀରେ ଗତ ଜୁଲାଇ ୨୩ରେ ୬୪୧.୧୦ କୋଟି ଟଙ୍କାର ଅନୁଦାନ ପାଇଁ ପ୍ରଶାସନିକ ଅନୁମୋଦନ ମିଳିଥିବା ସୂଚନା ମଧ୍ୟ ମିଳିଛି।


ଶୁକ୍ରବାର ଯୁଗ୍ମ ଯାଞ୍ଚ କମିଟି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ କେଉଁ ମୌଜାରୁ କେତେ ଜମି ନିଆଯିବ, କେତେଜଣ ଜମିମାଲିକ ପ୍ରଭାବିତ ହେବେ, କ୍ଷତିପୂରଣ ଓ ପୁନର୍ବାସ ପ୍ରକ୍ରିୟା କିପରି ଆଗକୁ ବଢ଼ିବ, ସେନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ଏନେଇ ଗଜପତି ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ, ସମିତିସଭ୍ୟ ଜଗନ୍ନାଥ ଦୋରା, ବଂଶଧାରା ସୁରକ୍ଷା ମଞ୍ଚର ସଭାପତି ବ୍ରଜମୋହନ ନାୟକଙ୍କ ସମେତ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଓଡ଼ିଶାର ଚାଷୀ ଜମି ହରାଇବେ ଏବଂ ଆନ୍ଧ୍ରର ଚାଷୀ ଏହାର ସୁଫଳ ପାଇବେ ବୋଲି ସେମାନେ ଅଭିଯୋଗ କରିବା ସହ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
“ଓଡ଼ିଶା ଚାଷୀ ଜମି ହରାଇବେ, ଆନ୍ଧ୍ର ଚାଷୀ ସୁଫଳ ପାଇବେ”— ଏଭଳି ସ୍ଥିତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଗାମୀ ଦିନରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଅଞ୍ଚଳବାସୀଙ୍କ ହିତ ପାଇଁ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏହି ପ୍ରସଙ୍ଗ ଆଗାମୀ ସେପ୍ଟେମ୍ବର ମାସର ମୌସୁମୀ ବିଧାନସଭା ଅଧିବେଶନରେ ଉଠାଯିବ ବୋଲି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଓ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ କହିଥିବା ନେଇ ଜନମହଲରେ ଚର୍ଚାଚାଲିଛି।


Leave a Reply

Your email address will not be published. Required fields are marked *