Headlines

ଜାତୀୟ ସ୍ତରରେ ସମ୍ମାନିତ କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ

କେନ୍ଦୁଝର, ୫/୦୯: ଶିକ୍ଷା କ୍ଷେତ୍ରରେ ନବୀନ ପ୍ରୟାସ, ଶିକ୍ଷାଗତ ପରିଚାଳନାରେ ସୁଧାର ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରି ବ୍ୟାପକ ପରିବର୍ତ୍ତନ ଆଣିବାର ନିରବଚ୍ଛିନ୍ନ ଉଦ୍ୟମ ପାଇଁ କେନ୍ଦୁଝରରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ ପ୍ରସିଦ୍ଧ ‘ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ସଂସ୍ଥାନ’ ପକ୍ଷରୁ ତାଙ୍କୁ ୨୦୨୩-୨୪ ବର୍ଷ ପାଇଁ ଏହି ମାନ୍ୟତାପ୍ରାପ୍ତ ‘ଶିକ୍ଷା ପ୍ରଶାସନରେ ନବୀନ ପ୍ରୟାସ ଓ ଉତ୍ତମ ପରିଚାଳନା ପାଇଁ ଜାତୀୟ ପୁରସ୍କାର’ ପ୍ରଦାନ କରାଯାଇଛି। ଗତ ସେପ୍ଟେମ୍ବର ୨ ଓ ୩ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବିଶିଷ୍ଟ ଶିକ୍ଷାବିତ୍, କେନ୍ଦ୍ରୀୟ ପ୍ରଶାସକ ଓ ନିମନ୍ତ୍ରିତ ଅତିଥିମାନଙ୍କ ଉପସ୍ଥିତିରେ ଶ୍ରୀ ବେହେରାଙ୍କୁ ମାନପତ୍ର, ସ୍ମାରକୀ ଟ୍ରଫି ଏବଂ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।


ଏହି ସଫଳତା ପରେ ନିଜ ପ୍ରତିକ୍ରିୟାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବେହେରା କହିଛନ୍ତି ଯେ, “ଏହି ସମ୍ମାନର ସମସ୍ତ ଶ୍ରେୟ କେନ୍ଦୁଝର ଜିଲ୍ଲାର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଭାଗୀୟ ସହଯୋଗୀଙ୍କର। ସେମାନଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇପାରିନଥାନ୍ତା। ଏହି ସ୍ୱୀକୃତି ମୋତେ ଭବିଷ୍ୟତରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ଆହୁରି ଗୁଣାତ୍ମକ ସୁଧାର ଆଣିବା ଏବଂ ଶିକ୍ଷାର ବିକାଶ ପାଇଁ ନିଷ୍ଠାର ସହ କାମ କରିବାକୁ ଆହୁରି ଅଧିକ ପ୍ରେରଣା ଯୋଗାଇବ।”


ଏହି ଜାତୀୟ ସଫଳତା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ, ବିଭିନ୍ନ ଶିକ୍ଷକ ସଂଘ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଶ୍ରୀ ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *