Headlines

ଗାଇସିଲେଟରେ ବ୍ଲକସ୍ତରୀୟ ‘ବେଟି ବଚାଓ, ବେଟି ପଢ଼ାଓ’ ଯୁବ ସମ୍ମିଳନୀ


ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ

ଗାଇସିଲେଟ, ୪/୯ ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଉପରେ ଯୁବ ସମ୍ମିଳନୀ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଳିକାଙ୍କ ସୁରକ୍ଷା, ଶିକ୍ଷା ଓ ସଶକ୍ତିକରଣ ସହ ସମାଜରେ ସେମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ନେଇ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା ହୋଇଥିଲା।

ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସବିତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଝରଣା ପାଣିଗ୍ରାହୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀଷ୍ମ ଦେବ ମାଝୀ, ଡ. ସୁବାଶିଷ ପଣ୍ଡା ଓ ଡ. ଜୟକେତନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବାଳିକାଙ୍କ ଭବିଷ୍ୟତ ଗଠନରେ ପରିବାର, ଶିକ୍ଷାନୁଷ୍ଠାନ ଓ ସମାଜର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ବକ୍ତାମାନେ କହିଥିଲେ ଯେ, ଏକ ସୁସ୍ଥ ଓ ସମତାଭିତ୍ତିକ ସମାଜ ଗଠନ ପାଇଁ ବାଳିକାଙ୍କୁ ଶିକ୍ଷିତ ଓ ସଶକ୍ତ କରିବା ଅତ୍ୟନ୍ତ ଆବଶ୍ୟକ। ଝିଅମାନଙ୍କ ଶିକ୍ଷାରେ ବାଧା ସୃଷ୍ଟି ନକରି ସେମାନଙ୍କୁ ନିଜ ପ୍ରତିଭା ଓ ଦକ୍ଷତା ବିକାଶ ପାଇଁ ସୁଯୋଗ ଦେବା ଦରକାର। ଏଥିସହ ବାଳିକାଙ୍କ ପ୍ରତି ଭେଦଭାବ ଦୂର କରି ସେମାନଙ୍କ ଅଧିକାର, ସୁରକ୍ଷା ଓ ସମ୍ମାନ ନିଶ୍ଚିତ କରିବାରେ ଯୁବପିଢ଼ି ଆଗକୁ ଆସିବାକୁ ଆହ୍ୱାନ ଦିଆଯାଇଥିଲା।

‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ବାଳିକାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମଗ୍ର ସମାଜର ଏକ ସାମୂହିକ ଦାୟିତ୍ୱ ବୋଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ସାହୁ ମତ ଦେଇଥିଲେ। ଯୁବପିଢ଼ି ଏହି ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ସହ ବାଳିକାଙ୍କ ଶିକ୍ଷା ଓ ସୁରକ୍ଷା ପ୍ରତି ସମାଜରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଯୁବ ସମ୍ମିଳନୀ ପକ୍ଷରୁ ବିଭିନ୍ନ ସଚେତନତାମୂଳକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରି ବାଳିକାଙ୍କ ଶିକ୍ଷା, ସୁରକ୍ଷା ଓ ସମାନ ଅଧିକାର ସମ୍ପର୍କିତ ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା।ଇଂରାଜୀ ବିଭାଗର ମୁଖ୍ୟ ପ୍ରତୀକ୍ଷା ଡନସନା ସଭାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ମହିଳା ଓ ଶିଶୁ ବିକାଶ ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ। ଶେଷରେ ମହିଳା ପରିଦର୍ଶିକା ମଧୁଲତା ସାହୁ ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *