ଜିତେନ୍ଦ୍ର କୁମାର ଶତପଥୀ/ ସବ୍ଡିଭିଜନାଲ୍ କରେସ୍ପଣ୍ଡେଣ୍ଟ/ ଗୁଣପୁର:
ରାୟଗଡା, ୧୦/୦୯ (ସମୀକ୍ଷା): ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡସ୍ତ ବଡ଼ ଆମ୍ବାବାଡି ଗ୍ରାମ ବାସିନ୍ଦା ଜଣେ ଜୀବିତ ବୃଦ୍ଧଙ୍କୁ ସରକାରୀ ରେକର୍ଡରେ ‘ମୃତ’ ଦର୍ଶାଇ ଦିଆଯାଇଥିବାରୁ ସେ ଦୀର୍ଘ ୮ ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି
ଗୁଣପୁର ଉପଖଣ୍ଡସ୍ତ ବଡ଼ ଆମ୍ବାବାଡି ଗ୍ରାମଠାରେ,ଯାହାକି ପ୍ରଶାସନିକ ବ୍ୟବସ୍ଥାରେ ତଥ୍ୟ ସଂରକ୍ଷଣ ଓ ଯାଞ୍ଚ ପ୍ରକ୍ରିୟାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।

ଅଭିଯୋଗ ଅନୁଯାୟୀ,ବଡ଼ ଆମ୍ବାବାଡି ଗ୍ରାମ ବାସିନ୍ଦା ୬୫ ବର୍ଷ ବୟଷ୍କ ଜାଗିଲି ଶବର ଜୀବିତ ଥିବା ସତ୍ତ୍ୱେ ,ସମ୍ପୃକ୍ତ ବୃଦ୍ଧଙ୍କ ନାମ ସରକାରୀ ରେକର୍ଡରେ ‘ମୃତ’ ଭାବେ ଦର୍ଶାଯାଇଛି। ଫଳରେ ତାଙ୍କର ନିୟମିତ ଭତ୍ତା ବନ୍ଦ ହୋଇଯାଇଛି। ପ୍ରାୟ ୮ ମାସ ଧରି ଭତ୍ତା ନପାଇ ସେ ଆର୍ଥିକ ଅସୁବିଧାରେ ପଡ଼ିଥିବା ବେଳେ ଏ ସମ୍ପର୍କରେ ସେ ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ନିଜେ ଜୀବିତ ଥିବାର ପ୍ରମାଣପତ୍ର ଓ ଆବଶ୍ୟକ କାଗଜପତ୍ର ଧରି ସେ ସମ୍ପୃକ୍ତ କାର୍ଯ୍ୟାଳୟକୁ ଯାଇ ନିଜ ନାମରେ ହୋଇଥିବା ଏହି ଭୁଲ୍କୁ ସୁଧାରିବାକୁ ଅନୁରୋଧ କରିଛନ୍ତି। ଅଭିଯୋଗକୁ ଗ୍ରହଣ କରି ଗୁଣପୁର ଉପଜିଲ୍ଲାପାଳ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରାଙ୍କୁ , ତଥ୍ୟ ଭିତ୍ତିକ ସମସ୍ୟାର ଜରୁରୀକାଳିନ ସମାଧାନ କରି ,ବୃଦ୍ଧ ଜଣଙ୍କୁ ଭତ୍ତାପାଇବା ନେଇ ଆବଶ୍ୟକିୟ ସହଯୋଗ କରିବା ନେଇ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି।

ଏଭଳି ଭୁଲ୍ କେବଳ ଜଣେ ବୃଦ୍ଧଙ୍କୁ ତାଙ୍କର ଅଧିକାରରୁ ବଞ୍ଚିତ କରିନାହିଁ, ବରଂ ସରକାରୀ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ଲୋକଙ୍କ ତଥ୍ୟ କିପରି ଯାଞ୍ଚ ହେଉଛି, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଜଣେ ଜୀବିତ ବ୍ୟକ୍ତିଙ୍କୁ ରେକର୍ଡରେ ମୃତ ଦର୍ଶାଇବା ଭଳି ଗୁରୁତର ତ୍ରୁଟି କିପରି ଘଟିଲା ଏବଂ ଏଥିପାଇଁ କିଏ ଦାୟୀ, ତାହାର ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ସମ୍ପୃକ୍ତ ବୃଦ୍ଧଙ୍କ ନାମକୁ ତୁରନ୍ତ ସରକାରୀ ରେକର୍ଡରୁ ‘ମୃତ’ ଦର୍ଶାଇଥିବା ତଥ୍ୟ ହଟାଇ ତାଙ୍କୁ ପୁନଃ ଭତ୍ତା ତାଲିକାରେ ସାମିଲ କରିବା ସହ ବକେୟା ୮ ମାସର ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି।



Total Users : 6779