ସୁରକ୍ଷିତ ଟ୍ରେନ୍ ପରିଚାଳନା ସହ ଭିତ୍ତିଭୂମି ବିକାଶକୁ ଗତି ଦେବା ଉପରେ ଗୁରୁତ୍ୱ

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:
ରାୟଗଡ଼ା:୧୩/୦୯ : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଶୁକ୍ରବାର ରାୟଗଡ଼ା–କୋରାପୁଟ–
ଜୟପୁର ରେଳ ସେକ୍ସନ୍ ପରିଦର୍ଶନ କରି ଟ୍ରେନ୍ ପରିଚାଳନା, ରେଳ ସୁରକ୍ଷା, ସିଗନାଲିଂ ବ୍ୟବସ୍ଥା ତଥା ବିଭିନ୍ନ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି। ମହାପ୍ରବନ୍ଧକଙ୍କ ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରେଳ ଚଳାଚଳରେ ସୁରକ୍ଷା, ନିର୍ଭରଶୀଳତା ଓ କାର୍ଯ୍ୟଦକ୍ଷତାର ସର୍ବୋଚ୍ଚ ମାନଦଣ୍ଡ ସୁନିଶ୍ଚିତ କରିବା ସହ ଚାଲୁଥିବା ବିକାଶମୂଳକ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ଗୁଣାତ୍ମକ ଭାବେ ସମ୍ପନ୍ନ କରିବା। ପରିଦର୍ଶନ ସମୟରେ ଶ୍ରୀ ଫୁଙ୍କୱାଲ ରାୟଗଡ଼ାରୁ ଜୟପୁର ପର୍ଯ୍ୟନ୍ତ ରେଳପଥର ସ୍ଥିତି, ସିଗନାଲିଂ ବ୍ୟବସ୍ଥା, ଟ୍ରେନ୍ ପରିଚାଳନା ପ୍ରଣାଳୀ ଏବଂ ରେଳ ମାର୍ଗରେ ଚାଲୁଥିବା ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ସମ୍ପୃକ୍ତ ଅଧିକାରୀମାନଙ୍କଠାରୁ ସେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ତଥ୍ୟ ନେଇଥିଲେ।
ଏଥିସହ ସିଙ୍ଗାପୁର ରୋଡ୍–କୋରାପୁଟ ରେଳ ସେକ୍ସନ୍ରେ ଚାଲୁଥିବା ରେଳପଥ ଦୋହରୀକରଣ କାର୍ଯ୍ୟର ମଧ୍ୟ ମହାପ୍ରବନ୍ଧକ ସମୀକ୍ଷା କରିଥିଲେ। ପ୍ରକଳ୍ପ ଅଧୀନରେ ଚାଲୁଥିବା ପ୍ରମୁଖ ଇଞ୍ଜିନିୟରିଂ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସେ ଅବଗତ ହେବା ସହ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ନିର୍ଦ୍ଧାରିତ ସମୟସୀମା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।

ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା
ରେଳପଥର ବିଭିନ୍ନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ମହାପ୍ରବନ୍ଧକ ନିରାପଦ ଓ ଦକ୍ଷ ଟ୍ରେନ୍ ଚଳାଚଳ ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ତଦାରଖ କରିଥିଲେ। ରେଳ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ନଦେଇ ନିୟମିତ ଯାଞ୍ଚ, ରକ୍ଷଣାବେକ୍ଷଣ ଓ ସତର୍କତାକୁ ଆହୁରି ସୁଦୃଢ଼ କରିବା ଉପରେ ସେ ଅଧିକାରୀମାନଙ୍କୁ ଗୁରୁତ୍ୱ ଦେଇଥିଲେ।
ବିଭିନ୍ନ ଷ୍ଟେସନ୍ରେ ଯାତ୍ରୀ ସୁବିଧା, ଭିତ୍ତିଭୂମି, ପରିମଳ ବ୍ୟବସ୍ଥା ଏବଂ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ଚାଲୁଥିବା କାର୍ଯ୍ୟର ମଧ୍ୟ ମହାପ୍ରବନ୍ଧକ ସମୀକ୍ଷା କରିଥିଲେ। ବିକାଶମୂଳକ କାର୍ଯ୍ୟଗୁଡ଼ିକ ଉଚ୍ଚମାନର ଗୁଣବତ୍ତା ଓ କାର୍ଯ୍ୟସ୍ଥଳୀ ସୁରକ୍ଷାକୁ ଅକ୍ଷୁଣ୍ଣ ରଖି ସମୟୋଚିତ ଭାବେ ସମ୍ପନ୍ନ କରିବା ସହ ଯାତ୍ରୀମାନଙ୍କୁ ସର୍ବୋତ୍ତମ ସୁବିଧା ଯୋଗାଇଦେବା ଉପରେ ସେ ଜୋର ଦେଇଥିଲେ।
କାର୍ଯ୍ୟର ଅଗ୍ରଗତି ତଦାରଖ ସହ ସମୟସୀମା ଉପରେ ଗୁରୁତ୍ୱ
ପରିଦର୍ଶନ ସମୟରେ ମହାପ୍ରବନ୍ଧକ ରେଳ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରି ସୁରକ୍ଷା, ବିଶ୍ୱସନୀୟତା ଓ ଉନ୍ନତ ଯାତ୍ରୀ ସେବାର ମାନଦଣ୍ଡକୁ ସର୍ବଦା ଅକ୍ଷୁଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଅଗ୍ରଗତିକୁ ନିୟମିତ ଭାବେ ତଦାରଖ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ପୂର୍ବତଟ ରେଳପଥର ଅନ୍ୟ ପ୍ରମୁଖ ବିଭାଗୀୟ ମୁଖ୍ୟମାନଙ୍କ ସମେତ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ), ପ୍ରମୁଖ ମୁଖ୍ୟ ବିଦ୍ୟୁତ ଇଞ୍ଜିନିୟର, ମୁଖ୍ୟ ସେତୁ ଇଞ୍ଜିନିୟର, ମୁଖ୍ୟ ସିଗନାଲ ଓ ଟେଲିକମ୍ ଇଞ୍ଜିନିୟର ଏବଂ ରାୟଗଡ଼ା ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଅମିତାଭ ସିଂଘଲ ଉପସ୍ଥିତ ଥିଲେ।
ମହାପ୍ରବନ୍ଧକଙ୍କ ଏହି ଉଚ୍ଚସ୍ତରୀୟ ପରିଦର୍ଶନ ଦକ୍ଷିଣ ଓଡ଼ିଶାର ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ସହ ନିରାପଦ ରେଳ ଚଳାଚଳ, ଉନ୍ନତ ଯାତ୍ରୀ ସେବା ଓ ଭବିଷ୍ୟତ ଭିତ୍ତିଭୂମି ବିକାଶକୁ ଗତିଶୀଳ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ତଦାରଖ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।



Total Users : 6801