କିରଣ କୁମାର ପାଣିଗ୍ରାହୀ/ସମୀକ୍ଷା ନ୍ୟୁଜ/ଗୁଣପୁର, ୯/୭: ଦୀର୍ଘ ମାସ ଧରି ଅଚଳ ହୋଇପଡ଼ିଥିବା ଗୁଣପୁର ପୌରାଞ୍ଚଳର ସିସିଟିଭି କ୍ୟାମେରାଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ସହରରେ ଦିନକୁ ଦିନ ଚୋରି, ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ସିସିଟିଭି ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ ବୋଲି ବିଜେପିର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ. ଗଣପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଗୁଣପୁର ଉପଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲ୍ଲୀପଙ୍କୁ ଭେଟି ପୌରାଞ୍ଚଳର ସିସିଟିଭି କ୍ୟାମେରା ଓ ଅନ୍ୟାନ୍ୟ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମ୍ପର୍କରେ ଉପଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଅଚଳ ସିସିଟିଭି କ୍ୟାମେରାଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରାଯାଇଥିଲା। ଉପଜିଲ୍ଲାପାଳ ଏହି ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଥିଲେ।
ଏହି ଆଲୋଚନାରେ ବରିଷ୍ଠ ବିଜେପି ନେତା ରବି ଶଙ୍କର ଗମାଙ୍ଗ, ଅମର କୁମାର ସାହୁ, ସତ୍ୟ ସୁନ୍ଦର କର, ମୁଖୀ ଦିବାକର, ପୃଥ୍ୱୀରାଜ ପାଢ଼ୀ, ଶ୍ରୀନିବାସ ସ୍ୱାଇଁ ଓ ପ୍ରଦୀପ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ୪୬ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିବା ସିସିଟିଭି ପ୍ରକଳ୍ପର ସମସ୍ତ ବିବରଣୀ ସୂଚନା ଅଧିକାର ଆଇନ (RTI) ଅନୁଯାୟୀ ପ୍ରଦାନ କରିବାକୁ ବିଜେପିର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ. ଗଣପତି ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ଅଗଷ୍ଟ ୧୫ ତାରିଖରେ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ୪୬ ଲକ୍ଷ ଟଙ୍କା ବ୍ୟୟରେ ୫୭ଟି ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଥିଲା। କିନ୍ତୁ ନିମ୍ନମାନର ସାମଗ୍ରୀ ବ୍ୟବହାର ହେତୁ ପ୍ରାୟ ଛଅ ମାସ ମଧ୍ୟରେ ସମସ୍ତ କ୍ୟାମେରା ଅଚଳ ହୋଇପଡ଼ିଥିଲା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୌର କର୍ତ୍ତୃପକ୍ଷ ଏହାର ମରାମତି କିମ୍ବା ରକ୍ଷଣାବେକ୍ଷଣ ପାଇଁ କୌଣସି ପଦକ୍ଷେପ ନେଇନଥିବାରୁ ସହରରେ ଚୋରି ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ନେଇ ବିଜେପି ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି।
ବିଜେପି ପକ୍ଷରୁ ସହରର ମୁଖ୍ୟ ପ୍ରବେଶ ଓ ପ୍ରସ୍ଥାନ ପଥ, ବିକ୍ରମପୁର ଛକ, ସୌରା ପ୍ରଧାନୀଗୁଡ଼ା ଛକ, ପୁରୁଣା ଗୁଣପୁର ଜଗନ୍ନାଥ ମନ୍ଦିର ଛକ, ତ୍ରିନାଥ ମନ୍ଦିର ଛକ, ବଡ଼ବଜାର ଛକ, କଟିକା ସାହି ଛକ, ମାଠିଆ ସାହି ଛକ, ଦୈନିକ ବଜାର ଛକ, ପୁରୁଣା ବସଷ୍ଟାଣ୍ଡ ଛକ, ଗ୍ରାମଦେବୀ ମନ୍ଦିର, ପୁରୁଣା ଷ୍ଟେଟ୍ ବ୍ୟାଙ୍କ ଛକ, ହଳଦିଆନାଳ ଛକ, ମେଡିକାଲ୍ ଛକ, ବାଇପାସ ଛକ, କୋର୍ଟ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକ, ଥାନା ଛକ ଏବଂ ଗୁଣପୁର କଲେଜ ଛକ ସମେତ ସମସ୍ତ ସମ୍ବେଦନଶୀଳ ସ୍ଥାନରେ ୩୬୦ ଡିଗ୍ରୀ ଏଚ୍ଡି କ୍ୟାମେରା ଓ ନମ୍ବର ପ୍ଲେଟ୍ ସ୍କାନ୍ କରିପାରୁଥିବା ଅତ୍ୟାଧୁନିକ କ୍ୟାମେରା ସ୍ଥାପନ କରିବାକୁ ମଧ୍ୟ ଦାବି କରାଯାଇଛି।


Total Users : 565